ଭୁବନେଶ୍ୱର: ଛୋଟ ବଡ଼ ସରକାରୀ କାମରେ ଟେଣ୍ଡର ଫିକ୍ସିଂ ଆମ ରାଜ୍ୟ ପାଇଁ ଦେହସୁହା । ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାମରେ ଟେଣ୍ଡର ଫିକ୍ସିଂ ନିହାତି ସାଂଘାତିକ କଥା । ଏମିତିକା ସାଂଘାତିକ କଥାଟିର ପ୍ରମାଣ ଲାଗିଛି “ମିଡ଼ ଡ଼େ ଓଡ଼ିଶା” ହାତରେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ପାଇଁ ଭଡ଼ାରେ ଅଣା ଯାଇଥିବା ବିମାନ ପାଇଁ ହୋଇଛି ଟେଣ୍ଡର ଫିକ୍ସିଂ । ଟେଣ୍ଡର ପ୍ରକ୍ରିୟାରେ ନିର୍ଦ୍ଦିଷ୍ଟ କମ୍ପାନୀକୁ ଅନୁଗ୍ରହ କରାଯାଇଛି । ଅନ୍ୟ କାହାରିକୁ ଭାଗ ନେବାକୁ ଫୁରସତ୍ ଦିଆଯାଇନାହିଁ ।
କଥାଟି ଏହିଭଳି । ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗଲେ । ତାଙ୍କର ଦିଲ୍ଲୀଯାତ୍ରା ପାଇଁ ଭଡ଼ା ବିମାନ ଖୋଜାପଡ଼ିଲା । ମୁଖ୍ୟମନ୍ତ୍ରୀଙ୍କ ୭ ତାରିଖ ଦିଲ୍ଲୀଗସ୍ତ କାର୍ଯ୍ୟକ୍ରମ ୧୫ ଦିନ ଆଗରୁ ସ୍ଥିର ହୋଇଥିଲେ ମଧ୍ୟ ତାଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ଭଡ଼ା ବିମାନ ପାଇଁ ସଟ୍ କୋଟେସନ୍ (ନଂ ୯୬୫୧) ଆହ୍ୱାନ କଲେ ୪ ତାରିଖରେ । ସେଥିପାଇଁ ନିୟମକାନୁନ ପାଳନ କରାଗଲାନି । ଦିନକ ପରେ ଅର୍ଥାତ୍ ୫ ତାରିଖରେ ଦିଲ୍ଲୀର ମେସର୍ସ ପିନାକଲ୍ ଏୟାର ପ୍ରାଇଭେଟ୍ ଲିମିଟେଡ଼ ଏଥିପାଇଁ ଅଫର୍ ଦେଲା ଏବଂ ତାହାକୁ ସାଧାରଣ ପ୍ରଶାସନ ବିଭାଗ ଅବିଳମ୍ବେ ଗ୍ରହଣ କରିନେଲା । ସଂସ୍ଥାର ଦୁଇ ଇଞ୍ଜିନ୍ ବିଶିଷ୍ଟ ଫାଲକନ୍ ୨୦୦୦ ଏୟାରକ୍ରାଫ୍ଟକୁ ୧୬ ଲକ୍ଷ ୧୫ ହଜାର ୭୫୦ ଟଙ୍କାରେ ଭଡ଼ା ଅଣାଗଲା । ମୁଖ୍ୟମନ୍ତ୍ରୀଙ୍କୁ ୭ ତାରିଖରେ ଖାଲି ଦିଲ୍ଲୀରେ ପହଞ୍ଚାଇବାକୁ ଏତେ ଟଙ୍କାରେ ବିମାନ ଭଡ଼ା କରାଗଲା । ନିୟମ କହୁଛି, ସଟ୍ କୋଟେସନ ରେ ଭାଗ ନେବାକୁ ଆଗ୍ରହୀ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କୁ ଅତି କମ୍ ରେ ୭ ଦିନ ସମୟ ଦେବା କଥା । କିନ୍ତୁ ସାଧାରଣ ପ୍ରଶାସନ ବିଭାଗ ତାହାକୁ ପାଳନ କଲାନି । ନିର୍ଦ୍ଦିଷ୍ଟ ଭାବେ ପିନାକଲ୍ ଏୟାର ପ୍ରାଇଭେଟ୍ ସଂସ୍ଥାକୁ ଆଖିରେ ରଖାଯାଇ ନାମକୁ ମାତ୍ର ସଟ୍ କୋଟେସନ୍ ଦିଆଯାଇଥିଲା । ସୁତରାଂ ଦିଲ୍ଲୀର ଏହି ସଂସ୍ଥା ପାଇଁ ଏହା ଫିକ୍ସିଂ କରିଦିଆଗଲା । ଏଥିରେ ତୃତୀୟ ମହଲାର କିଛି ଅଫିସରଙ୍କ ପକେଟ ଗରମ୍ ହୋଇଥିବା କୁହାଯାଉଛି ।
ସୂଚନାଯୋଗ୍ୟ, “୩୦ ଲକ୍ଷ ଖର୍ଚ୍ଚରେ ନବୀନଙ୍କ ଦିଲ୍ଲୀ ଉଡ଼ାଣ” ଶୀର୍ଷକରେ ଏକ ଖବର ଆମେ ଗତ ଏପ୍ରିଲ୍ ୨୬ ତାରିଖ ଦିନ ପୋଷ୍ଟିଂ କରିଥିଲୁ । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଯିବା ଆସିବାରେ ଭଡ଼ା ବିମାନ ପାଇଁ କିଭଳି ମୋଟା ଟଙ୍କା ଖର୍ଚ୍ଚ ହେଉଛି ତାହା ଲେଖିଥିଲୁ । ଗତ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ୬ ତାରିଖରେ ଫେରିଥିଲେ । ଆଉ ରାଜ୍ୟ ତହବିଲ୍ ମୁଖ୍ୟମନ୍ତ୍ରୀଙ୍କ ଉଡାଣ ପାଇଁ ଗଣିଥିଲା ୩୦ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ଭଡ଼ାରେ ବ୍ୟବହାର କରିଥିବା ସେହି ବିମାନଟି ଥିଲା ଆଜିକା ଚର୍ଚ୍ଚିତ ପିନାକଲ୍ ଏୟାର ପ୍ରାଇଭେଟ୍ ଲିମିଟେଡ଼ର ଚାଟାର୍ଡ ବିମାନ ।