ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜୁନ୍ ୨୪ରୁ ଜୁଲାଇ ୩ । ୧୦ ଦିନର ଲୁଚୁକାଳି ଖେଳ ପରେ ଡାକ୍ତର ମୋତିଲାଲ୍ ଗୌଡ଼ଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ । ୨୪ ତାରିଖରେ ହାଇକୋର୍ଟରେ ଡାକ୍ତରଙ୍କ ଆଗୁଆ ଜାମିନ୍ ଆବେଦନର ଶୁଣାଣୀ କରିଥିଲେ ଜଷ୍ଟିସ୍ ଦାସ । ଜାମିନ୍ ଆବେଦନକୁ ନାକଚ କରି ସନ୍ଧ୍ୟାରେ ରାୟ ଶୁଣାଇଥିଲେ । କଟକରେ ରାୟ ଶୁଣାଣି ବେଳକୁ ଭୁବନେଶ୍ୱରରେ ମନ୍ତ୍ରୀ କ୍ୱାଟର୍ରେ ଗମାତ୍ କରୁଥିବା ମୋତିଲାଲ ଖବର ପାଇବା କ୍ଷଣି ଚମ୍ପଟ୍ ମାରିଥିଲେ । ସିଧା ନୟାଗଡ଼ ବାଟ ଦେଇ ଓଡ଼ିଶା ପାର୍ ହୋଇଯାଇଥିବା ସେଦିନ ଆମର ବ୍ରେକିଂ ଖବର ଥିଲା । କହିବା ବାହୁଲ୍ୟ, ସେଦିନର ଆମ ଖବରଟି ଯେ ସତ ଥିଲା ତାହା ପ୍ରମାଣିତ ହୋଇଛି ।
କ୍ରାଇମବ୍ରାଞ୍ଚର ୪ ଜଣିଆ ସ୍ୱତନ୍ତ୍ର ଟିମ୍ ୪ ଦିନ ଧରି ତାଙ୍କୁ ଟ୍ରାକ୍ କଲା ପରେ ବିଶାଖାପାଟଣା-ବିଜୟନଗରମ୍ ଅଞ୍ଚଳରୁ ଗିରଫ କରିବାକୁ ସକ୍ଷମ ହୋଇଥିବା ଦାବି କରିଛନ୍ତି ସ୍ୱତନ୍ତ୍ର ଡିଜି ବିଜୟ କୁମାର ଶର୍ମା । କିଛି ଆଇନଜ୍ଞଙ୍କ ମତରେ କ୍ରାଇମବ୍ରାଞ୍ଚ ପୁଲିସ ଯଦି ସେଠାରୁ ତାଙ୍କୁ ଗିରଫ କଲେ, ଆଗ ସ୍ଥାନୀୟ କୋର୍ଟରେ ହାଜର କରିବା କଥା । ମାତ୍ର ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର ନ କରି ସିଧା କଟକ କେମିତି ନେଇଆସିଲେ ? ଅର୍ଥାତ୍ ଭାଇଜାକ୍ରୁ ଗିରଫ ହେବା ନେଇ କେତେକଙ୍କ ମନରେ ସନ୍ଦେହ ଉଙ୍କି ମାରିଛି । ୧୦ ଦିନ ଧରି ଯାହା ହେଉ ପଛେ, ସେଥିରୁ ଯେଉଁ ଲୁଚୁକାଳି ଖେଳ ଥାଉ ପଛେ, କ୍ରାଇମବ୍ରାଞ୍ଚର ଏହା ବିଳମ୍ବ ସଫଳତା ବୋଲି କୁହାଯିବ ।
ଗିରଫ ଡାକ୍ତର ମୋତିଲାଲ୍ଙ୍କୁ ସୋମବାର କୋର୍ଟରେ ହାଜର କରି ୭ ଦିନ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ପୁଲିସ । କୋର୍ଟର ଅନୁମତି ମିଳିଲେ ୭ ଦିନ ଧରି ପୁଲିସ ତାଙ୍କୁ ଛାନଭିନ୍ କରିବ । ମନ୍ତ୍ରୀ, ବିଧାୟକ, ଅଫିସରଙ୍କ ସହ ସମ୍ପର୍କର ଖୋଳତାଡ଼ କରିବ । ବିଗତ କେଇ ବର୍ଷ ମଧ୍ୟରେ ପ୍ରଭାବଶାଳୀ ରାଜନେତା ଗୋଷ୍ଠୀଙ୍କ ସହ ସେ କେତେଥର ଓଡିଶା ବାହାରକୁ ଟୁର୍ କରିଥିଲେ ? କେଉଁଠି ରହିଥିଲେ, ଖାଇଥିଲେ ? କାହା ପକେଟରୁ ପଇସା ଖର୍ଚ୍ଚ ହୋଇଥିଲା ? ଓଡ଼ିଶା ବାହାରେ ମଉଜ ମଜଲିସ କରିବା ପାଇଁ ଡାକ୍ତର ଓ ସହଯୋଗୀ ଅଫିସର ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେଇଥିଲେ ନା ନାହିଁ ? ଅଫିସରେ ଛୁଟି ଦରଖାସ୍ତ ଦେଇଥିଲେ ନା ନାହିଁ ? ପ୍ରଭାବଶାଳୀ ମନ୍ତ୍ରୀ, ବିଧାୟକଙ୍କ ସହ ସମ୍ପର୍କର ଆଧାର କ’ଣ ? ସେମାନଙ୍କ ମଧ୍ୟରେ କିଛି ଦେଣନେଣ ଥିଲା ନା ନାହିଁ ? ଚାକିରି କ୍ଷେତ୍ରରେ ସେହି ପ୍ରଭାବଶାଳୀ ରାଜନେତାଙ୍କ ସହଯୋଗ ଓ ଆର୍ଶିବାଦ ଥିଲା କି ନାହିଁ ? ଇତ୍ୟାଦି ଇତ୍ୟାଦି ଅନେକ ପ୍ରଶ୍ନର ଉତ୍ତର ଡାକ୍ତର ମୋତିଲାଲ୍ଙ୍କ ମୁହଁରୁ ପୁଲିସ ଓଗାଳିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଆଉ ଗିରଫ ଡାକ୍ତରଙ୍କ ହାବଭାବ ଯାହା ଏସବୁ ପ୍ରଶ୍ନର ଉତ୍ତର ଓଗାଳିବାକୁ ବେଶୀ ସମୟ ଲାଗିବନି ବୋଲି ସେ ନିଶ୍ଚିତ କରାଇଛନ୍ତି ।
କ୍ରାଇମବ୍ରାଞ୍ଚର ଏହି ଅଧିକାରୀଜଣଙ୍କ କଥା ଗ୍ରହଣୀୟ ହୋଇପାରେ । ମାତ୍ର ମୋତିଲାଲଙ୍କ ମନ ଓଗଳା କଥାକୁ କ୍ରାଇମବ୍ରାଞ୍ଚ ଲାଇଭ୍ ରେକର୍ଡ କରିବ ନା କଇଁଚି ବଜେଇବ ତାହା ଏବେ ସନ୍ଦେହରେ । ଡାକ୍ତର ମୋତିଲାଲ ପ୍ରସଙ୍ଗରେ ନବୀନ ସରକାର ମୁଣ୍ଡାଇଥିବା ବଦନାମ ଓ ନିନ୍ଦାକୁ ସାଷ୍ଟାଙ୍ଗ କରିବାକୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ଯେ ସାହାସ କରିବ ତାହାକୁ ଜନସାଧାରଣ ବିଲକୁଲ୍ ବିଶ୍ୱାସ କରୁନାହାନ୍ତି । ନିକଟ ଅତୀତରେ ଚିଟ୍ଫଣ୍ଡ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଅବିଶ୍ୱାସର ବରିଷ୍ଠ ପ୍ରମାଣ ରଖିଛି । ଚିଟ୍ଫଣ୍ଡ ତଦନ୍ତ ଷ୍ଟାଇଲ୍ରେ ମୋତିଲାଲ୍ଙ୍କ ଜାଲିଆତିର ତଦନ୍ତ ହେଲେ ମୋତିଲାଲ୍ ସିନା ଦୋଷୀ ହୋଇ ଦଣ୍ଡ ପାଇବେ ହେଲେ ତାଙ୍କ କାରନାମାର ପୃଷ୍ଠପୋଷକ ବନିଥିବା ବଡ଼ବଡ଼ିଆ ଯେ ଖସି ନଯିବେ ତାହା କିଏ କହିବ ?
ତେବେ ଆଗତୁରା ଏମିତିକା ଆଶଙ୍କା ଛାଡ଼ି କ୍ରାଇମବ୍ରାଞ୍ଚର ନିରପେକ୍ଷ ତଦନ୍ତକୁ ଅପେକ୍ଷା କରିବା କଥା । ବିଜୟ କୁମାର ଶର୍ମାଙ୍କ ଭଳି ଦଣ୍ଠା ଅଫିସରଙ୍କଠାରୁ ଏହା ସମସ୍ତଙ୍କ ଆଶା । ଅନ୍ୟପକ୍ଷରେ ଡାକ୍ତର ମୋତିଲାଲଙ୍କ ଗିରଫ ପରେ ଛାନିଆଁ ହୋଇଯାଇଛନ୍ତି ତାଙ୍କର ରାଜନୈତିକ ପୃଷ୍ଠପୋଷକ ଗୋଷ୍ଠୀ । ମୋତିଲାଲ କ’ଣ ନାଇଁ କ’ଣ ଓଗାଳିବେ ସେହି ଡର ଖାଇଛି ପୁରୋଧା ନେତାଙ୍କୁ । କ୍ରାଇମବ୍ରାଞ୍ଚ ମୋତିଲାଲଙ୍କ ସମସ୍ତ ପାପ ସାମନାକୁ ଆଣିବା ଓ ରାଜନୈତିକ ପୁରୋଧାଙ୍କୁ ସମାନ ଦଣ୍ଡ ଦେବା ଖୋଦ୍ ସରକାରଙ୍କ ପାଇଁ ଆହ୍ୱାନ ହୋଇଛି ।