ଭୁବନେଶ୍ୱର: ପି.ଚିଦାମ୍ବରମ୍ ଙ୍କ ପତ୍ନୀ ସେୟାର ହୋଲଡର ଅଭିଯୋଗ ଆସିଥିବା ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ପରିବାର ମାଲିକାନାର ଇମ୍ଫା କମ୍ପାନୀ ବିରୋଧରେ ଅନିୟମିତତା ଅଭିଯୋଗର ଫର୍ଦ୍ଦ ବେଶ୍ ଲମ୍ବା । କୋର୍ଟ କଚେରିର ଢ଼ାଲ ଦେଖାଇ ବେଆଇନ କାରବାର ଚଲାଇ ରଖିବାରେ କମ୍ପାନୀ କୁଆଡେ ଧୂରନ୍ଧର । ଅତୀତରେ ପଣ୍ଡା କମ୍ପାନୀ କ୍ଷତିରେ ଚାଲୁଥିବା ଦର୍ଶାଇ ୨୩୦୦ କୋଟି ଟଙ୍କାର ଋଣ ଛାଡ଼ ଭିକ୍ଷାରେ ସକ୍ଷମ ହୋଇଥିଲେ ବି ସ୍ଥିତି ଆଉ ସେଭଳି ନାହିଁ । ଏବେକା ଦିନରେ କମ୍ପାନୀ ପ୍ରଚୁର ଲାଭରେ ଚାଲୁଛି । ୨୩୦୦ କୋଟି ଟଙ୍କା ଋଣ ଛାଡ଼ ଅନୁଗୃହୀତ ଏହି କମ୍ପାନୀ ଶହ ଶହ କୋଟି ଟଙ୍କା ଲାଭ ପାଉଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଆୟକର ଦେୟ ଛାଡ଼ିଦେଲା ପରେ ଇମଫା ୨୫୦ କୋଟି ଟଙ୍କା ଲାଭ କରିଛି । କମ୍ପାନୀର ଏହି ଲାଭାଂଶ ଉପରେ ଋଣ ଛାଡ଼ କରିଥିବା ସଂସ୍ଥାର ହକ୍ ରହିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
୨୦ ନଭେମ୍ବର୧୯୬୧ ମସିହାରେ ଇମ୍ଫା ପ୍ରତିଷ୍ଠା ହୋଇଥିଲା । ପରବର୍ଷ ମେ ୭ ତାରିଖରେ ତାହାକୁ ବ୍ୟବସାୟିକ କାରବାର ପାଇଁ ଅନୁମତି ମିଳିଥିଲା । ପରବର୍ତ୍ତୀ ସମୟରେ କମ୍ପାନୀ ଏକ ଲାଭଜନକ ସଂସ୍ଥାରେ ପରିଣତ ହୋଇଥିଲା । ସମୟକ୍ରମେ ପଣ୍ଡା ମାଲିକାନାର ଅନ୍ୟ କମ୍ପାନୀ ଇଣ୍ଡିଆନ୍ ଚାର୍ଜକ୍ରୋମ୍ ଲିମିଟେଡ଼(ଆଇସିସିଏଲ) କ୍ଷତିରେ ଚାଲୁଥିବା ଦର୍ଶାଇ ଦୁଇ କମ୍ପାନୀର ମରଜର୍(ମିଶ୍ରଣ) ପାଇଁ ଓଡ଼ିଶା ହାଇକୋର୍ଟର ଆଶ୍ରୟ ନେଇଥିଲେ । ସେତେବେଳେ ଆଇସିସିଏଲ୍ ୫୬୦ କୋଟି କ୍ଷତିରେ ଚାଲୁଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ୧୩ ଅକ୍ଟୋବର ୨୦୦୬ ରେ ଇମ୍ଫା ସହ ରୁଗ୍ମଣ ଆଇସିସିଏଲ୍ ର ମରଜର୍ ହୋଇଥିଲା । ଏହି ମରଜର୍ ପଛରେ ପଣ୍ଡା ପରିବାରର ମନ୍ଦ ଉଦ୍ଦେଶ୍ୟ ଥିବା ସେତେବେଳେ ଅଭିଯୋଗ ଉଠିଥିଲା । ଆଉ ସେହି ବର୍ଷ ହିଁ ଉଦ୍ଦେଶ୍ୟ ଧରାପଡ଼ିଯାଇଥିଲା । ପଣ୍ଡାଙ୍କ ଇମ୍ଫାକୁ ଆଇଡିବିଆଇ ସମେତ୧୦ଟି ଜାତୀୟକରଣ ଓ ଅନ୍ୟାନ୍ୟ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ ୨୩୦୦ କୋଟି ଟଙ୍କା ଋଣ ଛାଡ଼ କରିଥିଲେ । ତତ୍କାଳୀନ ବିଜେଡ଼ି ରାଜ୍ୟସଭା ସାଂସଦ ଜୟ ପଣ୍ଡା ନିଜର ପ୍ରଭାବ ବଳରେ ଏହି ଋଣ ଛାଡ଼ ପାଇଥିବା ଅଭିଯୋଗ ତୁମ୍ବିତୋଫାନ କରିଥିଲା ।
ତେବେ ନିଜକୁ ରୁଗ୍ମଣ ଦେଖାଇ ଅତୀତରେ ୨୩୦୦ କୋଟି ଋଣ ଛାଡ଼ ପାଇଥିବା ଇମ୍ଫା ଚଳିତ ଆର୍ଥିକ ବର୍ଷରେ ୨୫୦ କୋଟି ଲାଭ କରିଛି । ଏତିକିବେଳକୁ ଇମ୍ଫାରେ ପି.ଚିଦାମ୍ବରମ୍ ଙ୍କ ପତ୍ନୀ ନଳିନୀ ସେୟାର ହୋଲଡର ଅଭିଯୋଗ ଆସିବା ଋଣଛାଡ଼ ପ୍ରସଙ୍ଗକୁ ପୁଣି ତେଜିଛି । ରୁଗ୍ମଣ ସଂସ୍ଥା ନାଁରେ ୨୩୦୦ କୋଟି ଋଣ ଛାଡ଼ିଥିବା ଆଇଡ଼ିବିଆଇ ଏବଂ ଅନ୍ୟ ଆର୍ଥିକ ଅନୁଷ୍ଠାନର ଇମ୍ଫା କମ୍ପାନୀ ଲାଭାଂଶ ଉପରେ ହକ୍ ରହିବ କି ନାହିଁ ? ବସ୍ତୁତଃ ଏହି ପ୍ରସଙ୍ଗରେ ଅଜିତ୍ ଯୋଗୀ ଜୟ ପଣ୍ଡାଙ୍କୁ ବାଣ ମାରିଛନ୍ତି ।