ଭୁୁବନେଶ୍ୱର: ପ୍ରଥମ ଦିନରେ ଦଳୀୟ ନେତାଙ୍କୁ କବାଟଳୀଳା ଟିଉସନ୍ ସାରି ସଂଧ୍ୟାରେ ବୁଦ୍ଧିଜୀବୀଙ୍କ ସହ ଆଳାପ କରିବାର କାର୍ଯ୍ୟକ୍ରମ ରଖିଥିଲେ ଅମିତ୍ ଶାହା । ସେଇ ଅନୁଯାୟୀ ଆଜି କାର୍ଯ୍ୟକ୍ରମ ହେଲା । ହେଲେ କାଇଁ କେଉଁ ଜଣାଶୁଣା ବୁଦ୍ଧିଜୀବୀଙ୍କୁ ସେଠାରେ ଦେଖିବାକୁ ମିଳି ଥିଲା । ପଛଧାଡ଼ିରେ କାଁ ଭାଁ କର୍ପୋରେଟ୍ ଚାକିରିଆ ଓ ବ୍ୟବସାୟୀ ହାଜିରା ଦେଇଥିଲା ବେଳେ ବାକି ସବୁ ସିଟ୍ ଦଳୀୟ କର୍ମୀ ଓ ନେତାଙ୍କ ଦଖଲରେ ଥିଲା । ବୁଦ୍ଧିଜୀବୀ ସାଜିଥିବା ନିଜ ଦଳର ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇଥିଲେ ଅମିତ୍ ଶାହା । ଆରମ୍ଭ କଲେ.. ସେ ଏବଂ ତାଙ୍କ ଦଳ ବଂଶବାଦ ରାଜନୀତିରେ ବିଶ୍ୱାସ କରେନି । ସେ ସାଧାରଣ ପରିବାରରୁ ଆସିଛନ୍ତି । ମୋଦି ଚା ବିକାଳୀରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବାମ ପଟେ ବସିଥିବା ଜୁଏଲ୍ ଓରାମ୍ ଙ୍କୁ ଦେଖାଇ ସେ ସାଧାରଣ ଆଦିବାସୀ ପରିବାରୁ ଆସିଛନ୍ତି ବୋଲି କହିଲେ । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ଅଟକିଗଲେ ଶାହା । ଜୁଏଲ୍ ଙ୍କଠାରେ ସାରିଦେଲେ ସାଧାରଣ ପରିବାରର ସଂଜ୍ଞା । ୪ ଦିନ ତଳେ କ୍ୟାବିନେଟ୍ ପଦୋନ୍ନତି ପରେ ଧର୍ମେନ୍ଦ୍ର ଦିଲ୍ଲୀରେ କହିଥିଲେ କି ସେ ସାଧାରଣ ପରିବାରରୁ ଆସି ଆଜି ଏ ଜାଗାରେ ପହଞ୍ଚିଛନ୍ତି । ହେଲେ ଭୁବନେଶ୍ୱରରେ ଶାହା ତାଙ୍କୁ ସାଧାରଣ ପରିବାରର ଦାୟାଦ କହିବାକୁ ଉଚିତ୍ ମଣିଲେନି । ଧର୍ମେନ୍ଦ୍ରଙ୍କ ପାଳି ବେଳକୁ ଝୁଣ୍ଟେଇ ପଡ଼ି ଛେପ ଢ଼ୋକିଦେଲେ ।
ମିସନ୍ ୧୨୦ ଉପରେ ଭାଷଣ ଦେଇଥିଲେ ଅମିତ୍ ଶାହା । କହିଥିଲେ ଓଡ଼ିଶାରେ ବିଜେପିକୁ ସରକାର ଗଠନର ସୁଯୋଗ ମିଳିନି । ଏଥର ସୁଯୋଗ ଦିଆଯାଉ । ଓଡ଼ିଶାବାସୀଙ୍କୁ ବିଜେପି ଦେଖାଇବ ସୁଶାସନ କ’ଣ ? ଅମିତ୍ ଙ୍କର ଏହି ଭାଷଣ ବେଳେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଟୁପୁରୁଟାପର୍ ହୋଇଥିଲା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ମେଣ୍ଟ ସରକାରରେ ରହି ଓଡ଼ିଶାକୁ ଶାସନ କରୁଥିଲା । ମୁଣ୍ଡିଆଳ ବିଭାଗର ଦାୟିତ୍ୱରେ ଥିଲେ ବିଜେପି ମନ୍ତ୍ରୀ । ଶାହା ଏକଥା ବୋଧେ ଭୁଲିଯାଇଥିଲେ ।
ଜିଡ଼ିପି ବା ଅର୍ଥନୀତି ଅଭିବୃଦ୍ଧି ଉପରେ ଶାହା ଲମ୍ବା ଚଉଡା ଭାଷଣ ଦେଇଥିଲେ ମଧ୍ୟ ଥିଓରି ଓ ପରିସଂଖ୍ୟାନ ଭୁଲଭାଲ କହିଥିଲେ । ଖୋଦ୍ ଦଳର ଅନେକ ନେତା ଶାହାଙ୍କ ମୁହଁକୁ ବଲ ବଲ କରି ଅନାଇଥିଲେ । କିଛି ସମୟ ପାଇଁ ସେଠାରେ ଚାପା ଗୁଞ୍ଜରଣ ଖେଳିଥିଲା । ଅର୍ଥନୀତି ଉପରେ ଶାହାଙ୍କର ଜ୍ଞାନକୁ ନେଇ ପଛଧାଡ଼ିରୁ ମୁରୁକା ହସ ଆସିଥିଲା । ‘ଅମିତ୍ କ’ଣ କହୁଛନ୍ତି କିଛି ବୁଝି ହଉ ନ ଥିଲା । ମୋଟାମୋଟି ଭାବେ ତାଙ୍କ ଭାଷଣରୁ ଶୁଣିଲା ଭଳି କିଛି ନ ଥିଲା ।’ ବୈଠକରୁ ଫେରିଥିବା ଜଣେ ବିଗ୍ କର୍ପୋରେଟ୍ ଚାକିରିଆଙ୍କର ଏହା ଥିଲା ମନ୍ତବ୍ୟ ।
ଧର୍ମେନ୍ଦ୍ରଙ୍କ ଟିଭି ସାମ୍ବାଦିକପ୍ରୀତି
ବିମାନବନ୍ଦରରେ ଶାହାଙ୍କୁ ପାଛୋଟି ଆଣିବାକୁ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ଆଜି ବିମାନବନ୍ଦରରେ ଟିଭି ସାମ୍ବାଦିକଙ୍କୁ ଭାରି ସ୍ନେହ ଓ ଶ୍ରଦ୍ଧା କରିଥିଲେ । ସେଠାରେ ଉପସ୍ଥିତ ଟିଭି ସାମ୍ବାଦିକଙ୍କ ସହ ହାତ ମିଳାଇ ମନଖୁସି କଲେ । ହେଲେ ବାଇଟ୍ ଦେବା ପାଇଁ କହିବାରୁ ବାଆଁରେଇ କରଛଡ଼ା ଦେଲେ । ତେବେ ଶାହାଙ୍କୁ ଧରି ଫେରିଲା ପରେ ପାର୍ଟି ଅଫିସରେ ସେ ବାଇଟ୍ ଦେବାକୁ ବ୍ୟାକୁଳ ହେଲେ । ମିଶନ୍ ୧୨୦ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାର କାଉଣ୍ଟର ଦେବାକୁ ଖୋଜିଲେ ଟିଭି କ୍ୟାମେରା । ଗହଳି ଭିତରେ କିନ୍ତୁ କାହାରିକୁ ପାଇଲେନି । ତାଙ୍କ ଚେଲାଚାମଣ୍ଡାମାନେ ଦଉଡିଲେ ଟିଭିବାଲାଙ୍କ ପାଖକୁ । ଯାହାଙ୍କୁ ଦେଖିଲେ କାକୁସ୍ତିଆ ହେଲେ । କିନ୍ତୁ କେହି ମିଳିଲେନି । ଶେଷରେ ନିଜେ ଧର୍ମେନ୍ଦ୍ର ଖୋଜି ଖୋଜି ଦୁଇଟି ଟିଭି ଚାନେଲ୍ କୁ ଡାକି ବାଇଟ୍ ଦେଲେ । ତେବେ ପ୍ରଥମ ଥର ପାଇଁ ଆଜି ଅମିତ୍ ଶାହାଙ୍କ ରୁଦ୍ଧଦ୍ୱାର ବୈଠକ ଶେଷରେ ମିଡ଼ିଆକୁ ଏଡ଼ାଇ ଦେଇଥିଲେ ନେତା । ମିଡ଼ିଆକୁ ବ୍ରିଫ୍ କରିବାର କୌଣସି ବ୍ୟବସ୍ଥା ନ ଥିଲା । ସାମ୍ବାଦିକମାନେ ଜୋର୍ କରିବାରୁ କେବଳ ସୁରେଶ ପୂଜାରୀ ପଦେ ଅଧେ କହି ଚାଲିଗଲେ ।