ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ମୈଦାନ ପ୍ରସ୍ତୁତ କରିଛନ୍ତି । ସହରରେ ବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ସ୍ୱର୍ଗର ସୁଖ ଆଣିଦେଇଛନ୍ତି । ଆଜି ରାଜ୍ୟ କ୍ୟାବିନେଟ୍ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେମାନଙ୍କ ମନଖୁସି କରି ମନେଇବାକୁ ଉଦ୍ୟମ କରିଛନ୍ତି । ସହରାଞ୍ଚଳରେ ବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଏଣିକି ଜମି ଅଧିକାର ମିଳିବ । ସରକାର ସେମାନଙ୍କୁ ମାଗଣାରେ ଜମି ଯୋଗାଇ ଦେବେ । ଏନଏସି ଅଞ୍ଚଳରେ ୬୦୦ ବର୍ଗଫୁଟ ଏବଂ ମ୍ୟୁନିସିପାଲିଟି ଅଞ୍ଚଳରେ ୪୫୦ ବର୍ଗଫୁଟ୍ ଜମି ଦିଆଯିବ । ସେଠାରେ ସେମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଘର କରିବେ । ତେବେ ସେହି ଘରକୁ ବିକ୍ରି କରିପାରିବେନି କି ବଦଳ କରିପାରିବେନି । ବାସଗୃହ ଜମିକୁ ବ୍ୟାଙ୍କରେ ବନ୍ଧକ ରଖି କିନ୍ତୁ ଲୋନ୍ ଆଣି ପାରିବେ । କର୍ପୋରେସନ୍ ଅଞ୍ଚଳର ବସ୍ତିବାସିନ୍ଦାଙ୍କ ପାଇଁ ଘର ବଦଳ ଲଗାମ ନିୟମ ସାମାନ୍ୟ କୋହଳ କରାଯାଇଛି । ସେମାନଙ୍କୁ ସୀମିତ ବଦଳ ଅଧିକାର ଦିଆଯାଇଛି । କ୍ୟାବିନେଟ୍ ବୈଠକର ଏହି ନିଷ୍ପତ୍ତିକୁ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ଜୀବନ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ଐତିହାସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି । ସମଗ୍ର ଦେଶରେ ଏହା ନଜିର ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ନେଇ ରାଜ୍ୟ ସରକାର ଦୁଇଟି ଅଧ୍ୟାଦେଶ ଆଣିବେ । ବସ୍ତିବାସିନ୍ଦାଙ୍କ ଥଇଥାନ ଓ ସେମାନଙ୍କ ବିକାଶ ପାଇଁ ଏହି ଅଧ୍ୟାଦେଶ ଆସିବ । ଏଥିସହ ସହରାଞ୍ଚଳ ଦାରିଦ୍ର୍ୟ କଲ୍ୟାଣ ପାଣ୍ଠି ଗଠନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।