ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ରାଜ୍ୟ କଂଗ୍ରେସର ମଙ୍ଗ ଧରିବେ ନିରଞ୍ଜନ ପଟ୍ଟନାୟକ । ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ନିରଞ୍ଜନଙ୍କୁ ପିସିସି ସଭାପତି ଆସନ ଦିଆଯିବ । ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ରାହୁଲ ଗାନ୍ଧୀଙ୍କ ବୈଠକ ପରେ ଆପାତତଃ ଏହି ସୂଚନା ମିଳିଛି । କେବଳ ଘୋଷଣା ବାକି ଅଛି । ଯେ କୌଣସି ମୁହୁର୍ତ୍ତରେ ଏହା ଘୋଷଣା ହୋଇପାରେ । ଓଡ଼ିଶା କଂଗ୍ରେସରୁ କନ୍ଦଳ ଦୂର ପାଇଁ ରାହୁଲ ୧+୩ ଫର୍ମୂଲା ପ୍ରସ୍ତୁତି କରିଛନ୍ତି । ଜଣେ ସଭାପତି ଓ ବିଭିନ୍ନ ଜୋନ୍ ରୁ ତିନିଜଣଙ୍କୁ କାର୍ଯ୍ୟକାରୀ ସଭାପତି କରାଯିବ । ସମ୍ଭାବ୍ୟ କାର୍ଯ୍ୟକାରୀ ସଭାପତିମାନେ ହେଲେ ଦକ୍ଷିଣାଞ୍ଚଳରୁ ପ୍ରଦୀପ ମାଝୀ, ପଶ୍ଚିମାଞ୍ଚଳରୁ ନବ ଦାସ ଏବଂ ଉପକୂଳରୁ ଚିରଞ୍ଜିବୀ ବିଶ୍ୱାଳ । ଭକ୍ତ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରାଯାଉଥିବା ସୂଚନା ମିଳିଛି ।
ରାହୁଲ ଗାନ୍ଧୀ ଆଜି ଦଳର ୱାର୍ ରୁମ୍ ରେ ଓଡ଼ିଶାର ୩୬ ଜଣ କଂଗ୍ରେସ ନେତାଙ୍କ ବୈଠକ ନେଇଥିଲେ । କାହାରିକୁ ସେ କହିବାର ସୁଯୋଗ ନ ଦେଇ ନିଜେ ୨୦ ମିନିଟ୍ କହିଥିଲେ । କହିଥିଲେ, ‘ଆମେ ଗୋଟିଏ ବିଚାରାଧାରାରୁ ଆସିଛେ । ସାମୁହିକ ନେତୃତ୍ୱରେ ହିଁ ଦଳ ଆଗକୁ ବଢ଼ିବ । ଆପଣଙ୍କ ମତ ଅନୁଯାୟୀ ନିଷ୍ପତ୍ତି ନଆଯିବ । ଏଥର ଓଡ଼ିଶା କଂଗ୍ରେସରେ ଯୋଡି ହେବ ନୂଆ ଫର୍ଦ୍ଦ । ଆଜିଠାରୁ ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ଯାହାର ଯାହା ଅଭିଯୋଗ ସିଧାସଳଖ ମୋତେ ଜଣାଇବେ ।’ ରାହୁଲଙ୍କୁ ପୂର୍ବରୁ ଓଡ଼ିଶା କଂଗ୍ରେସ ନେତାଙ୍କୁ ପ୍ରଭାରୀ ବି.କେ.ହରିପ୍ରସାଦ ଟିଉସନ୍ କରିଥିଲେ । ପରେ ରାହୁଲ ୱାର୍ ରୁମ୍ ବୈଠକ ସାରି ତାଙ୍କ ଲନ୍ କୁ ଯାଇଥିଲେ । ସେଠାକୁ ପ୍ରଥମେ ଡାକିଥିଲେ ନିରଞ୍ଜନ ପଟ୍ଟନାୟକଙ୍କୁ । ପରେ ପରେ ପ୍ରଦୀପ ମାଝୀ, ନବ ଦାସ , ଚିରଞ୍ଜୀବି ବିଶ୍ୱାଳ ଓ ଭକ୍ତ ଦାସଙ୍କୁ ଡାକି ମନ୍ତ୍ରଣା କରିଥିଲେ । ରାହୁଲଙ୍କୁ ଭେଟି ଫେରିବା ପରେ ପ୍ରସାଦ ହରିଚନ୍ଦନଙ୍କ ମୁହଁ ଶୁଖିଯାଇଥିଲା ବେଳେ ନିରଞ୍ଜନଙ୍କ ମୁହଁରେ ହସ ଫୁଟୁଥିବା ଲକ୍ଷ୍ୟ କରାଯାଇଥିଲା । ନୂଆ ପିସିସି ଟିମ୍ ସଂକ୍ରାନ୍ତରେ ଆପାତତଃ ନିଷ୍ପତ୍ତି ହୋଇସାରିଥିବା ସେମାନଙ୍କଠାରୁ ଆଭାଷ ମିଳିଛି ।
ଏଇଟା ଆଗରୁ ଜଣାଥିଲା