ଭୁବନେଶ୍ୱର: କୋଭିଡ୍ ନିୟମ ପାଳନରେ ରାଜନୀତି ନୁହେଁ, ଅଛି ଜନଜୀବନର ସୁରକ୍ଷା । କରୋନା ଭୂତାଣରୁ ରକ୍ଷା ପାଇବା ପାଇଁ ଔଷଧ କି ପ୍ରତିଷେଧକ ଟୀକା ବାହାରି ନ ଥିବାରୁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଏକମାତ୍ର ବିକଳ୍ପ ବୋଲି ଖୋଦ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି । ଜନଜୀବନର ସୁରକ୍ଷା ଦୃଷ୍ଟିରୁ ଏହାକୁ କଡ଼ାକଡ଼ି ପାଳନ ପାଇଁ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଅପିଲ୍ କରୁଛନ୍ତି । ମାତ୍ର ବିଡ଼ମ୍ବନା ହେଉଛି, ମୋଦିଙ୍କୁ ଆଦର୍ଶ ମାନୁଥିବା ଖୋଦ୍ ତାଙ୍କ ଦଳର ନେତାମାନେ ନିୟମ ଉଲ୍ଲଂଘନ କରିବାକୁ ଏକ ଫେସନ୍ ରେ ପରିଣତ କରିଦେଲେଣି । ଆତ୍ମବଡ଼ିମା ଦେଖାଉଥିବା ଏହି ତଥାକଥିତ ମୋଦି ଅନୁଗାମୀମାନେ ଅଭ୍ୟାସଗତ କୋଭିଡ୍ ନିୟମ ଉଲ୍ଲଂଘନକାରୀ ହୋଇଗଲେଣି । ଅଲବତ୍ ନିୟମ ଭାଙ୍ଗିବୁ.. ଫାଇନ୍ ଦେବୁ.. । ସମ୍ଭବତଃ ଏୟା ହିଁ ସେମାନଙ୍କ ଚିନ୍ତାଧାରା ।
ରାଜ୍ୟରେ କରୋନା ମହାମାରୀ ବେଳେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରେ ଦୁଇଦିନ କାଳ କୋଭିଡ୍ ନିମୟ ଭାଙ୍ଗି ଚାଲିଲେ । ଅମ୍ଫନ୍ ବାତ୍ୟା ସହାନୁଭୂତି ଦେବା ଆଳରେ ରୋଡ୍ ସୋ’ ରେ ବୁଲିଲେ । ସମାଲୋଚନାକୁ ଖାତିର କଲେନି ବୈଜୟନ୍ତ ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନିୟମଟି ସତେ ଯେମିତି ପିଲା ଖେଳ ସଦୃଶ । ସମାଲୋଚନାକୁ ତିଳେମାତ୍ର ଭ୍ରୃକ୍ଷେପ ନାହିଁ । ସାମାଜିକ ଦୂରତା ନ ରଖି ଏବଂ ମାସ୍କ ନ ପିନ୍ଧି ସମର୍ଥକଙ୍କ ବାର୍ଥ ଡେ ପାଳିବା, ସହକର୍ମୀଙ୍କ ଗହଣରେ ଫଟୋ ଉଠାଇବା, ବ୍ରିଜ୍ ଶିଳାନ୍ୟାସ, ଅଫିସ ଉଦଘାଟନ ପର୍ବ, ଜନସମ୍ପର୍କ ଅଭିଯାନ କରିବାରେ ତାଙ୍କର ସଙ୍କୋଚ ନାହିଁ । ନିୟମ ଭାଙ୍ଗିଥିବା ସ୍ୱୀକାର କରି ନିଜେ ଟ୍ୱିଟ୍ କରିଛନ୍ତି ଏବଂ ଜରିମାନା ୧୦୦ ଟଙ୍କା ଦେଉଥିବା ଗର୍ବରେ କହୁଛନ୍ତି । ଅଭ୍ୟାସଗତ ଭାବେ ଖୋଲାଖୋଲି ନିୟମ ଉଲ୍ଲଂଘନ କରୁଥିବା ଅପରାଜିତାଙ୍କୁ ସାମ୍ବାଦିକମାନେ ଏହି ପ୍ରଶ୍ନ ପଚାରିଲେ ସେ ବିଦ୍ରୁପ ଢ଼ଙ୍ଗରେ ଉତ୍ତର ଦେଉଛନ୍ତି ।
ବୈଜୟନ୍ତ, ଅପରାଜିତାଙ୍କୁ ଦେଖାଦେଖି ତାଙ୍କର ସମର୍ଥକ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ମଧ୍ୟ କୋଭିଡ୍ ନିୟମ ଭାଙ୍ଗିବାକୁ ସାହାସ କରିଛନ୍ତି । ରୋଚକ କଥା ହେଉଛି, ଗଣମାଧ୍ୟମରେ ଏହି ଖବର ପ୍ରଚାରିତ ହେଉଥିଲେ ମଧ୍ୟ ନିଜକୁ ସାବଧାନ କରିବା ବଦଳରେ ଦଳର ଅନ୍ୟ ନେତା, ନେତ୍ରୀମାନେ କୋଭିଡ୍ ନିୟମ ଭାଙ୍ଗି ସରକାରଙ୍କ ସହ ପଙ୍ଗା ନେବାକୁ ଜିଦ୍ ଧରିଥିବା ଅଧିକାଂଶଙ୍କ ଆଚରଣ କହୁଛି ।







