ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସିବିଆଇ ଅତିରିକ୍ତ ମହାନିର୍ଦେଶକ ରାଜେଶ ଆସ୍ତାନ ଆଜି ସଂଧ୍ୟାରେ ଅଚାନକ ଭେଟିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ । ଉଭୟଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ ଜଣାପଡ଼ି ନ ଥିଲେ ମଧ୍ୟ ସେଥିରେ ଚିଟ୍ଫଣ୍ଡର ବାତ୍ସ୍ନା ବାରିହୋଇପଡୁଛି ।
ରାଜ୍ୟରେ ଚିଟ୍ଫଣ୍ଡ କେଳେଙ୍କାରୀର ଛାନଭିନ୍ କରୁଛି ସିବିଆଇ । ବର୍ଷେ ହେଲା ସୁପ୍ତ ହୋଇପଡ଼ିଥିବା ସିବିଆଇର ତଦନ୍ତ ପ୍ରକ୍ରିୟା ଏବେ କେଇ ମାସ ହେଲା ପୁଣି ଚେଇଁ ଉଠିଛି । ଏହି ସମୟରେ ସିବିଆଇ ଅତିରିକ୍ତ ମହାନିର୍ଦେଶକ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଭେଟିବା ସବୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ।
ଉଲ୍ଲେଖଥାଉକି, ଜେଲ୍ରେ ଥିବା ଅର୍ଥତତ୍ତ୍ୱ ମାଲିକ ପ୍ରଦୀପ ସେଠୀଙ୍କୁ କଟକ ସିଡ଼ିଏରେ ଘର ବିକ୍ରୀ କରି ବିବାଦକୁ ଆସିଥିଲେ ବିଚାରପତି ଲକ୍ଷ୍ମୀକାନ୍ତ ମହାପାତ୍ର । ସେଠୀଙ୍କଠାରୁ ସେହି ଘରକୁ କିଣିଥିଲେ ତକ୍ରାଳୀନ ଆଡଭୋକେଟ ଜେନେରାଲ୍ ଅଶୋକ ମହାନ୍ତି । ଏହି କିଣାବିକା ପଛରେ ଚିଟ୍ଫଣ୍ଡ ଲିଙ୍କ୍ର ସୁରାକ୍ ପାଇ ଅଶୋକ ମହାନ୍ତିଙ୍କୁ ସିବିଆଇ ଗିରଫ କରିଥିଲା । ସେହିଭଳି ତତ୍କାଳୀନ ସରକାରୀ ଓକିଲ ଦେବାଶିଷ ପଣ୍ଡାଙ୍କୁ ମଧ୍ୟ ସିବିଆଇ ସମନ ଜାରି କରିଥିଲା । ସୁତରାଂ ସିବିଆଇ ତଦନ୍ତ ପ୍ରକ୍ରିୟା ପୁଣି ଜୋର୍ ଧରିଥିବା ବେଳେ ଅତିରିକ୍ତ ମହାନିର୍ଦେଶକ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ହୁଏତ କିଛି ଅନୁମତି କିମ୍ବା ଔପଚାରିକତା ପାଇଁ ଭେଟିଥାଇପାରନ୍ତି । ତେବେ ଏ ସମ୍ପର୍କରେ ସ୍ପଷ୍ଟ ସୂଚନାକୁ ଅପେକ୍ଷା କରାଯାଇଛି ।






