ସୁରୁଖୁରୁରେ ସରିଲା ବଡ଼ଠାକୁରଙ୍କ ନବଦିନ ଯାତ୍ରା
ପୁରୀ: ଘୋଷଯାତ୍ରାର ଅନ୍ତିମପର୍ବ ନୀଳାଦ୍ରି ବିଜେ ଆଜି ସୁରୁଖୁରୁରେ ସମ୍ପନ୍ନ ହୋଇଛି । ନବଦିନ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଦାମୂର୍ତ୍ତୀ । ରଥ ଉପରୁ ପ୍ରଥମେ ରତ୍ନବେଦୀ ଯାଇଥିଲେ ସୁଦର୍ଶନ । ଏହାପରେ ଶ୍ରୀ ବଳଭଦ୍ର, ପଛେ ପଛେ ଦେବୀ ସୁଭଦ୍ରା ଏବଂ ସବା ପଛରେ ଗୋଟି ପହଣ୍ଡିରେ ଝୁଲି ଝୁଲି ରତ୍ନବେଦୀକୁ ବିରାଜମାନ କରିଥିଲେ ମହାପ୍ରଭୁ କାଳିଆ ସାଆନ୍ତ । ଲୀଳାମୟଙ୍କ ନୀଳକନ୍ଦର ବାହୁଡ଼ା ବେଳେ ବିଜେ କାହଳୀ, ଘଣ୍ଟ , ହରିବୋଲ ଏବଂ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର ପ୍ରକମ୍ପିତ ହୋଇଥିଲା । ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ମହାପ୍ରଭୁ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଂଜନ କରିଥିଲେ ।
ମହାପ୍ରଭୁଙ୍କ ସଅଳ ନୀଳାଦ୍ରି ବିଜେ ପହଣ୍ଡିରେ ଆଜି ରେକର୍ଡ ସୃଷ୍ଟି ହୋଇଛି । ରାତି ୯ଟା ସୁଦ୍ଧା ରତ୍ନବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଦା ମୂର୍ତ୍ତି । ବିଜେ ନୀତି ସମ୍ପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ ନୀତି ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଛି ।
ନୀଳାଦ୍ରି ବିଜେ ପାଇଁ ନିର୍ଘଣ୍ଟ ସ୍ୱତନ୍ତ୍ର ନୀତି ଅନୁଯାୟୀ ଆଜି ସକାଳୁ ତିନି ରଥ ଉପରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ଅବକାଶ , ବେଶ ଶେଷ ହୋଇଥିଲା । ପରେ ସକାଳ ଧୂପ, ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ସର୍ବାଙ୍ଗ ନୀତି, ବେଶ ସମ୍ପନ୍ନ ହୋଇଥିଲା । ଏହାପରେ ମଧ୍ୟାହ୍ନ ଧୂପ, ମଇଲମ ଓ ବେଶ, ସଂଧ୍ୟା ଆଳତୀ, ସଂଧ୍ୟା ଧୂପ ଆଦି ନୀତି ସମ୍ପନ୍ନ ହୋଇଥିଲା ।



୪.୫୦ ରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କୁ ନୀଳାଦ୍ରି ବିଜେ କରାଯାଇଥିଲା । ରତ୍ନବେଦୀରେ ବଡ଼ଠାକୁର ବିରାଜମାନ କରିବା ପରେ ସଂଧ୍ୟା ୬ଟାରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ହୋଇଥିଲା ।
ଦେବୀ ସୁଭଦ୍ରା ରତ୍ନବେଦୀରେ ବିଜେ କରିବା ପରେ ସଂଧ୍ୟା ୬.୪୫ ମିନିଟ୍ ରେ ମହାପ୍ରଭୁ କାଳିଆ ଠାକୁରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା ।
ପହଣ୍ଡି ସମୟରେ ଚାରମାଳ ଉପରେ ତିନି ଠାକୁରଙ୍କୁ ଟାହିଆ ଲାଗି ହୋଇଥିଲା ।




