ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବଢ଼ିଲା ମହାମାରୀ କରୋନାର ପ୍ରକୋପ । ଗୋଟିଏ ଦିନରେ ଜିଲ୍ଲାରୁ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪ ଜଣ କେବଳ ଗୋଟିଏ ଗାଁରୁ । ଗଁଦିଆ ବ୍ଲକ୍ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରୁ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗାଁର ଗୋଟିଏ ସାହିରୁ ୭୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇ ସାହିରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି ।
କିଛି ଦିନ ତଳେ ଗ୍ରାମର ୬ ଜଣଙ୍କ ଠାରେ କରୋନା ଜଣା ପଡ଼ିଥିଲା । ଆଉ ତା ପରେ ଗତ ମଙ୍ଗଳବାର ୧୭୬ ଜଣ ଲୋକଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ପଡ଼ୋଶୀ ଗୋପାଳପୁର ଗ୍ରାମର ଦୁଇ ଜଣ ମଧ୍ୟ ସେମାନଙ୍କ ପରୀକ୍ଷା କରାଇଥିଲେ । ଗୋଟିଏ ଗାଁରୁ ଏକା ଥରକେ ୭୪ ଜଣ ପଜିଟିଭ୍ ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଯାଇଛି । ଗତରାତିରେ ଜିଲ୍ଲାପାଳ, ଗଁଦିଆ ବ୍ଲକକୁ ଆସି ବିଡିଓଙ୍କ ସହ ପରିସ୍ଥିତି ବାବଦରେ ଆଲୋଚନା କରିଥିଲେ । ଗତରାତିରୁ ପିଙ୍ଗୁଆ ଗ୍ରାମକୁ ଆଉ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ନିଆଯାଇ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।








