ଭୁୁବନେଶ୍ୱର: ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ୨୬ ଜିଲ୍ଲାରୁ ୫୨୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଦିନକରେ ୬ ଜଣଙ୍କର ମୁଣ୍ଡ ନେଇଛି କରୋନା । ଗଂଜାମରୁ ଆଉ ୩ ଜଣଙ୍କ ଜୀବନ ଯିବା ପରେ ଜିଲ୍ଲାର କରୋନା ମୃତୁ୍ୟ ସଂଖ୍ୟା ୨୭ ହୋଇଛି । କେନ୍ଦ୍ରାପଡ଼ା ଏବଂ ରାୟଗଡ଼ାରୁ ପ୍ରଥମ ଥର ପାଇଁ ଗୋଟେ ଲେଖାଏଁ ମୁଣ୍ଡ ନେଇଛି କରୋନା । ଏହିଭଳି ଭାବେ ରାଜ୍ୟରେ କରୋନା ୪୮ ଜଣଙ୍କ ଜୀବନ ନେଲାଣି ।
ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଜଣେ ୬୪ ଓ ଜଣେ ୫୬ ବର୍ଷୀୟ ପୁରୁଷ । ଆଉ ଜଣେ ହେଉଛନ୍ତି ୫୦ ବର୍ଷୀୟା ମହିଳା । କେନ୍ଦ୍ରାପଡ଼ାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ ୪୯ ବର୍ଷ ଏବଂ ଭୁବନେଶ୍ୱରର ଜଣେ ୫୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ାର ମୃତକଙ୍କ ବୟସ ୮୦ ବର୍ଷ । ଖୋର୍ଦ୍ଧାର ଜଣେ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଥିଲେ ବି ମୃତ୍ୟୁର କାରଣ ଭିନ୍ନ ଦର୍ଶାଇଛନ୍ତି ସରକାର ।
୫୨୭ ନୂଆ ପଜିଟିଭ୍ ଙ୍କ ମଧ୍ୟରେ ଲୋକାଲ୍ କଣ୍ଟାକ୍ଟସ୍ କେସ୍ ଅଛନ୍ତି ୧୮୯ । ଅର୍ଥାତ୍ ସେମାନେ ବାହାରକୁ ନ ଯାଇ ବି ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୨୭ ଆକ୍ରାନ୍ତ । ଅଧିକ ସଂଖ୍ୟକ ପଜିଟିଭ୍ ବାହାରିବାରେ ଗଞ୍ଜାମର ରେକର୍ଡ ଜାରି ରହିଛି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ ରେ ପହଞ୍ଚିଛି ।
କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧, ବାଲେଶ୍ୱର-୨୬, ବରଗଡ଼-୧, ଭଦ୍ରକ-୨, ବଲାଙ୍ଗୀର-୨୧, କଟକ-୧୭, ଢ଼େଙ୍କାନାଳ-୧, ଗଜପତି-୩, ଗଞ୍ଜାମ-୨୧୫, ଜଗତସିଂହପୁର-୪, ଯାଜପୁର-୨୫, ଝାରସୁଗୁଡ଼ା-୪, କେନ୍ଦ୍ରାପଡ଼ା-୫, କେନ୍ଦୁଝର-୭, ଖୋର୍ଦ୍ଧା-୫୦, କୋରାପୁଟ-୬, ମାଲକାନଗିରି-୩, ମୟୁରଭଞ୍ଜ-୧୦, ନବରଙ୍ଗପୁର-୩, ନୟାଗଡ଼-୧୮, ନୂଆପଡ଼ା-୪, ପୁରୀ-୧୬, ରାୟଗଡ଼ା-୧, ସମ୍ବଲପୁର-୧, ସୋନପୁର-୫, ସୁନ୍ଦରଗଡ଼-୭୮ ।
୧୦, ୬୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୬,୭୦୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ୍ କେସ୍ ଅଛନ୍ତି ୩୮୬୦ ।