ଭୁବନେଶ୍ୱର: ଭୁବନେଶ୍ୱରରେ ଜନସଂଖ୍ୟା ଓ ଗାଡିମଟର ବୃଦ୍ଧିକୁ ତାଳ ଦେଇ ଟ୍ରାଫିକ ବ୍ୟବସ୍ଥାର ଉନ୍ନତିକରଣ ହୋଇନାହିଁ । ଫଳରେ ଟ୍ରାଫିକ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି । ରାଜଧାନୀବାସୀଙ୍କୁ ଦୈନନ୍ଦିନ ଏହି ସମସ୍ୟା ଭୋଗିବାକୁ ପଡୁଛି । ବିଳମ୍ବରେ ହେଉ ପଛେ, ଏହି ସ୍ଥିତି ସଜାଡ଼ିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଙ୍କୁ ଦାୟିତ୍ୱ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରୀ ପାଣ୍ଡିଆନ୍ ଆଜି ବଡି ଭୋରରୁ ରାଜଧାନୀର ବିଭିନ୍ନ ଟ୍ରାଫିକ ଛକ ବୁଲି ସମସ୍ୟା ଅନୁଧ୍ୟାନ କରିଥିଲେ । ସକାଳ ୫ ଟାରେ ପ୍ରଥମେ ସେ ଶିଶୁଭବନ ଛକ ଯାଇଥିଲେ । ତା’ପରେ ରବି ଟକିଜ ଛକ, କଳ୍ପନା ଛକ, ରସୁଲଗଡ଼ ଛକ, ବେହେରା ସାହି ଛକ ଏବଂ ଶେଷରେ ଆଇଗିଣିଆ ଅଣ୍ଡରପାସ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ।









