ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ -ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦, ୫୮,୩୧,୧୦୦ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ୫-ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କ କଟକ ଗସ୍ତ ସମୟରେ କଟକ ରେ ସ୍ଵର୍ଗତ ବିଶ୍ଵନାଥ ପଣ୍ଡିତଙ୍କ ସ୍ମୃତିରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ କଟକବାସୀଙ୍କ ମତାମତକୁ ଗ୍ରହଣ କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଏହି ଲାଇବ୍ରେରୀରେ ଏକ ବଡ ରିଡିଙ୍ଗ୍ ହଲ୍ ମଧ୍ୟ ରହିବ। ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ସେଠାରେ ପ୍ରସ୍ତୁତି କରି ପାରିବେ।
ସୂଚନାଯୋଗ୍ୟ ଯେ ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ କଟକର ଡଗରପଡାଠାରେ ଜନ୍ମ ଗ୍ରହଣ କରିଥିଲେ। ସାଧୀନତା ସଂଗ୍ରାମରେ ଯୋଗ ଦେଇ ସେ କାରାବରଣ କରିଥିଲେ। ପରେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇ ଦଳିତ, ଶ୍ରମିକ ଓ ମଜ୍ଦୁରମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିଲେ।
ତାଙ୍କ ନାମରେ ଲାଇବ୍ରେରୀ ପ୍ରତିଷ୍ଠା ଦ୍ୱାରା ସ୍ୱର୍ଗତ ପଣ୍ଡିତଙ୍କର ସ୍ମୃତିକୁ ଉପଯୁକ୍ତ ସମ୍ମାନ ମିଳିବା ସହିତ ତାଙ୍କ ଅବଦାନ ସମ୍ପର୍କରେ ଜନସାଧାରଣ, ବିଶେଷକରି ଯୁବସମାଜ ଅବଗତ ହେବା ସହିତ ଅନୁପ୍ରାଣିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।