ଭୁବନେଶ୍ୱର: ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ଜଣେ ତିବ୍ଦତୀୟ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଛି । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହା ବିଶ୍ୱ ଦରବାରରେ ଓଡ଼ିଶାକୁ ପୁଣି ନିନ୍ଦିତ କରିଛି ବୋଲି କୁହାଯାଇଛି ।
ପିସିସି ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ କହିଛନ୍ତି, ଗତ ୮ ତାରିଖ ଦିନ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ତିବ୍ଦତୀୟ ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଛନ୍ତି । ସାରା ଭାରତରେ ତିବ୍ବତୀୟାନ ଶିଶୁ ଦୁଷ୍କର୍ମର ଶିକାର ହେବା ଏହା ପ୍ରଥମ ଘଟଣା । ଚନ୍ଦ୍ରଗିରି ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳ । ବିଶ୍ୱର ସମସ୍ତ ତିବ୍ବତୀୟାନ ଏଠାକୁ ଆସିଥାନ୍ତି । ୧୯୬୪ ମସିହାରୁ ପ୍ରାୟ ୨୫୦୦ ତିବ୍ବତୀୟାନ ଗଜପତି ଜିଲ୍ଲାର ୫ ଟି କ୍ୟାମ୍ପରେ ରହି ଆସୁଛନ୍ତି । ସେଥିମଧ୍ୟରୁ ଚନ୍ଦ୍ରଗିରି ଅନ୍ୟତମ । ସେମାନଙ୍କୁ ସୁରକ୍ଷା କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କ । ନିଜେ ଦଳାଇ ଲାମା ଚନ୍ଦ୍ରଗିରିର ଆନ୍ତର୍ଜାତିକ ମୋନାଷ୍ଟ୍ରି ପ୍ରତିଷ୍ଠା କରିଥିଲେ ଓ ଅନେକ ସମୟରେ ନିଜେ ପରିଦର୍ଶନ କରନ୍ତି ଓ ଶାନ୍ତିର ବାର୍ତ୍ତା ଦେଇଛନ୍ତି । କିନ୍ତୁ ଆଜି ଯାହା ଘଟିଗଲା ସେଥିପାଇଁ ରାଜ୍ୟ ଓ କେନ୍ଦ୍ରର ପର୍ଯ୍ୟଟନ ମନ୍ତ୍ରୀ ଦାୟୀ ହେବା ସଙ୍ଗେ ସଙ୍ଗେ ଉଭୟ ଗୃହ ବିଭାଗ ମଧ୍ୟ ଦାୟୀ ।
ବାଲିହରଚଣ୍ଡିରେ ଗଣ ଦୁଷ୍କର୍ମ ହେଲା, ସରକାର ତଥାପି କଡା ସୁରକ୍ଷା ବ୍ୟବସ୍ଥା କଲେ ନାହିଁ । ଗୋପାଳପୁର ଗଣଦୁଷ୍କର୍ମ ହେଲା, ଧଉଳିରେ ସେଇ ସମାନ ଘଟଣା ଘଟିଲା । ପ୍ରତିଦିନ ୧୫ ରୁ ଉର୍ଧ୍ଵ ଦୁଷ୍କର୍ମ ହେଊଛି କିନ୍ତୁ ସରକାର କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନ ନେବା କାରଣରୁ ଦୁଷ୍କର୍ମକାରୀଙ୍କ ମନୋବଳ ବୃଦ୍ଧି ପାଉଛି । ସରକାରଙ୍କ ଉଦାସୀନତା ପାଇଁ ଆଜି ପୁଣି ଓଡିଶା ବିଶ୍ୱ ଦରବାରରେ ନିନ୍ଦିତ ହେଲା । ଏହି ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ନା ନାହିଁ । ଏହା ଉପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉତ୍ତର ରଖନ୍ତୁ । କାରଣ ଏହା ଓଡିଶା ସମେତ ଦେଶର ସମ୍ମାନ ଉପରେ ପ୍ରଶ୍ନ ଉଠୁଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ପିସିସିର ଅନ୍ୟତମ ମୁଖପାତ୍ର ବିଭୁତି ଭୂଷଣ ମହାପାତ୍ର ଦୁଷ୍କର୍ମକୁ ନେଇ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବିଜେଡି ଶାସନରେ ଥିବାବେଳେ ଶାସକ ଦଳ ବିଜେପି ଆଇନ କାନୁନହୀନ ଶାସନ ବୋଲି ବାରମ୍ବାର କହୁଥିଲେ କିନ୍ତୁ ଆଜି ଓଡ଼ିଶାରେ ଗଣ ଦୁଷ୍କର୍ମ ଓ ନାରୀ ହିଂସା କ୍ଷେତ୍ରରେ ରେକର୍ଡ ଭାଙ୍ଗିଛି । ପ୍ରତ୍ୟେକ ଦୁଃଖଦ ଘଟଣାରେ ମୁହଁ ଖୋଲୁ ନଥିବା ମୁଖ୍ୟମନ୍ତ୍ରୀଙ୍କୁ ଚନ୍ଦ୍ରଗିରି ଘଟଣାରେ ମୁହଁ ଖୋଲିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ନିଜେ ଗୃହବିଭାଗ ଦାୟିତ୍ୱ ସମ୍ଭାଳୁଛନ୍ତି ତେଣୁ ସେ ସିଧାସଳଖ ଉତ୍ତରଦାୟୀ । ଏହି ଅଯୋଗ୍ୟ ସରକାର ପାଇଁ ଓଡିଶା ଦେଶ ବିଦେଶରେ ନିନ୍ଦିତ ହେଊଛି । ଓଡ଼ିଶାରେ ଘଟୁଥିବା ନାରୀ ହିଂସା ବିଷୟରେ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ସାଧାରଣ ଜନତାଙ୍କ ଆଗରେ ଉପସ୍ଥାପନ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବୀ କରିଥିଲେ ।