ଭୁବନେଶ୍ୱର: ‘ଓଡ଼ିଶା-ମୋ ପରିବାର’ ର ସେବାମୂଳକ କାର୍ଯ୍ୟରେ ପ୍ରୀତ ହୋଇଛନ୍ତି ବଲିଉଡ ସୁପରଷ୍ଟାର୍ ଅକ୍ଷୟ କୁମାର । ଏହାର ଗଞ୍ଜାମ ଜିଲ୍ଲା ସଂଯୋଜକ ସୁବାସ ମହାରଣାଙ୍କୁ କୃତଜ୍ଞତା ଜଣାଇ ଏକ ପ୍ରଶସ୍ତିପତ୍ର ପଠାଇବାକୁ ଭୁଲିନାହାନ୍ତି । ଘଟଣାଟି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଅନୁଯାୟୀ, ଟୁଟୁ ଭୂୟାଁ ନାମକ ଜଣେ ଓଡ଼ିଆ ବ୍ୟକ୍ତି ଅକ୍ଷୟ କୁମାରଙ୍କ ବ୍ୟକ୍ତିଗତ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ପତ୍ନୀ ଶ୍ରୀମତୀ ସଙ୍ଗୀତା ଭୂୟାଁ ଏକ ଅସ୍ତ୍ରୋପଚାର ପାଇଁ ଗତ ୬ ତାରିଖ ଦିନ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ତେବେ ମେଡ଼ିକାଲ୍ ରେ ଭର୍ତ୍ତି ହେବାର ୪/୫ ଘଣ୍ଟା ବିତିଯାଇଥିଲେ ମଧ୍ୟ ତାଙ୍କର ଚିକିତ୍ସା ସମ୍ପର୍କରେ ପରିବାର ଲୋକ କୌଣସି ଖବର ପାଇ ନ ଥିଲେ । ଏଥିରେ ମୁମ୍ବାଇରୁ ଖୋଦ୍ ଅକ୍ଷୟ କୁମାର ବ୍ୟସ୍ତ ହୋଇପଡ଼ିଥିଲେ । ସେ ନିଜେ ବିଭିନ୍ନ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ବିଫଳ ହେବା ପରେ ଓଡ଼ିଶା-ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କୁ ଟେଲିଫୋନ୍ କରି ସହଯୋଗ ଚାହିଁଥିଲେ ।
ଶ୍ରୀ ପଟ୍ଟନାୟକ ତୁରନ୍ତ ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣାଙ୍କୁ ଏ ବିଷୟରେ ଅବଗତ କରାଇବା ପରେ ସେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଯାଇ ଶ୍ରୀମତୀ ଭୂୟାଁଙ୍କୁ ଅବିଳମ୍ବେ ଠାବ କରିବା ସହ ଉତ୍ତମ ଚିକିତ୍ସା ପାଇଁ ସବୁ ପ୍ରକାର ବନେ୍ଦାବସ୍ତ କରିଥିଲେ । ଏଥିସହ ତାଙ୍କର ଅସ୍ତ୍ରୋପଚାର ସଫଳତାର ସହ ସଂପାଦନା ହୋଇଥିଲା । ଏ ବିଷୟରେ ଅକ୍ଷୟ କୁମାରଙ୍କୁ ମଧ୍ୟ ତୁରନ୍ତ ଜଣାଇ ଦିଆଯାଇଥିଲା ।
ଓଡ଼ିଶା-ମୋ ପରିବାର ପକ୍ଷରୁ ସୁବାସ ମହାରଣାଙ୍କ ଏହି ସଠିକ ଏବଂ ତ୍ୱରିତ ପଦକ୍ଷେପ ବଲିଉଡ ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କୁ ବେଶ୍ ପ୍ରଭାବିତ କରିଛି । ସେ ଏଥିପାଇଁ ଧନ୍ୟବାଦ ଜଣାଇ ଏକ ପ୍ରଶସ୍ତିପତ୍ର ପଠାଇଛନ୍ତି । ମହାମାରୀ ଜରୁରୀକାଳୀନ ସ୍ଥିତିରେ ଏଭଳି ସମୟୋଚିତ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଛନ୍ତି ।








