ଭୁବନେଶ୍ୱର: ଭାରତବର୍ଷର ଅନେକ ରାଜ୍ୟ ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ପେନସନ୍ ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଓଡ଼ିଶାରେ ଏ ପର୍ଯ୍ୟନ୍ତ ଏହା ଲାଗୁ କରାଯାଇ ପାରିନାହିଁ । ରାଜ୍ୟର ମୁଦ୍ରିତ, ବୈଦ୍ୟୁତିକ ଏବଂ ୱେବ ମିଡିଆରେ କାର୍ଯ୍ୟ କରିଥିବା ୫୮ ବର୍ଷରୁ ଉଦ୍ଧ୍ୱର୍ ସାମ୍ବାଦିକଙ୍କ ସାମାଜିକ ଏବଂ ଆର୍ଥିକ ସୁରକ୍ଷା ପାଇଁ ପେନସନ୍ ବ୍ୟବସ୍ଥା ଲାଗୁ କରିବା ନେଇ ଅବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟସ୍ତରୀୟ ସାମ୍ବାଦିକ ସଂଗଠନ ‘ଅଲ ଓଡ଼ିଶା ମିଡିଆ ଆସୋସିଏସନ’ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅନୁରୋଧ କରାଯାଇଛି ।
ଗୁରୁବାର ସନ୍ଧ୍ୟାରେ ରାଜଭବନ ଠାରେ ରାଷ୍ଟ୍ରପତିଙ୍କୁ ଆସୋସିଏସନ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ସାମ୍ବାଦିକମାନେ ବହୁ ଘାତ ପ୍ରତିଘାତ ସତ୍ତ୍ୱେ ବର୍ଷବର୍ଷ ଧରି ସମାଜକୁ ସେବା ଯୋଗାଇ ଚାଲିଛନ୍ତି । ସେମାନଙ୍କୁ ସମାଜର ଚତୁର୍ଥସ୍ତମ୍ଭ କହୁଯାଉଥିବା ବେଳେ ଏ ପର୍ଯ୍ୟନ୍ତ ସାମ୍ବିଧାନିକ ମାନ୍ୟତା ମିଳି ପାରିନାହିଁ ।
ସେହିପରି ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ସହ ଏହା ସମସ୍ତ କାର୍ଯ୍ୟରତ ଓ ଅବସରପ୍ରାପ୍ତସାମ୍ବାଦିକଙ୍କୁ ପ୍ରଦାନ କରିବା ପାଇଁ ସଂଘ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛି । ସାମ୍ବାଦକିଙ୍କୁ ଆବଶ୍ୟକ ଅବସରକାଳୀନ ସୁବିଧା ମିଳୁନଥିବାରୁ ଅନେକ ଦୟନୀୟ ଅବସ୍ଥାରେ ଶେଷ ଜୀବନ ବିତାଉଛନ୍ତି । ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ସାମ୍ବାଦିକମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବା ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରାଯାଇଛି ।