ଭୁବନେଶ୍ୱର: ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ ଆଇଆରଏସ୍ ଅଫିସର ନିଜର ସରକାରୀ କ୍ୱାର୍ଟର୍ସରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛି କମିଶନରେଟ୍ ପୁଲିସ । ଏହି ମାମଲାକୁ ଏକ ସ୍ୱତନ୍ତ୍ର ଶ୍ରେଣୀଭୁକ୍ତ କରି ଅତିରିକ୍ତ ଡିସିପି ଶ୍ରୀମତୀ ଆରତୀ ଗିରିଙ୍କ ଉପରେ ତଦନ୍ତ ଭାର ନ୍ୟସ୍ତ କରାଯାଇଛି । ସେ ଆଜି ସହିଦନଗର ଥାନାରେ ପହଞ୍ଚି ସମସ୍ତ କାଗଜପତ୍ର ନେଇଛନ୍ତି । ସେପଟେ କେନ୍ଦ୍ରୀୟ ଜିଏସଟିର ଏକ ଦୁଇଜଣିଆ ଟିମ୍ ଥାନାରେ ପହଞ୍ଚି ମାମଲାର ତନାଘନା କରିଛନ୍ତି । ଆଇଆରସି ବାବୁଙ୍କ ନାଁରେ ସମ୍ପର୍କୀୟ ଭଉଣୀଙ୍କ ପଡ଼ୋଶିନୀ ଆଣିଥିବା ଦୁଷ୍କର୍ମ ଅଭିଯୋଗ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସେମାନେ ଅନୁଧ୍ୟାନ କରିଛନ୍ତି । ତେବେ ଭୁବନେଶ୍ୱରରୁ ଅନ୍ତର୍ଦ୍ଧାନ ହୋଇଯାଇଥିବା ଅଭିଯୁକ୍ତ ଆଇଆରଏସ୍ ଅଫିସରଙ୍କ ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ସତସଙ୍ଗବିହାର ଅଞ୍ଚଳରେ ସରକାରୀ କ୍ୱାର୍ଟର୍ସରେ ରହୁଥିବା ସଂପୃକ୍ତ ଆଇଆରଏସ୍ ବାବୁଙ୍କ ବିରୋଧରେ ଆସିଥିବା ଅଭିଯୋଗଟି ବହୁତ ସଙ୍ଗୀନ । ତାଙ୍କର ଅସୁସ୍ଥ ପତ୍ନୀଙ୍କୁ ଦେଖିବା ପାଇଁ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଭୁବନେଶ୍ୱର ଆସିଥିଲେ । ଭଉଣୀ ତାଙ୍କର ପଡୋଶୀ ସାଙ୍ଗଙ୍କୁ ସାଥୀରେ ଆଣିଥିଲେ । ଗତ ୧୫ ତାରିଖରେ ବାବୁଙ୍କ ଭଉଣୀ ଓ ପତ୍ନୀ କୌଣସି କାମରେ ବାହାରକୁ ଯାଇଥିଲେ । ଅଭିଯୁକ୍ତ ବାବୁ ଓ ଭଉଣୀଙ୍କ ସାଙ୍ଗ(ପୀଡ଼ିତା) ଘରେ ଏକା ଥିଲେ । ବାବୁ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏହାପୂର୍ବରୁ ପୀଡ଼ିତାଙ୍କ ଉପରେ ବାବୁଙ୍କର ଲୋଲୁପ ଦୃଷ୍ଟି ପଡ଼ିବା ପରେ ସେ ବାଥରୁମ୍ ରେ କ୍ୟାମେରା ଖଞ୍ଜି ତାଙ୍କ ଗାଧୋଇବା ବେଳର ଫଟୋ ଓ ଭିଡିଓ ରେକର୍ଡିଂ କରି ରଖିଥିଲେ । ଏହି ଭିଡିଓକୁ ଲାପଟପ୍ ରେ ଦେଖାଇ ସେଦିନ ତାଙ୍କୁ ବ୍ଲକମେଲିଂ ଏବଂ ବଳପୂର୍ବକ ଦୁଷ୍କର୍ମ କରିଥିଲେ ।
ତେବେ ଲୋକଲଜ୍ଜାକୁ ଡରି ପୀଡ଼ିତା ଚୁପ୍ ରହିଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କ ବାରମ୍ବାର ବ୍ଲାକମେଲ୍ କରିଥିଲେ ଏବଂ ପୁରୀର ଏକ ହୋଟେଲରେ ରାତି ବିତାଇବା ପାଇଁ ଡାକିଥିଲେ । ମାତ୍ର ପୀଡ଼ିତା ମନା କରିବାରୁ ସେହି ଭିଡିଓଟି ଭାଇରାଲ୍ କରିବା ପାଇଁ ଧମକ ଦେଇଥିଲେ । ଏହାର କିଛି ସମୟ ପରେ ଇନଫୋସିଟି ଥାନା ଅଞ୍ଚଳରେ ଭିଡିଓ ଭାଇରାଲ୍ ହୋଇଥିଲା । ଏଥିରେ ପୀଡ଼ିତା ବାଧ୍ୟ ହୋଇ ଥାନାରେ ଏତଲା ଦେଲେ ।