ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ଆଜି ପ୍ରଚାର କରିଥିଲେ ବିଜେପିର ଶୀର୍ଷ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଓଡ଼ିଶାରେ ତାଙ୍କର ପୂର୍ବ ଭାଷଣକୁ ଦୋହରାଇ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଚାନ୍ଦବାଲି, କୋରେଇ ଏବଂ ନିମାପଡ଼ାରେ କର୍ମୀସଭାକୁ ସମ୍ବୋଧିତ କରି ନବୀନ ସରକାରଙ୍କ ବିରୋଧରେ ଭୀଷଣ ବର୍ଷିଥିଲେ । ଜୁନ୍ ୪ ରେ ବିଜେଡି ସରକାରର ଏକ୍ସପାରି ତାରିଖ ଏବଂ ସେଦିନ ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।
ପ୍ରଥମେ ଚାନ୍ଦବାଲି, ତାପରେ କୋରେଇ ଏବଂ ଶେଷରେ ନିମାପଡ଼ା ସଭାରେ ଭାଷଣ ଦେଇଥିଲେ ଅମିତ୍ ଶାହ । ଓଡ଼ିଶାରେ ଏଥର ଡବଲ୍ ଇଂଜିନ୍ ସରକାର ହେବ କହି କର୍ମୀଙ୍କୁ ଉତ୍ସାହିତ କରିଥିଲେ । ସେ କହିଥିଲେ, ଦେଶରେ ୬ ପର୍ଯ୍ୟାୟ ଭୋଟ୍ ସରିଲାଣି । ୫ ପର୍ଯ୍ୟାୟ ରିପୋର୍ଟ ଆମ ପାଖରେ ଅଛି । ୫ ପର୍ଯ୍ୟାୟରେ ମୋଦିଜୀ ୩୧୦ ସିଟ୍ ଜିତି ସାରିଲେଣି । ସପ୍ତମ ପର୍ଯ୍ୟାୟ ଶେଷ ସୁଦ୍ଧା ୪୦୦ ପାର୍ କରିବାକୁ ପଡ଼ିବ । ଓଡ଼ିଶାରେ ବି ମୋଦୀଙ୍କ ସରକାର ବନାଇବାକୁ ପଡ଼ିବ । ୭୫ ରୁ ଅଧିକ ସିଟ୍ ଜିତି ବିଜେପି ଡବଲ୍ ଇଂଜିନ୍ ସରକାର କରିବ । ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ବନିଯିବେ ।
ଶ୍ରୀ ଶାହଙ୍କ ଭାଷଣ ବିଜେଡି ସରକାରଙ୍କୁ ସମାଲୋଚନା ଓ ବିଜେପିର ପ୍ରତିଶ୍ରୁତିରେ ଭରିଥିଲା । କହିଥିଲେ, ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ରାଜ୍ୟ । ପାଣି ଓ ଖଣିଜ ସମ୍ପଦରେ ଭରପୂର । ହେଲେ ନବୀନ ବାବୁଙ୍କ ପାଇଁ ଓଡ଼ିଶା ଲୋକ କିନ୍ତୁ ଗରିବ । ୨୫ ବର୍ଷ ହେଲାଣି ଖଣିଜ ସମ୍ପଦକୁ ରାଜ୍ୟ ବାହାରକୁ ପଠାଉଛନ୍ତି । ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି । ନବୀନ କିଛି କରିନାହାନ୍ତି, କେବଳ କେନ୍ଦ୍ର ଯୋଜନାକୁ ନିଜ ନାଁରେ କରୁଛନ୍ତି । ଓଡ଼ିଶାର ଗରିବୀ ପାଇଁ ନବୀନ ଦୋଷୀ ।
ଅନ୍ୟପକ୍ଷରେ, ବିଜେପିକୁ ଭୋଟ ଦିଅନ୍ତୁ । ସମୃଦ୍ଧ ଓଡ଼ିଆ ବନାଇବୁ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବୁ । ୫ ବର୍ଷ ଭିତରେ ସବୁ ଯୁବବର୍ଗଙ୍କୁ ଏଇଠି ଚାକିରି ମିଳିବ । ୨ ବର୍ଷ ଭିତରେ ଦେଢ଼ ଲକ୍ଷ ଯୁବର୍ଗଙ୍କୁ ସରକାରୀ ଚାକିରି ମିଳିବ । ୧ ବର୍ଷ ମଧ୍ୟରେ ଜମି ପଟା ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ସେ କହିଥିଲେ, ପ୍ରଭୁ ଜଗନ୍ନାଥଙ୍କ ସମ୍ମାନ ସହ ଖେଳକୁ ବରଦାସ୍ତ କରିବା ଉଚିତ ନୁହେଁ । ଜଗନ୍ନାଥ ପରମ୍ପରା ଅନୁସାରେ ଜଗନ୍ନାଥ ମନ୍ଦିର ଚାଲିବା ଉଚିତ । ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ଏବଂ ଡୁପ୍ଲିକେଟ୍ ଚାବି ହୋଇଛି କି ନାହିଁ ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ଯିଏ ରତ୍ନଭଣ୍ଡାର ଚାବି ହଜାଇଛି ତାକୁ ଭୋଟ ଦିଅନ୍ତୁ ନାହିଁ ବୋଲି କହିଥିଲେ ।
ଓଡ଼ିଶାର ଅସ୍ମିତା ପ୍ରସଙ୍ଗ ଉଠାଇ ଶାହ କହିଥିଲେ, “ନବୀନ ବାବୁ ୨୫ ବର୍ଷ ହେଲାଣି କାହା ସହ ଓଡ଼ିଆରେ କଥା ହୋଇନାହାନ୍ତି । ଆଜି ଜଣେ ତାମିଲ ଅଫିସର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି । ବିଜେପିକୁ ଭୋଟ ଦିଅନ୍ତୁ । ଆପଣଙ୍କ ଜନସେବକ ଏଠି ଶାସନ କରିବେ । ଓଡ଼ିଶାର ବିକାଶ କେବଳ ନରେନ୍ଦ୍ର ମୋଦୀ ହିଁ କରିପାରିବେ ।’