ଭୁବନେଶ୍ୱର: ଓଡ଼ିଶାର ନୂତନ ମୁଖ୍ୟ ଶାସନ ସଚିବ ହେବେ ଶ୍ରୀମତୀ ଅନୁ ଗର୍ଗ । ୧୯୯୧ ବ୍ୟାଚ୍ ର ଏହି ଆଇଏଏସ୍ ଅଧିକାରୀ ତଥା ବର୍ତ୍ତମାନର ଉନ୍ନୟନ କମିସନରଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି । ରାଜ୍ୟ ପ୍ରଶାସନର ମୁଖ୍ୟ ପଦବୀରେ ସେ ହେବେ ପ୍ରଥମ ମହିଳା । ଆସନ୍ତା ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅବସର ପରେ ସେ ଦାୟିତ୍ୱ ଗ୍ରହଣ କରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅତ୍ୟନ୍ତ ଦକ୍ଷ ଆଇଏଏସ୍ ଅଫିସର ଭାବେ ଶ୍ରୀମତୀ ଗର୍ଗ ବେଶ୍ ଜଣାଶୁଣା । ଏ ପର୍ଯ୍ୟନ୍ତ ଚାକିରି କାଳ ମଧ୍ୟରେ ସେ ତାଙ୍କର ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇ ଆସୁଛନ୍ତି । ଅତିରିକ୍ତ ମୁଖ୍ୟ ସଚିବ ପଦବୀରେ ତାଙ୍କୁ ଯୋଜନା ଓ ସଂଯୋଜନ ବିଭାଗ ସହ ଉନ୍ନୟନ କମିସନର ଦାୟିତ୍ୱ ମିଳିଛି । ଉନ୍ନୟନ କମିସନର ପଦବୀରେ ସେ ମଧ୍ୟ ପ୍ରଥମ ମହିଳା ଅଫିସର । ରାଜ୍ୟ ପ୍ରଶାସନର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସହ ଜଳସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।








