ଭୁବନେଶ୍ୱର: ରାଜ୍ୟ ମହିଳା କମିଶନଙ୍କ ଦରବାରରେ ଅନୁଭବ ଓ ବର୍ଷା । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ମହିଳା କମିଶନଙ୍କ ପାଖରେ ହାଜର ହୋଇ ନିଜ ନିଜ ପକ୍ଷ ରଖିଛନ୍ତି । ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମୀନତୀ ବେହେରା ଦୀର୍ଘ ପ୍ରାୟ ତିନି ଘଣ୍ଟା ଧରି ସେମାନଙ୍କ ଝଗଡ଼ା ଶୁଣିବା ପରେ ସମାଧାନ ନେଇ ଆଶାବାଦୀ ହୋଇଛନ୍ତି । ଏହି ପାରିବାରିକ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ି ନୂତନ ଆଶା ଆଣିବ ବୋଲି ସେ କହିଛନ୍ତି ।
ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ଏହି ଟପ୍ ଷ୍ଟାର ଦମ୍ପତ୍ତିଙ୍କ ମାମଲା କୋର୍ଟରେ ଚାଲିଥିବା ବେଳେ ଗତ ୧୫ ତାରିଖ ଦିନ ବର୍ଷା ମହିଳା କମିଶନ ଅଧ୍ୟକ୍ଷାଙ୍କ ଦ୍ୱାରସ୍ଥ ହୋଇଥିଲେ । ପାରିବାରିକ ହିଂସା ଅଭିଯୋଗ ଆଣି ନ୍ୟାୟଭିକ୍ଷା କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ବେହେରା ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ବର୍ଷାଙ୍କ ସମେତ ଅନୁଭବ, ତାଙ୍କ ବାପା ଓ ମାଆଙ୍କୁ ଡିସେମ୍ବର ୨୯ ତାରିଖ ଦିନ ୧୧.୩୦ ମିନିଟ୍ ରେ ରେ ହାଜର ହେବାକୁ ନୋଟିସ୍ ଦେଇଥିଲେ ।
ଆଜି ନିର୍ଦ୍ଧାରିତ ସମୟରେ ବର୍ଷା ସେଠାରେ ପହଞ୍ଚିଥିଲେ ମଧ୍ୟ ଅନୁଭବ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆସି ପହଞ୍ଚିଥିଲେ । ଅସୁସ୍ଥତା ଯୋଗୁଁ ତାଙ୍କ ବାପା ଓ ମାଆ ଆସି ନ ଥିଲେ । ତେବେ ଅନୁଭବଙ୍କ ଆସିବା ପୂର୍ବରୁ ବର୍ଷାଙ୍କ ସହ ଦୀର୍ଘ ଦେଢ଼ଘଣ୍ଟା ଧରି ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ ଅଧ୍ୟକ୍ଷା । ଅନୁଭବ ଆସିବା ପରେ ଉଭୟ ପତି ଓ ପତ୍ନୀଙ୍କୁ ଅଧ୍ୟକ୍ଷା ଶ୍ରୀମତୀ ବେହେରା ନିଜ ଚାମ୍ବରରେ ବସାଇ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ । ଦୀର୍ଘ ପ୍ରାୟ ତିନି ଘଣ୍ଟା କାଳ ଏହି ଶୁଣାଣି ଚାଲିଥିଲା ।
ଅନୁଭବ ବାହାରକୁ ଆସିବା ପରେ ଗଣମାଧ୍ୟମ ସାମ୍ନାରେ ନିଜ ପ୍ରତିକ୍ରିୟା ରଖିଥିଲେ । କହିଥିଲେ, ବର୍ଷା ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମହିଳାଙ୍କୁ ସୁରକ୍ଷା ଦେବାକୁ ମହିଳା କମିଶନ ଉଦ୍ଦିଷ୍ଟ । ମହିଳା କମିଶନ ମୋତେ ନୋଟିସ୍ କରିଥିଲେ । ମହିଳା କମିଶନଙ୍କୁ ସମ୍ମାନ ଜଣାଇ ଆସିଥିଲି । ମୁଁ ମୋ ପକ୍ଷ ରଖିଲି । ବାପା ଅସୁସ୍ଥ ଥିବାରୁ ଆଜି ତାଙ୍କୁ ଡାକ୍ତରଙ୍କ ପାଖରେ ଦେଖାଇ ଫେରିବା ବେଳକୁ ଡେରି ହୋଇଗଲା ବୋଲି ଅନୁଭବ ଜଣାଇଥିଲେ । ତେବେ ବର୍ଷା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ ଦେଇ ଚାଲିଯାଇଥିଲେ ।
ଉଭୟ ପକ୍ଷର ଶୁଣାଣି ପରେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଛନ୍ତି, ଏହା ଗୋଟିଏ ପରିବାରିକ ମାମଲା । ଆମେ ଅନୁଭବ ଓ ବର୍ଷାଙ୍କ ସହିତ ଆଲୋଚନା କଲୁ । ଆଶା କରୁଛୁ, ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ଆମର ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ହୋଇଛି । ଏହା ନିଶ୍ଚିତ ନୂତନ ଆଶା ଆଣିବ ।
ସୂଚନାଯୋଗ୍ୟ, ଏହି ବହୁ ଚର୍ଚ୍ଚିତ ଯୋଡି ୨୦୧୪ ମସିହାରେ ବିବାହ କରିଥିଲେ । ୨୦୧୬ ପରଠାରୁ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ମାମଲା ସେମାନଙ୍କ ପରିବାରରେ ସୀମିତ ଥିଲେ ମଧ୍ୟ ଚଳିତବର୍ଷ ସେପ୍ଟେମ୍ବର ମାସରେ ତାହା ସାଂଘାତିକ ରୂପ ନେଇ ପଦାକୁ ଆସିଥିଲା । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଛାଡ଼ପତ୍ର ମାମଲା କରିଥିବା ବେଳେ ବର୍ଷା ଅନୁଭବଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟରେ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି ।
ଉଭୟ ପକ୍ଷରୁ ମାମଲା କୋର୍ଟରେ ବିଚାରାଧୀନ ଥିଲେ ମଧ୍ୟ ପତି-ପତ୍ନୀ ଥାନାରେ ଏତଲା ଦେବାଠାରୁ ଆରମ୍ଭ କରି ସୋସିଆଲ୍ ମିଡ଼ିଆରେ ବାକ୍ ଯୁଦ୍ଧ ଜାରି ରଖିଛନ୍ତି । ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ଛାଡ଼ି ପରଷ୍ପର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣୁଛନ୍ତି ।







