ଭୁୁବନେଶ୍ୱର: ବୋଲଗଡ଼-ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପିର ୫ ମଣ୍ଡଳ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଗତକାଲି ଏକ ଜରୁରୀ ବୈଠକ କରି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ପ୍ରବଳ ବିଷୋଦଗାର କରିଥିଲେ । ସଂଗଠନ ଓ କର୍ମୀଙ୍କୁ ଅଣଦେଖା କରୁଥିବା ଅପରାଜିତାଙ୍କୁ ଅଞ୍ଚଳରେ ପୂରାଇ ଦିଆଯିବନି ବୋଲି ସେମାନେ ଚେତାବନୀ ଦେବା ସହ ‘ଅପରାଜିତା ହଟାଓ, ବେଗୁନିଆ ବଞ୍ଚାଅ’ ସ୍ଲୋଗାନ୍ ଦେଇଥିଲେ ।
ସାଂସଦଙ୍କ କାର୍ଯ୍ୟଧାରା ଏବଂ ମନମାନି ବିରୋଧରେ ମଣ୍ଡଳ ସଭାପତିମାନଙ୍କ ତୀବ୍ର ପ୍ରତିକ୍ରିୟା ଏବଂ ବୟକଟ୍ ଡାକରାକୁ ନେଇ ବେଗୁନିଆ ବିଜେପି ଶିବିର ଉଚ୍ଛନ୍ନ ହେଉଛି । ଠିକ୍ ଏତିକି ବେଳେ ଅପରାଜିତା ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଇଛନ୍ତି ଏବଂ ଟୁଇଟରେ ସେୟାର୍ କରିଛନ୍ତି । ଏହି ଟୁଇଟ୍ ଜରିଆରେ ସାଂସଦ ସମ୍ଭବତଃ ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ ତମେ ସେଠି ମୋ ବିରୋଧରେ ଯେତେ ଲାଗୁଛ ଲାଗ । ମୋର କେହି କିଛି କରିପାରିବନି ।
ଦଳର ଜଣେ ବରିଷ୍ଠ ନେତାଙ୍କ ମତରେ ଅପରାଜିତାଙ୍କର ଏହା ପୁରୁଣା ଆଦତ୍ । ଅହଂକାର ତାଙ୍କୁ ଦଳୀୟ ସଂଗଠନ ଓ କର୍ମୀଙ୍କଠାରୁ ଦୂରେଇ ରଖୁଛି । ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଇ ନିଜକୁ ପ୍ରଚାର କଲେ ସଂଗଠନ ହୋଇଯିବନି ବୋଲି ସେ କଟାକ୍ଷ କରିଛନ୍ତି ।
ବୋଲଗଡ଼-ବେଗୁନିଆରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ ନୂଆ ନୁହେଁ । ଯାହା ଏବେ ସୀମା ପାର୍ କରିଛି । ସେଠାରେ ପରଷ୍ପର ବିରୋଧୀ ଡ. ଯତୀନ୍ ମହାନ୍ତି ଏବଂ ରିଷଭ ନନ୍ଦଙ୍କ ଗୋଷ୍ଠୀ ସାଂସଦଙ୍କୁ ବିରୋଧ କରୁଛନ୍ତି । କାରଣ ସାଂସଦ ହାତଗଣତି କିଛି ଅନୁଗାମୀଙ୍କୁ ଛାଡ଼ିଦେଲେ ଆଉ କାହାରି ସହ ସମ୍ପର୍କରେ ନାହାନ୍ତି । ମଣ୍ଡଳ ସଭାପତିମାନଙ୍କୁ ସେ ପଚାରୁନାହାନ୍ତି । ଦଳୀୟ କର୍ମକର୍ତ୍ତାଙ୍କୁ ଚିହ୍ନୁ ନାହାନ୍ତି । ସାଂସଦଙ୍କର ସଂଗଠନଛଡ଼ା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ନିର୍ବାଚନମଣ୍ଡଳୀରେ ସ୍ଥିତି ବିଗିଡ଼ି ଗଲାଣି । ଲୋକମାନେ ବିଜେପିଠାରୁ ମୁହଁ ଫେରାଇନେଲେଣି ବୋଲି ମଣ୍ଡଳ ସଭାପତିମାନେ ଅଭିଯୋଗ କରିଛନ୍ତି ।
ତେବେ ସାଂସଦ ନିଜ ଅଞ୍ଚଳର ଭାବାବେଗ ଓ କର୍ମୀଙ୍କ ବିରୋଧକୁ ଖାତିର ନ କରି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଇବା ଏବଂ ତାକୁ ସୋସିଆଲ୍ ମିଡ଼ିଆରେ ଛାଡ଼ି ନିଜର ଭାଉ ଦେଖାଇବାକୁ ଉଦ୍ୟମ କରିଥିବାରୁ ବେଗୁନିଆ ବିଜେପି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ସଂଗଠନଠାରୁ ନିଜକୁ ପୃଥକ୍ କରି ନିଜସ୍ୱ ସଂଗଠନରେ ମାତିଥିବା ପ୍ରଚାରଧର୍ମୀ ଅପରାଜିତାଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦିଆଯିବ ନାହିଁ ବୋଲି କିଛି କର୍ମକର୍ତ୍ତା ରୋକଠୋକ୍ ଜଣାଇଛନ୍ତି ।
ସୂଚନାଥାଉକି, ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନକୁ ନେଇ ରାଜ୍ୟ ବିଜେପିରେ ତମ୍ବିତୋଫାନ ହୋଇଥିଲା । ଲଜ୍ଜାଜନକ ପରାଜୟ ପାଇଁ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ମାତ୍ର ଏହାକୁ ଦଳର କୌଣସି ନେତା ସମର୍ଥନ କରି ନ ଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଦିଲ୍ଲୀ ଯାଇ ଜେ.ପି. ନଡ୍ଡାଙ୍କୁ ଭେଟିଥିଲେ । ସେଠି ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ଉପରେ ଆଲୋଚନା କାଳରେ ସାଂସଦ ଅପରାଜିତାଙ୍କ ମନମାନି ପ୍ରସଙ୍ଗ ଉଠିଥିଲା ।
ପରେ ପରେ ବିଧାୟକ ଦଳ ଦିଲ୍ଲୀ ଯାଇ ଓଡ଼ିଶାର ତିନି କେନ୍ଦ୍ରମନ୍ତ୍ରୀଙ୍କୁ ପୃଥକ୍ ଭାବେ ଭେଟିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାକ୍ଷାତ ବେଳେ ତାଙ୍କ ନେତୃତ୍ୱ ଉପରେ ଆସ୍ଥା ଜୁଟାଇଥିଲେ । ନିଜ ସଂସଦୀୟ କ୍ଷେତ୍ରରେ ସଂଗଠନ ସଜାଡ଼ିବାକୁ ଅପରାଜିତାଙ୍କୁ କିଏ ମନା କରିଥିଲା କି ବୋଲି ଜୟନାରାୟଣ ମିଶ୍ର ସେତେବେଳେ ଗଣମାଧ୍ୟମରେ ପ୍ରଶ୍ନ କରିଥିଲେ । ବରିଷ୍ଠ ନେତା ଖାରବେଳ ସ୍ୱାଇଁ ମଧ୍ୟ ଅପରାଜିତାଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଥିଲେ ।
ରାଜ୍ୟ ବିଜେପି ନେତାଙ୍କୁ ଜବାବ ଦେବା ପାଇଁ ସେତେବେଳେ ମଧ୍ୟ ଅପରାଜିତା ପତିଆରା ରାଜନୀତି ଖେଳିଥିଲେ । ଦଳୀୟ ନେତୃବୃନ୍ଦ ଓ ବିଧାୟକମାନେ ଦିଲ୍ଲୀରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଫଟୋ ଟୁଇଟ୍ କରିଥିଲେ । ସଭାପତି ଜେ.ପି. ନଡ୍ଡା ଏବଂ ତିନି କେନ୍ଦ୍ରମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିଥିବା ଓଡ଼ିଶା ନେତାଙ୍କ ପ୍ରତି ଏହା ସାଂସଦଙ୍କର ତାତ୍ସଲ୍ୟ ଥିଲା ବୋଲି ଚର୍ଚ୍ଚା ହୋଇଥିଲା ।