ଭୁବନେଶ୍ୱର: ଆସନ୍ତାକାଲି ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟଦିବସ ରହିଛି । ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଏଥରର ଅଧିବେଶନ ଆରମ୍ଭ ହେବ । ୨୮ ତାରିଖ ଦିନ ଗୃହରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡିସେମ୍ବର ୪, ୫ ଏବଂ ୬ ରେ ଖର୍ଚ୍ଚ ଦାବି ଆଲୋଚନା ହୋଇ ଡିସେମ୍ବର ୮ରେ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍ ଗୃହୀତ ହେବ ।
ବିଧାନସଭା ଅଧିବେଶନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଧାନସଭା ଜଗିବା ପାଇଁ ୩୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ବିମାନବନ୍ଦରରୁ ରାଜଭବନ ଏବଂ ବିଧାନସଭା ପର୍ଯ୍ୟନ୍ତ ଅତିରିକ୍ତ ୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ପଇଁତରା ମାରିବେ । ବିଧାନସଭା ଭିତରେ ଏବଂ ବାହାରେ ବନ୍ଧୁକଧାରୀ ପୁଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅଗ୍ନିଶମ ବାହିନୀ ନିୟୋଜିତ ହେବେ ।
ଚାଷୀ ସମସ୍ୟା, ଆଇନଶୃଙ୍ଖଳା, ନାରୀ ନିର୍ଯ୍ୟାତନାଠାରୁ ଆରମ୍ଭ କରି ବୁଥ୍ ରିଗିଂ ପର୍ଯ୍ୟନ୍ତ ବିରୋଧୀଙ୍କ ପାଖରେ ଏଥର ରହିଛି ମାଳ ମାଳ ପ୍ରସଙ୍ଗ । ନୂଆପଡ଼ା ଉପନିର୍ବାଚନ ପରାଜୟ ଗ୍ଲାନି ଭୁଲି ସରକାରଙ୍କୁ ଘେରିବା ପାଇଁ ସେମାନେ ପୂରା ପ୍ରସ୍ତୁତ । ସେପଟେ ନୂଆପଡ଼ା ବଡ଼ ବିଜୟରୁ ଦୃଢ଼ ମନୋବଳ ପାଇଥିବା ଶାସକ ଦଳ ପାଲଟା ଜବାବ ଦେବା ପାଇଁ ପ୍ରସ୍ତୁତ । ଶାସକ ଓ ବିରୋଧୀ ଶିବିରର ଏଭଳି ଛକାପଂଝା ଭିତରେ ସରଗରମ ହେବାକୁ ଯାଉଛି ଶୀତ ଅଧିବେଶନ ।







