ଭୁବନେଶ୍ୱର: ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ଓଡ଼ିଶାରେ ସମର୍ଥନ ମିଳିଛି । ଭୁବନେଶ୍ୱର, କଟକ ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଦୋକାନ ବଜାର ବନ୍ଦ ଥିବା ବେଳେ ବସ ଟ୍ରକ ଚଳାଚଳ ଠପ୍ ହୋଇଯାଇଥିଲା । ଟାୟାର ଜାଳି ରାସ୍ତା ଅବରୋଧ ଯୋଗୁଁ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ହାଇୱା ଗାଡ଼ିଗୁଡ଼ିକ ଲମ୍ବା ଲାଇନ୍ ରେ ଅଟକି ରହିଥିଲେ । ଦୂରାନ୍ତ ଜାଗା ଯିବା ପାଇଁ ବସ୍ କୁ ଅପେକ୍ଷା କରିଥିବା ଯାତ୍ରୀମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା । ବିଭିନ୍ନ ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନଙ୍କ ପିକେଟିଂ ଯୋଗୁଁ ରେଳ ଚଳାଚଳ ଆଶିଂକ ଭାବେ ପ୍ରଭାବିତ ହୋଇଥିଲା । ବାଲେଶ୍ୱର, ରାୟଗଡ଼ାରେ ବନ୍ଦ ପାଳନ ବେଳେ କିଛି ଅଘଟଣ ସାମନାକୁ ଆସିଥିଲେ ମଧ୍ୟ ଅନ୍ୟଆଡ଼େ ଆନ୍ଦୋଳନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା ।
ଭୁବନେଶ୍ୱରରେ ଆଜି ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ଶୋଭାଯାତ୍ରାରେ ରେଳଷ୍ଟେସନ୍ ଯାଇଥିଲେ । ସେଠାରେ ଦୀର୍ଘ ସମୟ ଧରି ପିକେଟିଂ କରିଥିଲେ । ସହରର ଅନ୍ୟ ପ୍ରମୁଖ ଛକଗୁଡ଼ିକରେ ମଧ୍ୟ ଶାନ୍ତିପୂର୍ଣ୍ଣ ପିକେଟିଂ ଦେଖିବାକୁ ମିଳିଥିଲା । ସ୍କୁଲ, କଲେଜ ଏବଂ ପ୍ରମୁଖ ଦୋକାନ ବଜାର ବନ୍ଦ ଥିଲା । ଦୁଇ ନମ୍ବର ମାର୍କେଟ୍ ବିଲଡିଂ ଶୂନଶାନ ହୋଇଯାଇଥିଲା । ଅଧା ପେଟ୍ରୋଲ୍ ପମ୍ପ ବନ୍ଦ ଥିଲା । ପୂର୍ବ ନିଦେ୍ର୍ଦଶ ମୁତାବକ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ସକାଳ ସାଢ଼େ ୯ଟା ସୁଦ୍ଧା ପହଞ୍ଚି ଯାଇଥିଲେ । ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ମୁଖ୍ୟଗେଟ୍ ୧୦ଟା ୧୫ରେ ବନ୍ଦ ହୋଇଥିଲା । ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚାରିପଟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିଲା । ଜୟଦେବ ବିହାର ଛକରେ ଆନ୍ଦୋଳନକାରୀଙ୍କ ରାସ୍ତା ଅବରୋଧ ବେଳେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସୋରରୁ ଖୋର୍ଦ୍ଧା ଯାଉଥିବା ଏକ ବରଯାତ୍ରୀ ଦଳ ସେଠାରେ ଫସିଯାଇଥିଲେ । ନିଜେ ବର ଗାଡ଼ିରୁ ଓହ୍ଲାଇ ରାସ୍ତା ଛାଡ଼ିଦେବା ପାଇଁ ଅନୁରୋଧ କରିଥିଲେ ।
କଟକରେ ବିଭିନ୍ନ ଶ୍ରମିକ ସଂଗଠନର ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଏବଂ ପିକେଟିଂ ଦେଖିବାକୁ ମିଳିଥିଲା । ଆନ୍ଦୋଳନରେ ବୀମା କର୍ମଚାରୀ ସଂଘ ସାମିଲ ହୋଇଥିଲେ । ସହରର ଅଧିକାଂଶ ଦୋକାନ ବଜାର ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଥିଲା । ପୁରୀରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ବସ୍ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ ।
ବ୍ର୍ରହ୍ମପୁର ବଡ଼ ବଜାର ଓ ସାନବଜାର ସମ୍ପୂର୍ଣ୍ଣ ବନ୍ଦ ଥିଲା । ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ରାଉରକେଲାରେ ଦୋକାନ ବଜାର ସମେତ ବିଭିନ୍ନ ବ୍ୟାଙ୍କ ଏବଂ ପେଟ୍ରୋଲ ପମ୍ପ ବନ୍ଦ ଥିଲା । ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ନୟାଗଡ଼, ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାଇରଙ୍ଗପୁରରେ ଭାରତ ବନ୍ଦର ପ୍ରଭାବ ଅନୁଭୂତ ହୋଇଥିଲା । ନୟାଗଡ଼-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଏବଂ ୧୬ ନଂ ଜାତୀୟ ରାଜପଥ ଭଦ୍ରକ ବନ୍ତ ଛକଠାରେ ରାସ୍ତା ଉପରେ ଟ୍ରକ ଗୁଡ଼ିକର ଲମ୍ବା ଧାଡ ଦେଖିବାକୁ ମିଳିଥିଲା ।
ବାଲେଶ୍ୱରରେ ବନ୍ଦର ପ୍ରଭାବ ବେଶୀ ଅନୁଭୂତ ହୋଇଥିଲା । ଦୋକାନ ବଜାର ବନ୍ଦ ଥିବା ବେଳେ ଯାତାୟତ ଠପ୍ ହୋଇଥିଲା । ରେଳଷ୍ଟେସନ୍ ଆଗରେ ଆନ୍ଦୋଳନକାରୀମାନେ ପ୍ରତିବାଦ କରୁଥିଲା ବେଳେ ଏକ ଦ୍ରୁତଗାମୀ କାର୍ ମାଡ଼ି ଆସିବାରୁ ଜଣେ ବରିଷ୍ଠ ବାମପନ୍ଥୀ ନେତା ଧକ୍କା ଖାଇ ଗୁରୁତର ଆହତ ହୋଇଛନ୍ତି । କିଛି ସମୟ ପାଇଁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସେହି ସମୟରେ ଖୋଲାଥିବା ଗୋଟିଏ ମଲ୍ ବନ୍ଦ କରିବାକୁ ଯାଇ କିଛି ଆନ୍ଦୋଳନକାରୀ ଧସେଇ ପଶିଥିଲେ । ଭିତରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି । ସେପଟେ ରାୟଗଡ଼ାର ଶିରିଗୁଡ଼ା ଛକରେ ଏକ ପୁଲିସ ଗାଡ଼ିର ବ୍ରେକ୍ ଫେଲ ହୋଇଯିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣା ଟାଳି ହୋଇଯାଇଥିଲା । ସହରରେ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ଥିଲା ।
ଶ୍ରମିକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରତିକ୍ରିୟା ଦେଇଛନ୍ତିି । ସେ କଟାକ୍ଷ କରି କହିଛନ୍ତି ଆଜିକାଲି ଯେ କେହି ବନ୍ଦ ଡାକରା ଦେଲେ ଦୋକାନ ବଜାର ବନ୍ଦ ହେବା ସ୍ୱାଭାବିକ । ଭଙ୍ଗାରୁଜା କ୍ଷତିପୂରଣ ପାଇଁ ବୀମା କମ୍ପାନୀମାନେ ମନା କରିବା ପରେ ଦୋକାନ ଖୋଲି କି ଗାଡ଼ି ଚଳେଇ କେହି ରିସ୍କ ନେବାକୁ ଚାହୁଁନାହାନ୍ତି । ତେଣୁ ଆଜି ଦୋକାନ ବଜାର ବନ୍ଦ ପଛରେ ଭାରତ ବନ୍ଦକୁ ଲୋକଙ୍କ ସମର୍ଥନ ଅଛି ବୋଲି କହିବା ଠିକ୍ ନୁହେଁ ।
ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ଡ. ଅରୁଣ ସାହୁ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ସମାଲୋଚନା କରି ବନ୍ଦକୁ ଓଡ଼ିଶାବାସୀ ସମର୍ଥନ କରିଥିବା କହିଛନ୍ତି । କଂଗ୍ରେସ ପକ୍ଷରୁ ମଧ୍ୟ ଅନୁରୂପ ପ୍ରତିକ୍ରିୟା ଆସିଛି ।