ଭୁବନେଶ୍ୱର: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା ବିସିପିପିଇଆର ପାଇଁ ଏକ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର ସଦସ୍ୟ ରାଜୀବ ଗୌବା ଏବଂ ସିଇଓ ବି.ଭି.ଆର୍. ସୁବ୍ରମଣ୍ୟମ ମଧ୍ୟ ଯୋଗଦେଇଛନ୍ତି।
ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ ଯୋଜନାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିସିପିପିଇଆର ଅଞ୍ଚଳକୁ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏହି ଅଞ୍ଚଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅଞ୍ଚଳର ସବୁ ସହରର କିଛି ନା କିଛି ନିଜସ୍ବ ସାମର୍ଥ୍ୟ ରହିଛି, ସ୍ବତନ୍ତ୍ରତା ରହିଛି। ଏହି ଅଞ୍ଚଳ ଗୁଡିକୁ ଆଧୁନିକ ଭିତ୍ତିଭୂମି ସହିତ ଯୋଡାଯିବ ଏବଂ ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରକଳ୍ପ କରାଯିବ। ମେଟାଲ ଡାଉନଷ୍ଟ୍ରିମ୍, ବାୟୋଟେକ୍, ଟେକ୍ସଟାଇଲ୍, କେମିକାଲ୍ସ, ପର୍ଯ୍ୟଟନ, ଶିକ୍ଷା ଓ ଆଇ.ଟି ପରି ୮୦ରୁ ଅଧିକ ପ୍ରକଳ୍ପର ଯୋଜନା କରାଯାଇଛି। ଏହା ସହିତ ୩୦ରୁ ଅଧିକ ପଲିସି ଇନିସିଏଟିଭ୍ ନିଆଯାଇ ଏ ସମଗ୍ର ଅଞ୍ଚଳକୁ ବିକାଶ ଓ ସମୃଦ୍ଧିର ପ୍ରୟୋଗଶାଳା କରାଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୬-୨୭ ବଜେଟ୍ରେ କେନ୍ଦ୍ର ସରକାର ସିଟି ଇକୋନୋମିକ୍ ରିଜିଅନର ପରିକଳ୍ପନା କରିଛନ୍ତି। ଏଥିରେ ବିସିପିପିଇଆର ମଧ୍ୟ ସ୍ଥାନ ପାଇଛି। ପ୍ରତ୍ୟେକ ସିଇଆରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି। ବର୍ତ୍ତମାନ ଏହି ଅଞ୍ଚଳର ଅର୍ଥନୀତି ସାରା ଓଡିଶାର ଅର୍ଥନୀତିର ୧୯ ପ୍ରତିଶତ। ୨୦୨୫ ସୁଦ୍ଧା ଏହି ଅଞ୍ଚଳର ଅର୍ଥନୀତିର ଆକାର ୨୨.୪ ବିଲିଅନ ଡଲାର ଅଛି। ୨୦୪୭ ସୁଦ୍ଧା ଏହାକୁ ୫୦୦ ବିଲିଅନ ଡଲାର କରିବାର ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ସରକାର ତଥା ନୀତି ଆୟୋଗର ସହଯୋଗରେ ରାଜ୍ୟର ଡବଲ ଇଞ୍ଜିନ ସରକାର ଏହି ଅଞ୍ଚଳକୁ ଅର୍ଥନୈତିକ କାୟାକଳ୍ପର ଏକ କେନ୍ଦ୍ରଭାବେ ବିକଶିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।
ଏହି ଇକୋନୋମିକ୍ ପ୍ଲାନ୍ ପ୍ରସ୍ତୁତ କରିଥିବାରୁ ନୀତି ଆୟୋଗର ସଦସ୍ୟ ଶ୍ରୀ ଗୌବା ଓ ସିଇଓ ଶ୍ରୀ ସୁବ୍ରମଣ୍ୟମଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଆଜିର ଏହି ଯୋଜନା ଓଡିଶାର ଭବିଷ୍ୟତ ନିର୍ମାଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଅତ୍ୟନ୍ତ ସହାୟକ ହେବ। ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଥିବା ବଡ ବଡ ସହର ମାନଙ୍କ ପାଇଁ ଏଭଳି ଯୋଜନା ପ୍ରସ୍ତୁତ କରାଯିବ। ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରଠାରୁ ରାଜ୍ୟରେ ସହରୀକରଣର ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦେଉଛନ୍ତି। ସହରୀକରଣ ବୃଦ୍ଧି କ୍ଷେତ୍ରରେ ୨୮ଟି ନୂଆ ଏନ୍ଏସି, ୭ଟି ମୁନିସ୍ପାଲ୍ଟି ଏବଂ ଗୋଟିଏ ମହାନଗର ନିଗମ ସୃଷ୍ଟି ସହରୀକରଣ କ୍ଷେତ୍ରରେ ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।
ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା କହିଥିଲେ ଯେ, ବିକଶିତ ଓଡିଶା ନିର୍ମାଣର ପ୍ରମୁଖ ସ୍ତମ୍ଭ ହେଉଛି ଏହି BCPPER ପ୍ରୋଜେକ୍ଟ। ଦେଶର ୨୦ଟି ପ୍ରମୁଖ ସହରର ଉନ୍ନତି ପାଇଁ ପ୍ରସ୍ତାବ ରହିଥିବା ବେଳେ, ପ୍ରଥମ ୫ଟି ମଧ୍ୟରେ BCPPER ସ୍ଥାନିତ ହୋଇଛି। ଏହି ରିଜିଅନର ଅଭିବୃଦ୍ଧି ହେଲେ ଏ ଅଞ୍ଚଳବାସୀଙ୍କର ମଧ୍ୟ ଅଭିବୃଦ୍ଧି ଘଟିବ। ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ । ଏହି ଯୋଜନାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।
ନୀତି ଆୟୋଗର ସିଇଓ ବି.ଭି.ଆର୍ ସୁବ୍ରମଣ୍ୟମ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରତି ଧନ୍ୟବାଦ ଜଣାଇ କହିଥିଲେ ଯେ, ଆମର ୭୦ରୁ ୮୦ ପ୍ରତିଶତ ଜିଡିପି ସହରାଞ୍ଚଳରୁ ଆସିଥାଏ। ୨୦୪୭ ସୁଦ୍ଧା ଆମ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କୁ ସହରୀକରଣରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ମୁମ୍ବାଇ, ସୁରଟ, ବିଶାଖାପଟଣା, ବାରଣାସୀ ପରେ ନୀତି ଆୟୋଗର ଏହା ହେଉଛି ପଞ୍ଚମ ଯୋଜନା। ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ବିକଶିତ ଓଡିଶା ପାଇଁ ମଧ୍ୟ ନୀତି ଆୟୋଗ ଯୋଜନା ପ୍ରସ୍ତୁତ କରିଛି। ଆମର ଏହି ଯୋଜନା କେବଳ ଓଡିଶା ପାଇଁ ନୁହେଁ ବିକଶିତ ଭାରତ ପାଇଁ ମଧ୍ୟ ସହାୟକ ହେବ ବୋଲି ସେ କହିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ପ୍ରଦାନ କରିଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।