ନବମ ଥର ପାଇଁ ଶପଥ ନେଲେ
ଭୁବନେଶ୍ୱର: କ୍ଷମତା ପାଇଁ ଜଣେ ବରିଷ୍ଠ ରାଜନେତା ନିଜ ଇଜ୍ଜତକୁ କେମିତି ବିକ୍ରି କରନ୍ତି ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପରମ ବିହାରୀ ନୀତୀଶ କୁମାର । ସେଇ କ୍ଷମତା ପାଇଁ ଏଭଳି ବିଶ୍ୱାସଘାତକ ତଥା ସୁବିଧାବାଦୀ ଚରିତ୍ରଙ୍କୁ ପୁନର୍ବାର କୋଳେଇବା ବିଜେପିର ଆଦର୍ଶ ଓ ଗାରିମାକୁ କଳୁଷିତ କରିଛି । ଭାରତବର୍ଷରେ ଏଭଳି ରାଜନୀତି ଓ ଚରିତ୍ର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି । ନୀତି ଓ ଆଦର୍ଶର ସଂହାରଲୀଳା କୋଟି କୋଟି ଭାରତୀୟଙ୍କୁ ଲଜ୍ଜିତ କରିଛି । ଏଭଳି ରାଜନୀତି ଓ ଏଭଳି ରାଜନେତାଙ୍କ ପ୍ରତି ସାଧାରଣ ଲୋକଙ୍କ ମନରେ ଘୃଣାଭାବ ସୃଷ୍ଟି ହୋଇଛି ।
ଜାତୀୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି କରିଥିବା ବିହାର ରାଜନୀତିରେ ପଟ୍ଟ ପରିବର୍ତ୍ତନ ପ୍ରକ୍ରିୟା ଗତକାଲି ଆରମ୍ଭ ହୋଇଥିଲା । ୭୨ ବର୍ଷ ବୟସ୍କ ନୀତୀଶ କୁମାର ଆଜି ସକାଳେ ସମର୍ଥକଙ୍କ ସହ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ମହାଗଠବନ୍ଧନ ପରିତ୍ୟାଗ କରି ସେ ଏନଡିଏରେ ପୁନର୍ବାର ସାମିଲ ହୋଇଥିବା କହିଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ, ନୀତୀଶଙ୍କ ସମର୍ଥନରେ ବିଜେପି ବିଧାୟକମାନଙ୍କ ଦସ୍ତଖତ ସମ୍ବଳିତ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା ।
ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୨୨ ଥିଲା ବେଳେ ନୀତୀଶ କୁମାରଙ୍କ ପ୍ରତି ୧୨୮ ବିଧାୟକଙ୍କ ସମର୍ଥନ ଯୋଗାଡ଼ ହୋଇଥିଲା । ରାଜ୍ୟପାଳ ନୀତୀଶ କୁମାରଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ ଜଣାଇ ଔପଚାରିକତା ପୂରଣ କରିଥିଲେ । ଆଜି ଅପରାହ୍ନ ୫ଟାରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ନୀତୀଶ କୁମାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ପରିବର୍ତ୍ତିତ ରାଜନୈତିକ ପାଣିପାଗ ଦେଖି ମେଣ୍ଟ ବଦଳାଇବା କ୍ଷେତ୍ରରେ ନୀତୀଶ କୁମାର ସବୁ ରେକର୍ଡ ଭାଙ୍ଗିଦେଇଛନ୍ତି । ଏଥରକୁ ମିଶାଇ ସେ ଷଷ୍ଠ ଥର ପାଇଁ ମେଣ୍ଟ ବଦଳାଇଛନ୍ତି । ଏହାପୂର୍ବରୁ ୧୯୯୪, ୨୦୦୩, ୨୦୧୩, ୨୦୧୭ ଏବଂ ୨୦୨୨ ରେ ମେଣ୍ଟ ପରିବର୍ତ୍ତନ କରିଥିଲେ । ୨୦୨୨ ଅଗଷ୍ଟରେ ସେ ଏନଡିଏ ମେଣ୍ଟରୁ ଓହରିବା ବେଳେ ବିଜେପିକୁ ଅତି କଟୁ ଭାଷାରେ ସମାଲୋଚନା କରିଥିଲେ । ବିଜେପି ସାଙ୍ଗରେ ରହି ମସ୍ତବଡ଼ ଭୁଲ୍ କରିଛନ୍ତି ଏବଂ ତାହା ଭୁଲିଯିବାକୁ ଚାହାନ୍ତି ବୋଲି କହିଥିଲେ । ଏମିତିକି ମରିଯିବି ପଛେ ବିଜେପି ପାଖକୁ ଆଉ ଫେରିବନି ବୋଲି କହିଥିଲେ ।








