ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଟୁଇଟ୍ ଉପରେ ବିଜେଡି ନେତ୍ରୀଙ୍କଠାରୁ ପ୍ରତିକ୍ରିୟା ଲୋଡ଼ି ଅପମାନିତ ହୋଇଛନ୍ତି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧି । ଦଳର ବରିଷ୍ଠ ନେତ୍ରୀ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ସଂପୃକ୍ତ ସାମ୍ବାଦିକ ପ୍ରଶ୍ନ ପଚାରିବାରୁ ସେ ବିରକ୍ତି ପ୍ରକାଶ କରିଥିଲେ । ଶ୍ରୀମୟୀଙ୍କ ନାଁ ଶୁଣୁ ଶୁଣୁ ଚିହିଁକି ଉଠିଥିଲେ । ମିଡିଆବାଲାଙ୍କୁ ଶ୍ରୀମୟୀ ଭରସା କହି ସଂପୃକ୍ତ ସାମ୍ବାଦିକଙ୍କୁ କଟାକ୍ଷ କରିଥିଲେ ।
ଆଜି ଶଙ୍ଖଭବନରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲା । ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ରାଜଶ୍ରୀ ମଲ୍ଲିକ, ବର୍ଷା ସିଂହ ବରିହା, ଲେଖାଶ୍ରୀ ସାମନ୍ତସିଂହାର, ରଞ୍ଜିତା ସାହୁଙ୍କ ସମେତ ବରିଷ୍ଠ ନେତ୍ରୀମାନେ ଯୋଗଦେଇଥିଲେ । ୨୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନର ପ୍ରସ୍ତୁତି ଏବଂ ସାଂଗଠନିକ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ତେବେ ଏହି ବୈଠକ ପୂର୍ବରୁ ଦଳରୁ ବିତାଡ଼ିତ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କର ଏକ ସୋସିଆଲ୍ ପୋଷ୍ଟକୁ ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତୁମ୍ବି ତୋଫାନ କରିଥିଲା । ବିଜେଡିରେ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନିମନ୍ତେ ଏହା ଏକ ପ୍ରାୟୋଜିତ ବୈଠକ ବୋଲି ପ୍ରଚାରିତ ହେଲା ।
ବୈଠକରେ ଯୋଗ ଦେଇଥିବା ଜଣ ଜଣ କରି ନେତ୍ରୀଙ୍କଠାରୁ ଶ୍ରୀମୟୀଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଲୋଡ଼ିଥିଲେ ସଂପୃକ୍ତ ଗଣମାଧ୍ୟମର ସାମ୍ବାଦିକ । ଏହି ପ୍ରଶ୍ନକୁ ଅନେକ ନେତ୍ରୀ ଆଡ଼େଇ ଚାଲିଯାଇଥିବା ବେଳେ ପ୍ରମିଳା ମଲ୍ଲିକ କିନ୍ତୁ ସାମନା କରିଥିଲେ । ସାମ୍ବାଦିକଙ୍କ ପାଟିରୁ ପ୍ରଶ୍ନ ବାହାରିଲା କ୍ଷଣି ଆପଣଙ୍କୁ ମିଡିଆ ବାଲାଙ୍କୁ ଶ୍ରୀମୟୀ ଭରସା ବୋଲି ତାତ୍ସଲ୍ୟ କରିଥିଲେ । କାହାକୁ କେଉଁ କଥା ପଚରାଯାଏ ସେହି ସାଧାରଣ ଜ୍ଞାନ ରହିବା ଦରକାର ବୋଲି ସେ ଇଙ୍ଗିତରେ ଜଣାଇ ଦେଇଥିଲେ । ଆମେ ଦଳ ଓ ମହିଳା ସଂଗଠନକୁ ସୁଦୃଢ଼ କରିବା ଉପରେ ଆଲୋଚନା କରୁଛୁ ବୋଲି ସେ କହିଥିଲେ ।
ସଭାନେତ୍ରୀ ଶ୍ରୀମତୀ ଛୁରିଆ କହିଥିଲେ ନବୀନ ବାବୁ ଆମର ନେତା । ସେ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ମାନିବୁ । ଶ୍ରୀମୟୀଙ୍କ ପୋଷ୍ଟ ଉପରେ ସେଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧି ପଚାରିବାରୁ ସେ ତାହାକୁ ଗୁରୁତ୍ୱ ଦେଇ ନ ଥିଲେ । ଦଳ ଭିତରେ ଯିଏ ନାହାନ୍ତି ସିଏ କାହିଁକି ଆମ ଦଳ ପାଇଁ ଉଦବିଗ୍ନ? ସେ ତାଙ୍କ ନିଜ ଘର କଥା ବୁଝନ୍ତୁ, ତାଙ୍କୁ ଆମେ ଗୁରୁତ୍ୱ ଦେଉନାହୁଁ ବୋଲି କହିଥିଲେ ।