ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ଜିତିବା ପାଇଁ ଏକଜୁଟ ହୋଇଛନ୍ତି ବିଜେଡି ନେତା ଓ କର୍ମୀ । ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜିତାଇବା ପାଇଁ ମିଳିମିଶି ସମସ୍ତେ ମଇଦାନକୁ ଓହ୍ଲାଇଛନ୍ତି । ଆସନ୍ତାକାଲି ନାମାଙ୍କନ ଦାଖଲର ଅବ୍ୟବହିତ ପୂର୍ବରୁ ଆଜି ନୂଆପଡ଼ାରେ ଦଳ ଶକ୍ତି ପ୍ରଦର୍ଶନ କରିଛି । ସବୁ ମତଭେଦ ଭୁଲି ନେତାମାନେ ଏକାଠି ହେବା ସହ ବିଜେପିକୁ ଖୋଲା ଚାଲେଂଜ ଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କର ବିଶ୍ୱାସ ଅତୁଟ ଥିବା ସେମାନେ ଦାବି କରିଥିବା ବେଳେ ଉପନିର୍ବାଚନ ଅଲବତ ଜିତିବେ ବୋଲି ଦମ୍ଭ ମାରିଛନ୍ତି ।
ବିଜେଡି ପ୍ରାର୍ଥୀ ଶ୍ରୀମତୀ ଛୁରିଆଙ୍କ ସମର୍ଥନରେ ଆଜି ନୂଆପଡ଼ାର ଶିବମନ୍ଦିରଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ହଜାର ହଜାର ସମର୍ଥକଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ରାଜ୍ୟସ୍ତରୀୟ ନେତାମାନଙ୍କ ସହ ସ୍ଥାନୀୟ ନେତାମାନେ ଭାଷଣ ଦେଇଥିଲେ । ସମସ୍ତଙ୍କର ଟାର୍ଗେଟ୍ ଥିଲା ବିଜେପି । ଗତ ୧୬ ମାସର ବିଜେପି ଶାସନରେ ନୂଆପଡ଼ା ପ୍ରତି ହୋଇଥିବା ଅବହେଳା ବିଷୟରେ ଉଲ୍ଲେଖ କରିବା ସହ ଡବଲ ଇଞ୍ଜିନରେ ଡବଲ ବିକାଶ ନୁହେଁ, ଡବଲ ବିନାଶ ହେଉଛି ବୋଲି ଆକ୍ଷେପ କରିଥିଲେ । ନୂଆପଡ଼ାର ବିକାଶ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦିବଙ୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ କାର୍ଯ୍ୟକୁ ସ୍ମରଣ କରିଥିଲେ । ତାଙ୍କର ଅବର୍ତ୍ତମାନରେ ନୂଆପଡ଼ା ବିକାଶ ଯାତ୍ରା ଆଗକୁ ନେବାକୁ ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ଛୁରିଆଙ୍କ ପାଇଁ ଭୋଟ ନିବେଦନ କରିଥିଲେ ।
ସୂଚନାଥାଉକି, ଜୟ ଢ଼ୋଲକିଆ ରାତାରାତି ବିଜେପିକୁ ଚାଲିଯିବା ପରେ ବିଜେଡି-ବିଜେପି ଡିଲ୍ ନେଇ ବହୁତ ଚର୍ଚ୍ଚା ହେଲା । ସ୍ନେହାଙ୍ଗିନୀ ଛୁରିଆଙ୍କ ଭଳି ବାହାର ଜିଲ୍ଲାର ନେତ୍ରୀଙ୍କୁ ନୂଆପଡ଼ାରେ ପ୍ରାର୍ଥୀ କରାଯିବା ଏହି ଚର୍ଚ୍ଚାକୁ ଆହୁରି ଦୃଢ଼ୀଭୂତ କଲା । ଯାହା ବିଜେଡି ନେତାମାନଙ୍କୁ ହତୋତ୍ସାହିତ କରିଥିଲା । ବିଜେଡି ପ୍ରତି ସାଧାରଣ ଜନତାଙ୍କ ମନରେ ମଧ୍ୟ ବିତୃଷ୍ଣା ଭାବ ସୃଷ୍ଟି ହେଲା । ନବୀନ ପଟ୍ଟନାୟକ ଏହାକୁ ହୃଦୟଙ୍ଗମ କରିବା ପରେ ନୂଆପଡ଼ା ଆସନ ପାଇଁ ବାଜି ଲଗାଇ ଦେଇଛନ୍ତି । ନବୀନଙ୍କ ଆଭିମୁଖ୍ୟ ଦଳୀୟ ନେତାଙ୍କ ଉତ୍ସାହକୁ ଫେରାଇ ଆଣିଛି ।
ଏହି ପରିପ୍ରେକ୍ଷୀରେ ବିଜେଡି ସଂଗଠନରେ ଚଳଚଞ୍ଚଳତା ନୂଆପଡ଼ାରେ ଦେଖିବାକୁ ମିଳିଲାଣି । ଜୟ ଢ଼ୋଲକିଆଙ୍କ ପରେ ଲମ୍ବୋଧର ନିଆଲିଙ୍କ ସମେତ ବହୁ ସରପଞ୍ଚ ଏବଂ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ମଧ୍ୟ ସାଧାରଣ କର୍ମୀ ଓ ଭୋଟରଙ୍କ ଉପରେ ଏହା ଫରକ ପକାଇପାରିନି । ସେମାନେ ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ିବାକୁ ଆଗ୍ରହ ଦେଖାଉନାହାନ୍ତି । ନେତାଙ୍କ ଦଳବଦଳ ଭୋଟରଙ୍କ ଉପରେ ବିଶେଷ ଫରକ୍ ପକାଇବାର ସମ୍ଭାବନା ଦେଖାଯାଉ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପ୍ରାଥମିକ ଆକଳନ କରିଛନ୍ତି ।
ମଇଦାନ ଜମି ଆସୁଥିଲା ବେଳେ ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହେବା ଏବଂ ଲୋକଙ୍କ ପାଇଁ ପ୍ରସ୍ତୁତ ବଳକା ଖାଦ୍ୟ ଖାଇ ୨୦ ଗାଈ ମୃତ୍ୟୁବରଣ କରିଥିବା ନେଇ ବିଜେଡିର ଅଭିଯୋଗ ଉପନିର୍ବାଚନ ତାତିକୁ ଆହୁରି ବଢ଼ାଇ ଦେଇଛି । ବିଜେଡି ଆଣିଥିବା ଏହି ସଙ୍ଗୀନ ଅଭିଯୋଗକୁ ସାମନା କରିବାରେ ବିଜେପି ଏ ପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ । ବିଜେପି ବିରୋଧରେ ମନପ୍ରାଣ ଦେଇ ଲଢ଼ିବା ପାଇଁ ବିଜେଡି ନେତା ଓ କର୍ମୀଙ୍କୁ ଏହି ପ୍ରସଙ୍ଗ ଅଧିକ ଦାନା ଦେଇଛି ବୋଲି କୁହାଯାଉଛି ।