ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଝୁମୁକାଠାରେ ଆଜି ଭୋଜିଭାତ ଆଳରେ ଏକାଠି ହୋଇଥିଲେ ବିଜେଡିର ୪୦ରୁ ଅଧିକ ନେତା । ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ହାରୁ ଓ ଅସନ୍ତୁଷ୍ଟ ନେତା । ପୁରୁଣା ବର୍ଷକୁ ବିଦାୟ ଜଣାଇବାକୁ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା ବୋଲି ମାମଲତକାରମାନେ ସଫେଇ ଦେଇଥିଲେ ମଧ୍ୟ ପ୍ରକୃତରେ ଏହା ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ଥିବା ଜଣାପଡ଼ିଛି । ନିର୍ବାଚନ ହାରିଥିଲେ ମଧ୍ୟ ମନ ସେମାନଙ୍କର ହାରି ନାହିଁ । ସେମାନଙ୍କୁ ଅଣଦେଖା କଲେ ବିପଦ ବୋଲି ବାର୍ତ୍ତା ଦେବାକୁ ଚାହିଁଛନ୍ତି ।
ଭୋଜିରେ ଉପସ୍ଥିତ ଜଣେ ପୂର୍ବତନ ବିଧାୟକଙ୍କ ସଫେଇ ଅନୁଯାୟୀ, ଆଜିର ଏହି ଆସରରେ ୧୫ ଜଣ ଯୋଗଦେବାର ଥିଲା । ମାତ୍ର ମିଡିଆକୁ ଏହା ଲିକ୍ ହୋଇଯିବାରୁ ଅନ୍ୟ ନେତାମାନଙ୍କର ଆଗ୍ରହ ବଢ଼ିଥିଲା । ସକାଳୁ ସକାଳୁ ଆୟୋଜନସ୍ଥଳରେ ଜଣଙ୍କ ପରେ ଜଣେ ନେତା ଆସି ପହଞ୍ଚିଥିଲେ । ସଂଖ୍ୟା ୪୦ରୁ ଅଧିକ ହେବ ବୋଲି ସେ କହିଛନ୍ତି । ସେମାନଙ୍କ ମଧ୍ୟରେ ଥିଲେ ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ରୁଦ୍ର ମହାରଥୀ, ମହେଶ ସାହୁ, ରଘୁନାଥ ସାହୁ, ରାଜେନ୍ଦ୍ର ସାହୁ, ଉମା ସାମନ୍ତରାୟ, ରାଜେନ୍ଦ୍ର ଦାସ, ସମ୍ବିତ ରାଉତରାୟ ପ୍ରମୁଖ ।
ଭୋଜିଭାତର ପ୍ରକୃତ ଉଦେ୍ଦଶ୍ୟ କ’ଣ ଥିଲା ବୋଲି ଆମେ ଜଣେ ହାରୁ ନେତାଙ୍କୁ ପଚାରିଥିଲୁ । ସେ କହିଥିଲେ, ଆମକୁ କେହି ଦୁର୍ବଳ ଭାବିବା ଉଚିତ୍ ନୁହେଁ । ବାସ୍ ସେତିକି କଥା । ତେବେ ଏଠାରେ କୋ÷ଣସି ରାଜନୈତିକ ଆଲୋଚନା ହୋଇନାହିଁ । ବିଜେଡିରେ ନୂଆ ରାଜନୈତିକ ସମୀକରଣ ନେଇ ମିଡିଆ ଯେଉଁ ଚର୍ଚ୍ଚା କରୁଛି ତାହା ସମ୍ପୂର୍ଣ୍ଣ ଅମୂଳକ ବୋଲି ସେ କହିଛନ୍ତି ।
ତେବେ ସେଠାରେ ଉପସ୍ଥିତ ନ ଥିବା ଦଳର ଜଣେ ବିଧାୟକ କିନ୍ତୁ କୌତୁହଳ କଥା କହିଛନ୍ତି । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ହୋଇଥିବାରୁ ସେହି ଖୁସିରେ ଦୁଇଦିନ ତଳୁ ଭୋଜିଭାତର ଯୋଜନା ହୋଇଥିଲା । ମାତ୍ର ପୁନର୍ବିଚାର ନିଷ୍ପତ୍ତି ପାଇଁ ଉଦେ୍ଦଶ୍ୟକୁ ଭଣ୍ଡୁର କରିଦେଲା ବୋଲି ସେ କହିଛନ୍ତି ।