ଭୁବନେଶ୍ୱର: କର୍ପୂର ଉଡ଼ିଯାଇଥିଲା । ଏବେ କନା ବି ରହିଲାନି । କଟକ ଜିଲ୍ଲା ବଡ଼ମ୍ବାରେ ଏହା ହୋଇଛି ବିଜେଡିର ଅବସ୍ଥା । ନବୀନ ପଟ୍ଟନାୟକଙ୍କ ନାଁ ଏବଂ ଦେବୀ ମିଶ୍ରଙ୍କ ନେତୃତ୍ୱ ଉପରୁ ଭରସା ତୁଟାଇ ବିଜେପିକୁ ଚାଲିଯାଇଛନ୍ତି ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜଣେ ଜିଲ୍ଲା ପରିଷଦ ସଦସ୍ୟ ଏବଂ ୧୨ ସରପଞ୍ଚ । ସାଧାରଣ ନିର୍ବାଚନ ପରାଜୟ ପରେ ବିଜେଡିର ନିଷ୍କ୍ରିୟତା ଏମାନଙ୍କୁ ବିଜେପି ବାଟ ଦେଖାଇଛି । ଆଗକୁ ନରସିଂହପୁର ବ୍ଲକ୍ ରେ ବି କୁଆଡ଼େ ଏଭଳି ରାଜନୈତିକ ହଟଚମଟ ଦେଖିବାକୁ ମିଳିପାରେ ।
ବିଜେଡି ହାତରୁ ଚାଲିଯାଇଛି ବଡ଼ମ୍ବା ବ୍ଲକ୍ । ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ନେତା ରଘୁପତି ମହାନ୍ତିଙ୍କ ସମେତ ୨୦ ଜଣ ସମିତି ସଭ୍ୟ, ଜଣେ ଜିଲ୍ଲା ପରିଷଦ ସଦସ୍ୟ ଏବଂ ୧୨ ଜଣ ସରପଞ୍ଚ ଆଜି ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କର ଏମାନେ ଏକାନ୍ତ ସହଯୋଗୀ ଥିଲେ ।
ଏମାନେ ବିଜେଡି ଛାଡ଼ିବେ ବୋଲି ପ୍ରାକ୍ ସୂଚନା ଥିଲା । ଗତକାଲି ହଠାତ ସେମାନେ ବଡ଼ମ୍ବାରୁ ଅନ୍ତର୍ଦ୍ଧାନ ହୋଇ ପୁରୀରେ ଏକାଠି ହୋଇଥିଲେ ଏବଂ ଭବିଷ୍ୟତ ରଣନୀତି ଚୂଡ଼ାନ୍ତ କରିଥିଲେ । ମହାପ୍ରଭୁଙ୍କ ଆର୍ଶୀବାଦ ଭିକ୍ଷା କରି ଆଜି ଭୁବନେଶ୍ୱର ବିଜେପି ମୁଖ୍ୟ କାର୍ଯ୍ୟାଳୟ ଆସିଥିଲେ ଏବଂ ପୂର୍ବ ପ୍ରସ୍ତୁତି ଅନୁଯାୟୀ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଥିଲେ ।
କେବଳ ବଡ଼ମ୍ବା ନୁହେଁ, ନରସିଂହପୁର ବ୍ଲକ୍ ବି ବିଜେଡିର ହାତଛଡ଼ା ହେବାର ଆଶଙ୍କା ଦେଖାଦେଇଛି । ବିଜେଡି ସମର୍ଥିତ ୧୧ ସରପଞ୍ଚ ଆଜି ବିଜେପିରେ ଯୋଗଦେଇଥିବା ମଧ୍ୟ ଖବର ମିଳିଛି ।
ବିଶ୍ୱସ୍ତ ମହଲର ସୂଚନା ଅନୁଯାୟୀ, ବଡମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ଗତ ଦଶହରା ସମୟରୁ ବିଜେପି ମନସ୍କ ହୋଇସାରିଥିଲେ । ନିର୍ବାଚନ ପରାଜୟ ପରେ ସେ ବିଜେଡିର ଭବିଷ୍ୟତ ନେଇ ଆଶଙ୍କାରେ ଥିବା ବେଳେ ସ୍ଥାନୀୟ ବିଧାୟକ ବିଜୟ ଦଳବେହେରାଙ୍କ ଯୋଗସୂତ୍ରରେ ଆସିଥିଲେ । ଦୋଛକିରେ ଅଟକି ଥିବା ବେଳେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ତାଙ୍କର ବିଜେପି ବାଟକୁ ସୁଗମ କରିଥିଲେ ।
ଘଟଣା ଏମିତି ଥିଲା । ଦଶହରା ବେଳେ ଅନୁଷ୍ଠିତ ଭଟ୍ଟାରିକା ମହୋତ୍ସବରେ ମୁଖ୍ୟ ଅତିଥି ଥିଲେ ବାଚସ୍ପତି ଶ୍ରୀମତୀ ପାଢ଼ୀ । ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସମେତ ୭ ଜଣ ବିଧାୟକ ଅତିଥି ଭାବେ ଯୋଗଦେଇଥିଲେ । ସଭାମଞ୍ଚରେ ବାଚସ୍ପତିଙ୍କ କାନ ପାଖରେ ସ୍ଥାନୀୟ ବିଧାୟକ କିଛି ଫୁସ୍ ଫୁସ୍ ହେଲା ପରେ ବାଚସ୍ପତି ସ୍ମିତହାସ୍ୟ ପ୍ରକାଶ କରି ବୁଢ଼ା ବାବୁ( ରଘୁପତିଙ୍କ ଡାକ ନାଁ) ଆସ ବୋଲି ସଭାମଞ୍ଚକୁ ଡାକିଥିଲେ । ବଡ଼ମ୍ବା ବ୍ଲକ୍ ପ୍ରଗତିର ଚିନ୍ତାଧାରାରେ ଆପଣ ଅଛନ୍ତି କହି ବାଚସ୍ପତି ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ଆଉ ବାଚସ୍ପତିଙ୍କ ଏହି କଥା ପଦକରେ ସେଦିନ କୃତ କୃତ ହୋଇଯାଇଥିଲେ ବୁଢ଼ା ବାବୁ ।
ବାଚସ୍ପତିଙ୍କ ପ୍ରଶଂସାଭରା ଇସାରାରେ ଉତ୍ସାହିତ ବୁଢ଼ା ବାବୁ ବିଜେପିରେ ଯୋଗଦେବା ପାଇଁ ସେହିଦିନଠାରୁ ମନସ୍ଥିର କରିସାରିଥିବା ଜଣାପଡ଼ିଛି । ତେବେ ଏକା ନୁହେଁ ପୂରା ବିଜେଡି ଟିମ୍ କୁ ସାଙ୍ଗରେ ନେଇ ଆସିବାକୁ ବିଜେପି ସମର୍ଥିତ ସ୍ଥାନୀୟ ସ୍ୱାଧୀନ ବିଧାୟକ ବିଜୟ(ମୁନା) ଦଳବେହେରା ଗୋଟିଚାଳନା ଆରମ୍ଭ କରିଥିଲେ ।
ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏକଥା ବଡମ୍ବା ରାଜନୀତି ମହଲରେ ଗୁଞ୍ଜରଣ ଖେଳି ସାରିଥିଲେ ମଧ୍ୟ ତାଙ୍କୁ ମନାଇ ଦଳରେ ରଖିବାକୁ ବିଜେଡି ପକ୍ଷରୁ ସେଭଳି କୌଣସି ଉଦ୍ୟମ ହୋଇ ନ ଥିଲା । ବିଜେଡି ଗଡଫାଦର ଦେବୀ ମିଶ୍ର ତାଙ୍କୁ ଏଥିରୁ ନିବୃତ୍ତ କରାଇବାକୁ ଉଦ୍ୟମ ନ କରିବା ସମସ୍ତଙ୍କୁ କାବା କରିଛି । ଏଥିପାଇଁ ତାଙ୍କର ଦୁର୍ବଳ ମନୋବଳକୁ ଅନେକ ଦାୟୀ କରୁଛନ୍ତି ।
ତେବେ ଏ ନେଇ ଦେବୀ ବାବୁଙ୍କ ପ୍ରତିକ୍ରିୟା ଆମେ ପାଇନାହୁଁ ।
ବଡମ୍ବା ଘଟଣାରେ କ୍ଷୋଭ ପ୍ରକାଶ କରି ବିଜେଡିର ଅନେକ ବରିଷ୍ଠ ନେତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ନାଁ ଗୋପନ ରଖିବା ସର୍ତ୍ତରେ ସେମାନେ କହିଛନ୍ତି ଯେ ନିର୍ବାଚନ ପରଠୁ ଦଳରେ ସ୍ଥାଣୁ ଅବସ୍ଥା ଲାଗି ରହିଛି । ଦଳକୁ ଚଳଚଞ୍ଚଳ କରି କର୍ମୀଙ୍କ ମନରେ ଉତ୍ସାହ ଫେରାଇ ଆଣିବା ପାଇଁ କୌଣସି କାର୍ଯ୍ୟକ୍ରମ ନାହିଁ । ନବୀନ ବାବୁ ନଭେମ୍ବରରୁ ଜିଲ୍ଲା ଗସ୍ତ କରିବେ ବୋଲି ପ୍ରଚାର ହୋଇଥିଲେ ମଧ୍ୟ ତାହା ବନ୍ଦ ରହିବା କର୍ମୀମାନଙ୍କୁ ଆହୁରି ହତାଦର କରିଛି । ଶଙ୍ଖ ଭବନରେ କିଛି ଦରମାପ୍ରାପ୍ତ ନେତାଙ୍କୁ ନେଇ ଦଳ ଚାଲେନା ବୋଲି ସେମାନେ କଟାକ୍ଷ କରିଛନ୍ତି ।
ଜଣେ ବରିଷ୍ଠ ବିଧାୟକ କହିଛନ୍ତି ଯେ ବିଜେପି ସରକାର ଉପରେ ସାଧାରଣ ଜନତା ଖୁସି ନାହାନ୍ତି । ସରକାର ଆରମ୍ଭରୁ ସ୍ଥାଣୁ ହୋଇଯାଇଛି । କୌଣସି ଉନ୍ନୟନ କାର୍ଯ୍ୟ ହେଉନାହିଁ । ବିଜେପିର ନବ ନିର୍ବାଚିତ ବିଧାୟକମାନେ ଲୋକଙ୍କ ଦ୍ୱାରା ଆଦୃତ ହୋଇପାରୁନାହାନ୍ତି । ଏହା ବିଜେଡି ପାଇଁ ଅନୁକୂଳ ହୋଇଥିଲା ବେଳେ ନବୀନ ବାବୁ କାହିଁକି ଚୁପ୍ ବସିଛନ୍ତି ତାହା ଆମେ ବୁଝିପାରୁନୁ । ଏମିତି ସ୍ଥିତି ଜାରି ରହିଲେ ବିଜେପି ଆପେ ଆଗକୁ ବଢ଼ି ଚାଲିବ ଏବଂ ବଡମ୍ବା ଭଳି ସାରା ରାଜ୍ୟରେ ବିଜେଡି ସ୍ଥିତି ଟଳମଳ ହେବ ବୋଲି ତାଙ୍କର ଆଶଙ୍କା ।
ସୂଚନାଯୋଗ୍ୟ, ବିଜେଡିର ଦୁଇଜଣ ରାଜ୍ୟସଭା ସାଂସଦଙ୍କୁ ଇତିମଧ୍ୟରେ ବିଜେପି ନିଜ ପଟକୁ ନେବାରେ ସକ୍ଷମ ହୋଇଥିଲା ବେଳେ ଆଉ ଦୁଇ ଜଣ ସାଂସଦ ବିଜେପି ସହ ଯୋଗସୂତ୍ରରେ ରହିଥିବା ଖୁବ୍ ଜୋରରେ ଚର୍ଚ୍ଚା ହେଉଛି ।







