ଭୁବନେଶ୍ୱର: ନୂଆପଡ଼ା ଜନାଦେଶ ଏକପାଖିଆ ହୋଇଛି । ବିଜେପି ଏହି ଆସନକୁ ପୋଛିନେଇଛି । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୮୩ ହଜାର ୭୪୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାଙ୍କୁ ମିଳିଛି ୧,୨୩,୮୬୯ ଭୋଟ । ଦ୍ୱିତୀୟ ସ୍ଥାନ ପାଇଁ କଡ଼ା ସଂଘର୍ଷରେ ବିଜେଡିକୁ ପଛରେ ପକାଇ ଦେଇଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮,୪୦୮ ଖଣ୍ଡ ଭୋଟ ।
ନୂଆପଡ଼ାର ଏହି ଜନାଦେଶ ସମସ୍ତଙ୍କୁ ଚକିତ କରିଛି । ଆଜି ପ୍ରଥମ ରାଉଣ୍ଡ ଗଣତିରୁ ହିଁ ବିଜେପିର ବୃହତ୍ତ ବିଜୟର ଆଭାସ ମିଳିଥିଲା । ପ୍ରଥମ ରାଉଣ୍ଡରେ ଜୟ ଢ଼ୋଲକିଆ ୩୫୪୭ ଭୋଟରେ ଆଗୁଆ ଥିଲେ । ପ୍ରତି ରାଉଣ୍ଡରେ ଏହି ବ୍ୟବଧାନ ବଢ଼ି ଚାଲିଥିଲା । ପ୍ରଥମ ୩ ରାଉଣ୍ଡରେ ବିଜେଡି ଦ୍ୱିତୀୟ ସ୍ଥାନରେ ଥିଲା ବେଳେ ଚତୁର୍ଥ ରାଉଣ୍ଡ ବେଳକୁ ବିଜେଡିକୁ ପଛରେ ପକାଇ ଦେଇଥିଲା କଂଗ୍ରେସ । ପରବର୍ତ୍ତୀ ରାଉଣ୍ଡ ଗୁଡ଼ିକରେ କେତେବେଳେ ବିଜେଡି ଆଗକୁ ଯାଇଥିଲା ତ ଆଉ କେତେବେଳେ କଂଗ୍ରେସ ଆଗକୁ ଯାଇଥିଲା । ହେଲେ ଉଭୟ ଦଳ ବିଜେପିଠାରୁ ବହୁ ପଛରେ ରହିଥିଲେ । ଜୟ ଢ଼ୋଲକିଆଙ୍କ ତଳେ ଏମାନଙ୍କର ଭୋଟ ବ୍ୟବଧାନ ଶେଷ ୨୯ ରାଉଣ୍ଡ ପର୍ଯ୍ୟନ୍ତ ଅସମ୍ଭବ ଭାବରେ ବଢ଼ି ଚାଲିଥିଲା ।
ସୂଚନାଥାଉକି, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ୬୧, ୮୨୨ ଭୋଟ ପାଇଥିଲେ । ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୫୦,୯୪୧, ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କୁ ୪୪,୮୧୪ ଏବଂ ଶରତ ପଟ୍ଟନାୟକଙ୍କୁ ୧୫,୫୦୧ ଭୋଟ ମିଳିଥିଲା । ଚଳିତ ଉପନିର୍ବାଚନରେ ମତଦାର ହାତ ପ୍ରାୟ ପୂର୍ବ ନିର୍ବାଚନ ତୁଳନାରେ ୮% ବୃଦ୍ଧି ପାଇଛି । ଏହା ସତ୍ତ୍ୱେ ବିଜେଡି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୩୮,୪୦୮ ଭୋଟ । ଗତଥର ତୃତୀୟ ସ୍ଥାନରେ ଥିବା ବିଜେପି ଏବେ କେବଳ ପ୍ରଥମକୁ ଆସିନି, ରେକର୍ଡ ସଂଖ୍ୟକ ୧,୨୩,୮୬୯ ଭୋଟ ସହ ନୂଆପଡ଼ା ଦଖଲ କରିଛି ।
ଏହି ବିଜୟକୁ ଯନ୍ତ୍ରାଦେଶ କହିଛି ବିଜେଡି । ନୂଆପଡ଼ାରେ ଇଭିଏମ୍ ରେ ଗଡ଼ବଡ଼ ସାଙ୍ଗକୁ ସରକାରୀ କଳର ବ୍ୟାପକ ଅପବ୍ୟବହାର ହୋଇଛି ବୋଲି ବରିଷ୍ଠ ନେତ୍ରୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରତିକ୍ରିୟା ଦେଇଛନ୍ତି । ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି ବୋଲି ତାଙ୍କର ଅଭିଯୋଗ ।
ଏହି ଫଳାଫଳକୁ ନେଇ ନୈରାଶ୍ୟ ଓ ଅସହାୟତା ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ଏଠି କାମ, ସାଧୁତାର ମୂଲ୍ୟ ନାହିଁ । ସବୁ ପଇସାର ଖେଳ । ପଇସା ଦେଲେ ଭୋଟ ମିଳୁଛି । ମୋର ପଇସା ଖର୍ଚ୍ଚ କରିବାର ସାମର୍ଥ୍ୟ ନ ଥିଲା । ଦଳ ପକ୍ଷରୁ ମଧ୍ୟ ସହଯୋଗ ମିଳିଲାନି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ବିଜେଡି ଓ କଂଗ୍ରେସର ଅଭିଯୋଗକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଖଣ୍ଡନ କରିବା ସହ ନୂଆପଡ଼ାବାସୀ ପରିବର୍ତ୍ତନ ଚାହୁଁଥିଲେ ବୋଲି କହିଛନ୍ତି । ସେମାନଙ୍କର ଅକୁଣ୍ଠ ସମର୍ଥନ ପାଇଁ ସେ ନୂଆପଡ଼ାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।