ଝାରସୁଗୁଡ଼ା/ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା ଲଖନପୁରର ଶରଧାରେ ମହାନଦୀରେ ଆଜି ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇଛି । ଏଥିରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ୭ ଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି । ଏହି ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଛତିଶଗଡ଼ ଖରସେନି ଅଞ୍ଚଳର । ସେମାନେ ଆମ୍ବାଭୋନା ବ୍ଲକ୍ ର ପଥରସେନିକୁ ବୁଲିବା ପାଇଁ ଯାଉଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ଘଟଣା ଖବର ପାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
ଏଥିସହ ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଘଟଣାସ୍ଥଳରେ ଆରଡିସି, ଝାରସୁଗୁଡ଼ା ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ପାଇଁ ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିଖୋଜମାନଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ ଜଣ ସ୍କୁବା ଡ୍ରାଇଭର ଓ ଦୁଇଟି ସର୍ଚ୍ଚ କ୍ୟାମେରା ବିମାନଯୋଗେ ଝାରସୁଗୁଡ଼ା ପଠାଯାଉଛି ।