ମାନ୍ୟବର ବାଚସ୍ପତି ମହୋଦୟା,
ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନର ପ୍ରଥମ ଦିନ ଫେବୃଆରୀ ୧୭ ତାରିଖରେ ମାନ୍ୟବର ରାଜ୍ୟପାଳ ତାଙ୍କର ଅଭିଭାଷଣ ଏହି ପବିତ୍ର ଗୃହରେ ଉପସ୍ଥାପନ କରିଥିଲେ । ବର୍ଷର ପ୍ରଥମ ଅଧିବେଶନ, ଯାହାକୁ ଆମେ ବଜେଟ ସେସନ ଭାବେ ଗୁରୁତ୍ୱ ଦେଇ ଭାଗ ନେଉ, ସେଥିରେ ମାନ୍ୟବର ରାଜ୍ୟପାଳ ଏକ ଭବିଷ୍ୟମୁଖୀ ଓ ଦୂରଦୃଷ୍ଟିସମ୍ପନ୍ନ ଅଭିଭାଷଣ ପ୍ରଦାନ କରିଛନ୍ତି । ଏଥିପାଇଁ ମୁଁ ମାନ୍ୟବର ରାଜ୍ୟପାଳଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ।
ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ସମ୍ପର୍କିତ ଧନ୍ୟବାଦ ପ୍ରସ୍ତାବ ଉପରେ ଏହି ପବିତ୍ର ଗୃହର ସଦସ୍ୟ ମାନେ ଆଲୋଚନା କରିଛନ୍ତି। ଆଲୋଚନାରେ ଭାଗ ନେଇଥିବା ସଦସ୍ୟମାନଙ୍କୁ ମୁଁ ଧନ୍ୟବାଦ ଦେଉଛି।
ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ବର୍ଷର ପ୍ରଥମ ଅଧିବେଶନକୁ ମାନ୍ୟବର ରାଜ୍ୟପାଳ ସମ୍ବୋଧନ କରିବାର ପ୍ରଥା ରହିଛି। ଏହି ପ୍ରଥମ ଅଧିବେଶନ ବଜେଟ ଅଧିବେଶନରୁ ଆରମ୍ଭ ହୋଇଥାଏ। ତେଣୁ, ମାନ୍ୟବର ରାଜ୍ୟପାଳ ଆସନ୍ତା ବର୍ଷରେ ରାଜ୍ୟସରକାରଙ୍କ କ’ଣ ଆଭିମୁଖ୍ଯ ହେବ, ଶାସନ-ପ୍ରଶାସନରେ ସରକାର କେଉଁ ପ୍ରକାର ସଂସ୍କାର ଆଣିବାକୁ ଯାଉଛନ୍ତି। ବିଗତ ଦିନରେ ସରକାରଙ୍କ ସଫଳତା କ’ଣ, ସେ ସବୁ ବିଷୟରେ ଆଲୋକପାତ କରିଥାନ୍ତି।
ତେଣୁ ପରମ୍ପରା ଅନୁସାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଥାଏ ଯେଉଁ ମଞ୍ଚକୁ ଉପଯୋଗ କରି ଉଭୟ ବିରୋଧୀ ଓ ଶାସକ ଦଳ ନିଜ ନିଜ ପକ୍ଷ ବିଧାନସଭାରେ ରଖିଥାନ୍ତି, ଏବଂ ବିଧାନସଭା ମାଧ୍ୟମରେ ରାଜ୍ୟବାସୀଙ୍କୁ ଜଣାଇଥାନ୍ତି। ଏହି ଆଲୋଚନାରେ ବିରୋଧିଦଳ ଅନେକ ଗଠନମୂଳକ ମତାମତ ରାଜ୍ୟବାସୀଙ୍କ କଲ୍ୟାଣପାଇଁ ଦେଇ ଥାଆନ୍ତି, ଯାହାକୁ ସରକାର ଗୁରୁତ୍ଵର ସହିତ ବିଚାର କରି ନିଜ କାର୍ଯ୍ୟକ୍ରମରେ ଯୋଡି ଥାଆନ୍ତି।
କିନ୍ତୁ, ଦୁଃଖର ବିଷୟ ବିରୋଧିଦଳର ମାନ୍ୟବର ସଦସ୍ୟମାନେ ଆଲୋଚନାରେ ବିଶେଷ ଯୋଗଦାନ ନ ରଖି, ପାଟିତୁଣ୍ଡ, ହୋ ହାଲ୍ଲା କରି ଗୃହକୁ ବାରମ୍ୱାର ଅଚଳ କରିଥିଲେ । ଗଣତାନ୍ତ୍ରିକ ପରମ୍ପରାରେ ବିରୋଧିଦଳର ପ୍ରଶ୍ନ ପଚାରିବାର ଅଧିକାର ଅଛି । କିନ୍ତୁ, ଗତ ଦୁଇ ଦିନର କାର୍ଯ୍ୟକଳାପକୁ ଦେଖିଲେ ମନେ ହୁଏ ଲୋକଙ୍କ ସ୍ଵରକୁ ବିଧାନସଭାରେ ରଖିବାକୁ ଚାହୁଁ ନାହାନ୍ତି।
କିନ୍ତୁ ସବୁଠାରୁ ପରିତାପର ବିଷୟ ଯେ, ମାନ୍ୟବର ବିରୋଧି ଦଳର ନେତାଙ୍କ ସହିତ ବିଭିନ୍ନ ବିରୋଧି ଦଳର ସଦସ୍ୟମାନେ ମଧ୍ୟ ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଚୁପ୍ଚାପ୍ କକ୍ଷ ତ୍ୟାଗ କରି ଚାଲିଗଲେ ।
କିନ୍ତୁ, ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ଆସିଲା ଯେ ମୁଖ୍ୟ ବିରୋଧିଦଳ କକ୍ଷତ୍ୟାଗ କରିବାକୁ ଚାହୁଁ ନ ଥିଲେ। କିନ୍ତୁ, ବିଧାନସଭାରେ କଂଗ୍ରେସ ଦଳର କକ୍ଷତ୍ୟାଗ ଦେଖି, କାଳେ ମୁଖ୍ୟ ବିରୋଧୀ ଦଳର ଛବି ତାଙ୍କୁ ଚାଲିଯିବ, ସେଥିପାଇଁ ଏକ ପ୍ରକାର ବାଧ୍ୟବାଧକତାରେ କକ୍ଷତ୍ୟାଗ କରିଥିଲେ। ସେମାନେ Convince ନ ଥିଲା ପରି ମନେ ହେଉଥିଲା। ଯଦି କଥା ଓ Body language ଭିତରେ ତାଳମେଳ ନ ରୁହେ, ତେବେ ତାହା ପଦାକୁ ଜଳ ଜଳ ହୋଇ ଦିଶେ, ଯାହାକି କାଲି ପ୍ରତୀୟମାନ ହେଉଥିଲା।
ତେଣୁ ବିରୋଧି ଦଳର ଏହି ଆଚରଣ ଅତ୍ୟନ୍ତ ନୈରାଶ୍ୟଜନକ। ବିଧାନସଭାକୁ ହଟ୍ଟଗୋଳ କରି ବନ୍ଦ କରିଦେଲେ, ସାଧାରଣଲୋକଙ୍କ ଠାରୁ ମୁଖ୍ୟ ବିରୋଧିଦଳର ମାନ୍ୟତା ମିଳିଯିବ ନାହିଁ। ମୋତେ ଖବର ଆସିଥିଲା ଯେ ବିରୋଧୀଦଳର କିଛି ବରିଷ୍ଠ ନେତା ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ଆଲୋଚନାରେ ଭାଗ ନେବାକୁ ନିଜ ନିଜ ଦଳପତିଙ୍କୁ ନିଜ ମନର ଭାବ ଜଣାଇଥିଲେ। ତାଙ୍କ, ପରାମର୍ଶ ଶୁଣିଥିଲେ, ହୁଏତ ଜନତା ଜନାର୍ଦ୍ଦନଙ୍କ ଆଖିରେ ଆପଣଙ୍କ ଏପରି ଦାୟିତ୍ତ୍ବହୀନତାର ଭାବ ଦେଖାଯାଇ ନ ଥାଆନ୍ତା। ଯାହାହେଉ, ଆପଣ ଏପରି ପନ୍ଥା ବାଛିଛନ୍ତି, ଜନତା ଜନାର୍ଦ୍ଦନ ଆପଣଙ୍କ ଆଚାର, ଉଚ୍ଚାରଣକୁ ବିଚାରକୁ ନେଇ ଆପଣଙ୍କ ଉପରେ ମତାମତ ଦେବେ।
ମାନ୍ୟବର ବାଚସ୍ପତି ମହୋଦୟା,
ମାନ୍ୟବର ରାଜ୍ୟପାଳ ପବିତ୍ର ଗୃହରେ ଉପସ୍ଥାପନ କରିଥିବା ଅଭିଭାଷଣକୁ ମୁଁ କହିବି, ଏହା ଏକ ଦୂରଦୃଷ୍ଟିସମ୍ପନ୍ନ, ଜନକଲ୍ୟାଣକାରୀ, ପ୍ରଗତିଶୀଳ, ବିକାଶଉନ୍ମୁଖୀ ଏବଂ ସଂସ୍କାରମୂଳକ ଅଭିଭାଷଣ। ଏହି ଅଭିଭାଷଣରେ ଆମ ରାଜ୍ୟକୁ ଏକ ସମୃଦ୍ଧ, ଶକ୍ତିଶାଳୀ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଭିଜନକୁ ଦର୍ଶାଇଛନ୍ତି। ଏହି ଦୂରଦୃଷ୍ଟି ସମ୍ପନ୍ନ ଅଭିଭାଷଣ ଆଗାମୀ ଦିନରେ ଆମ ରାଜ୍ୟ ପାଇଁ ଏକ ମାର୍ଗଦର୍ଶିକା ସଦୃଶ ହେବ। ଏଥିପାଇଁ ମୁଁ ମାନ୍ୟବର ରାଜ୍ୟପାଳଙ୍କ ଉଚ୍ଚ ପ୍ରଶଂସା କରୁଛି।
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିରୋଧୀ ଦଳଙ୍କ ମତାମତ ଉପସ୍ଥାପନ କରିବାର ବହୁ ଯଥାର୍ଥତା ଅଛି। କିନ୍ତୁ, ସେମାନେ ପାଟି ତୁଣ୍ଡ କରି ଚାଲିଗଲେ।ସେମାନଙ୍କର କେବଳ ଗୋଟିଏ ମିଶନ – ଭୋଟ ବ୍ୟାଙ୍କ ତିଆରି କରିବା। ଯେଉଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭୋଟର ମାନେ ତାଙ୍କୁ ଭୋଟ ଦେଇ ନିର୍ବାଚିତ କଲେ, ସେଥିରୁ ସେମାନେ ଦୂରେଇ ଯାଉଛନ୍ତି। ବିକାଶ ନ କରି, ୨୪ ବର୍ଷ ଧରି ସେମାନେ ଏକଛତ୍ରବାଦି ଶାସନ ଚଳାଇ ଥିଲେ। ଜନ ସାଧାରଣ ତାଙ୍କୁ ଉଚିତ୍ ଜବାବ ଦେଇଛନ୍ତି।
ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ଓଡିଶାକୁ ‘ସମୃଦ୍ଧ ଓଡିଶା’ ଏବଂ ୨୦୪୭ ସୁଦ୍ଧା ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀଜୀଙ୍କ ପରିକଳ୍ପିତ ‘ବିକଶିତ ଭାରତ’ର ଗ୍ରୋଥ ଇଞ୍ଜିନ ହେବା। କେବଳ ଘୋଷଣା ନୁହେଁ, ଏଥିପାଇଁ ଏକ ସ୍ପଷ୍ଟ ଦିଶା ନିର୍ଦ୍ଦେଶ ସହ ରୋଡ ମ୍ୟାପ୍ ବି ମାନ୍ୟବର ରାଜ୍ୟପାଳ ଉଲ୍ଲେଖ କରିଛନ୍ତି।
୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧୫୦୦ ବିଲିଅନ ଡଲାର ଅର୍ଥନୀତି ହାସଲ ଆମର ଲକ୍ଷ୍ୟ । ବର୍ଷକୁ ୯.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରି ୨୦୪୭ରେ ବାର୍ଷିକ ମୁଣ୍ଡପିଛା ଆୟ ୩୨ ଲକ୍ଷ ଟଙ୍କା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।
ବହୁମୂଖୀ ଦାରିଦ୍ର୍ୟ ହାର ୫ ପ୍ରତିଶତକୁ ଆଣିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ମୋଟାମୋଟି ଭାବେ ଏକ ସମୃଦ୍ଧ, ସଶକ୍ତ ଓ ସମାବେଶୀ ଓଡ଼ିଶା ଗଠନର ଅଭିବ୍ୟକ୍ତି ପ୍ରକାଶ ପାଇଛି ।
ସମୃଦ୍ଧ ଓଡିଶାର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ରାଜ୍ୟକୁ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ଦେବା। ଏହା କେବଳ ଏକ ପରିକଳ୍ପନା ନୁହେଁ, ଏହା କରଣୀୟ ଏବଂ ଆମେ କରିବୁ ମଧ୍ୟ। Yes, We Can. କାରଣ ଆମ ପାଇଁ ଓଡିଶାର ଜନସାଧାରଣ ହେଉଛନ୍ତି ‘ସର୍ବୋପରି’।
ମାନ୍ୟବର ବାଚସ୍ପତି ମହୋଦୟା,
ଯେଉଁ ଚାଷୀଙ୍କୁ ନେଇ ବିରୋଧୀଦଳ ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ଏତେ ତୁମ୍ବି ତୋଫାନ କରିଛନ୍ତି, ମୁଁ ସେ ବିଷୟରେ ପ୍ରଥମେ ଉତ୍ତର ରଖିବି।
ମୁଁ ପଳାୟନପନ୍ଥୀ ନୁହେଁ, ବିରୋଧି ଦଳ ଯାହା ପ୍ରଶ୍ନ ପଚାରିବେ, ମୁଁ ତାର ଉତ୍ତର ଦେବି । ଏ କଥା ଓଡିଶାର ଜନସାଧାରଣ ତଥା ଗଣମାଧ୍ୟମ ବି ଜାଣିଛନ୍ତି। ମୁଁ ସେଇ ରାଜନେତା ନୁହେଁ, କେବଳ ନିଜ ଘର କିମ୍ବା ସଚିବାଳୟର ପାହାଚରେ ଧାଡିକିଆ ଉତ୍ତର ଦିଏ।
ଓଡିଶାବାସୀ ଦେଖିଛନ୍ତି ରାଜ୍ୟସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଁ ଏକ ଖୋଲା ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲି। ମୋର ମନେ ନାହିଁ ଏପରି ଏକ ଖୋଲା ମଞ୍ଚ କେବେ ଗଣମାଧ୍ୟମ ପାଇଥିଲା ନା ନାହିଁ, ତଥାକଥିତ ୨୪ ବର୍ଷ ଶାସନ କାଳରେ।
କିନ୍ତୁ, ଓଡିଶା ବିଧାନସଭାରେ ଏକ ବିଚିତ୍ର ପରିସ୍ଥିତି। ସାଧାରଣଭାବେ ବିରୋଧୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହୋଇ ନ ପାରି, ଶାସକ ଦଳ ସୁଯୋଗ ଖୋଜନ୍ତି, କିପରି ବିରୋଧିଦଳକୁ ଚଳାଇ ନ ଦେବେ। କିନ୍ତୁ, ଏଠି ତ ପରିସ୍ଥିତି ଓଲଟା। ସରକାର ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ, କିନ୍ତୁ, ବିରୋଧି ଛତ୍ରଭଙ୍ଗ ଦେଉଛନ୍ତି।
କଂଗ୍ରେସ ଯେତେବେଳେ କକ୍ଷତ୍ୟାଗ କରୁଛି, ବିରୋଧୀ ବିଜୁ ଜନତା ଦଳ ସେତେବେଳେ କକ୍ଷତ୍ୟାଗ କରୁଛି। ଏହା ବଡ଼ ଆଶ୍ଚର୍ଯ୍ୟ କଥା। ମୀନ ଯେପରି ଜଳରୁ ବାହାରି ଛଟପଟ ହୁଏ, ଏମାନେ ସେପରି ହେଉଛନ୍ତି। ଧୈର୍ଯ୍ୟ ନାହିଁ। ବିରୋଧୀ ଦଳକୁ ମୋର ଅନୁରୋଧ, ଆପଣମାନେ ସମାଲୋଚନା କରନ୍ତୁ, ପ୍ରସ୍ତାବ ଦିଅନ୍ତୁ। ସରକାର ଆପଣଙ୍କ କଥା ଶୁଣିବେ।
କନ୍ୟାଦାନ ଯୋଜନା ଆମେ ବଜେଟରେ ରଖିଥିଲୁ । ବଜେଟ ପାଇଁ ସାଧାରଣ ଲୋକଙ୍କ ପ୍ରସ୍ତାବ ନିଆଯାଇଥିଲା। ସେମାନଙ୍କ ପ୍ରସ୍ତବରୁ ହିଁ, ଏହି ଯୋଜନା କାର୍ଯ୍ୟକାରୀ ହୋଇଛି।
ବିରୋଧୀ ଦଳର ପ୍ରସ୍ତାବ ଗ୍ରହଣ କରିବା ପାଇଁ ଆମେ ready, କିନ୍ତୁ ସେମାନେ ପ୍ରସ୍ତାବ ଦେବା ପାଇଁ ready ନାହାନ୍ତି।
ତାଙ୍କ ଅମଳରେ ଚାଷୀର ଆୟ କଥା ଟିକେ ଲୋକଙ୍କୁ ଜଣାଇ ଦେଇଥିଲେ ଭଲ ହୋଇ ଥାଆନ୍ତା। ସରକାରୀ ତଥ୍ୟ ଅନୁସାରେ ୨୪ ବର୍ଷର ସରକାରଙ୍କ ସମୟରେ ଓଡିଶାର ଚାଷୀଙ୍କ ଆୟ ସାରା ଭାରତରେ ଶେଷଆଡୁ ଥିଲା ଦ୍ଵିତୀୟ, ମାସିକ ଆୟ ଥିଲା ମାତ୍ର ୫ ହଜାର ୧୧୫ ଟଙ୍କା। ଏ କଥା ସେମାନେ ଭୁଲି ଯାଉଛନ୍ତି, ତେଣୁ ବାରମ୍ବାର ତାଙ୍କୁ ମନେ ପକାଇବାକୁ ପଡେ।
ଯେଉଁମାନେ ଆଜି ସରକାରଙ୍କ ଇନ୍ପୁଟ ସବସିଡି ବିଷୟରେ ପ୍ରଶ୍ନ ଉଠାଉଛନ୍ତି, ସେମାନେ ବୋଧେ ଭୁଲି ଯାଉଛନ୍ତି, ସେମାନେ ବରଗଡର ସୋହେଲା ଠାରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବାପାଇଁ ଘୋଷଣା କରିଥିଲେ, ବୋଧେ ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ। କିନ୍ତୁ, ହିନ୍ଦୀରେ ଗୋଟିଏ ଢଗ ଅଛି, ‘ରାତ ଗୟୀ, ବାତ୍ ଗୟୀ’। ‘ତମାସା ଖତମ, ପୈସା ହଜମ’ ନ୍ୟାୟରେ ପୁରା ଭୁଲିଗଲେ।