Wednesday, March 11, 2026 02:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସମ୍ବାଦ ସ୍ୱନକ୍ଷତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

by Our Correspondent
04 Oct, 2025- 11:41 PM
in Latest News, News
1 min read
0
ସମ୍ବାଦ ସ୍ୱନକ୍ଷତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର: ଆଜି ଓଡିଶାର ପ୍ରସିଦ୍ଧ ଖବରକାଗଜ ‘ସମ୍ବାଦ’ ଏବଂ ଅଗ୍ରଣୀ ଓଡିଆ ନ୍ୟୁଜ୍ ଚ୍ୟାନେଲ୍ ‘କନକ ନ୍ୟୁଜ’ର ସ୍ୱ-ନକ୍ଷତ୍ର ଦିବସ । ସମ୍ବାଦ ଗ୍ରୁପ୍ ପରିବାର ପାଇଁ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ତଥା ଖୁସି ଓ ଆନନ୍ଦର ଦିନ। ଏହି ଅବସରରେ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଏଡିଟର ତନୟା ପଟ୍ଟନାୟକଙ୍କୁ ମୋର ଅଭିନନ୍ଦନ ଜଣାଉଛି। ସମ୍ବାଦ ଗ୍ରୁପ୍ ସହିତ ଜଡିତ ସମସ୍ତ ରିପୋର୍ଟର, ଅଧିକାରୀ, କର୍ମଚାରୀ, ଶୁଭେଚ୍ଛୁ ଏବଂ ପାଠକ ଓ ଦର୍ଶକମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି।

ସମ୍ବାଦ, ଓଡିଶାର ଖବରକାଗଜ ଇତିହାସର ଏକ ମାଇଲଖୁଣ୍ଟ। ସମ୍ବାଦପତ୍ରର ଯାତ୍ରାରେ ପୁରାତନ ଯୁଗରୁ ନୂତନ ଯୁଗକୁ ପରିବର୍ତ୍ତନର ବାର୍ତ୍ତାବହ। ମର୍ଣିଙ୍ଗ୍ ଏଡିସନ୍, କଲର ପ୍ରିଣ୍ଟିଙ୍ଗ୍, ଅଫସେଟ୍ ପ୍ରିଣ୍ଟିଙ୍ଗ୍ ଆଦି ଅନେକ ନୂତନତ୍ୱ ସହିତ ସମ୍ବାଦ ଯେତେବେଳେ ୧୯୮୪ରେ ପ୍ରକାଶିତ ହେଲା, ସେତେବେଳେ ଏହା ପ୍ରଥମରୁ ହିଁ ପାଠକମାନଙ୍କ ପାଇଁ ଆକର୍ଷଣର ଏକ କେନ୍ଦ୍ର ହୋଇପାରିଥିଲା।

ମୋର ମନେ ଅଛି, ସେତେବେଳେ ପ୍ରାୟ ଡାକ ସଂସ୍କରଣ ଯାହାକୁ ଡାକ ଏଡିସନ କୁହାଯାଉଥିଲା, ତାହା ଚଳଣି ଥିଲା। ଅର୍ଥାତ, ସନ୍ଧ୍ୟା ସୁଦ୍ଧା ତା’ ପରଦିନର ଖବରକାଗଜ ମୁଦ୍ରିତ କରି ବିଭିନ୍ନ ଜାଗାକୁ ପଠା ଯାଉଥିଲା। କିନ୍ତୁ, ଯେତେବେଳ ସୌମ୍ୟବାବୁ ସକାଳ ସଂସ୍କରଣ ଆଣିଲେ, ପ୍ରଥମେ ତାଙ୍କର ବିରୋଧୀ ଏବଂ ପ୍ରତିଦ୍ଵନ୍ଦୀ ଥଟ୍ଟା କରୁଥିଲେ। ସେ ଅନେକ ବାର ଏ କଥା ସେତେବେଳେ ବିଭିନ୍ନ ସଭା ସମିତିରେ କହିଛନ୍ତି। ସେ କହୁଥିଲେ, ମୁଁ ପାଠକଙ୍କୁ ବାସୀ ଖବର ଦେବି ନାହିଁ। ତେଣୁ, ସେ ଯେଉଁ ମଣିଙ୍ଗ ଏଡିସନ ଆଣିଲେ ବୋଧହୁଏ ରାତି ତିନିଟା ପର୍ଯ୍ୟନ୍ତ ଖବର ସକାଳେ ଲୋକେ ପଢିପାରୁଥିଲେ।

ଆପଣମାନେ ଜାଣିଥିବେ ଅନ୍ତର୍ଜାତୀୟ ଖବର, ଖେଳ, ବ୍ୟବସାୟ ଖବର ସନ୍ଧ୍ୟା ଆଠଟା ପରେ ହିଁ ଆସିଥାଏ। ତେଣୁ, ସେତେବେଳେ ସମ୍ବାଦ ଏକମାତ୍ର ଦୈନିକ ଖବରକାଗଜ ଭାବେ ଏହାକୁ ପରିବେଷଣ କରିବାକୁ ସମର୍ଥ ହେଉଥିଲା। ଯେତେବେଳେ ଅନ୍ୟମାନେ ତାଙ୍କୁ ପ୍ରଶ୍ନ କରୁଥିଲେ, ସେ କହୁଥିଲେ ‘ଅମଡା ବାଟରେ ଚାଲି ହିଁ ନିଜକୁ ଭିନ୍ନ ଓ ଅନନ୍ୟ କରିପାରିବ।

ସ୍ରୋତ ବିରୁଦ୍ଧରେ ପହଁରି ଯେଉଁ ସଫଳତା ମିଳେ ତାହା ହିଁ ପ୍ରକୃତ ସଫଳତା।‘ ଭୁବନେଶ୍ବର ଓ କଟକ ବାହାରେ ଏହି ସକାଳ ଏଡିସନକୁ କାର୍ଯ୍ୟକ୍ଷମ କରିବା ପାଇଁ ଆଞ୍ଚଳିକ ସଂସ୍କରଣ ବି ବାହାର କରାଗଲା, ଯାହା ବି ବୋଧହୁଏ ଓଡ଼ିଶାର ଖବରକାଗଜ ଇତିହାସରେ ପ୍ରଥମ।

ସେତେବେଳ ସବୁ ଦୈନିକ ଆଠ ପୃଷ୍ଠାରେ ବାହାରୁଥିଲା। କିନ୍ତୁ, ସମ୍ବାଦ ବୋଧହୁଏ ପ୍ରଥମ ଖବରକାଗଜ ଯାହା ପ୍ରଥମେ ୧୨ ପୃଷ୍ଠା ଓ ପରେ ୧୬ ପୃଷ୍ଠାକୁ ପରିବର୍ଦ୍ଧିତ କରିଥିଲା।

ଆଜି ୪୧ ବର୍ଷ ପରେ ମଧ୍ୟ ସମ୍ବାଦ ଓଡିଶାର ସବୁଠାରୁ ପ୍ରତିଷ୍ଠିତ ଖବରକାଗଜମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ସ୍ଥାନ ହାସଲ କରିପାରିଛି।

ଦିନକୁ ଦିନ ଲୋକଙ୍କ ପାଖରେ ଏହାର ବୈଶିଷ୍ଟ୍ୟ ଓ ପାଠକୀୟ ଆଦର ବଢି ଚାଲିଛି। ଏହା ସହିତ କନକ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟ ଏକ ବିଶ୍ୱସନୀୟ ଚ୍ୟାନେଲ୍ ଭାବରେ ଦର୍ଶକମାନଙ୍କ ପ୍ରିୟଭାଜନ ହୋଇପାରିଛି। ସାମାଜିକ ଗଣମାଧ୍ୟମର ବହୁଳ ପ୍ରସାର ବି ଏହାର ଆଦରକୁ କମ କରି ନହିଁ, ଯାହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଏହାର ଅର୍ଥ ହେଉଛି, ‘କଣ୍ଟେଣ୍ଟ ଇଜ କିଙ୍ଗ’ (Content is King).

ଏହି ସଫଳତା ଏତେ ସହଜରେ ଆସିନାହିଁ। ଏହା ପଛରେ ସୌମ୍ୟବାବୁଙ୍କ ଅନେକ ସଂଗ୍ରାମ ରହିଛି, ଅହରହ ପରିଶ୍ରମ ରହିଛି ଏବଂ ଅସୀମ ତ୍ୟାଗ ରହିଛି। ନୂଆ ଟେକ୍‌ନଲୋଜିର ବ୍ୟବହାର କରିବା, ନୂଆ ନୂଆ ଯୁବକ ଯୁବତୀମାନଙ୍କୁ ସାମ୍ବାଦିକତା କ୍ଷେତ୍ରକୁ ଆଣି ସେମାନଙ୍କୁ ପ୍ରଶିକ୍ଷଣ ଦେବା ଆଦି ଅନେକ ଦାୟିତ୍ୱକୁ ସେ ସଫଳତାର ସହ ନିର୍ବାହ କରିଛନ୍ତି। ଆଜି ଓଡିଶାର ଅନେକ ପ୍ରତିଷ୍ଠିତ ସାମ୍ବାଦିକମାନଙ୍କର ଏନ୍ତୁଡିଶାଳ ହେଉଛି ସମ୍ବାଦ।

ଆଜି ସମ୍ବାଦ ଗ୍ରୁପ୍ ଓଡିଶାର ଗଣମାଧ୍ୟମ କ୍ଷେତ୍ରରେ ଏକ ବିଶାଳ ବରଗଛ ପରି ଏହାର କାୟା ବିସ୍ତାର କରିପାରିଛି। ଏହାର ସମସ୍ତ ଶ୍ରେୟ ନିଶ୍ଚିତ ଭାବରେ ସୌମ୍ୟବାବୁଙ୍କର।

କୁହାଯାଏ, ସମ୍ବାଦ ପତ୍ର ହେଉଛି ସମାଜର ଦର୍ପଣ । ସମାଜରେ ଯାହା ଘଟୁଥାଏ, ପରିବର୍ତ୍ତନ ପାଇଁ ଲୋକଙ୍କ ଆଶା ଓ ଆକାଂକ୍ଷା…… ଏ ସବୁ ସମ୍ବାଦ ପତ୍ର ବା ଗଣମାଧ୍ୟମରେ ପ୍ରକାଶିତ ହୋଇଥାଏ । ସ୍ୱାଧୀନତା ପୂର୍ବରୁ ଦେଶରେ ଏବଂ ଆମ ରାଜ୍ୟରେ ଯେଉଁ ସବୁ ସମ୍ବାଦପତ୍ର ପ୍ରକାଶ ପାଉଥିଲା, ସେ ସବୁର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶର ସ୍ୱାଧୀନତା ।

ବ୍ରିଟିଶ୍ ସରକାରର ଅନ୍ୟାୟ, ଅତ୍ୟାଚାର ବିରୋଧରେ ଲେଖିବା, ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଆନ୍ଦୋଳନ ଓ ସେମାନଙ୍କ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଥିଲା ସେତେବେଳର ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ ।
ଭାରତର ପ୍ରଥମ ସମ୍ବାଦପତ୍ର ‘The Bengal Gazzette ଠାରୁ ଆରମ୍ଭ କରି ଓଡ଼ିଶାର ପ୍ରଥମ ସମ୍ବାଦ ପତ୍ର ଉତ୍କଳ ଦୀପିକା ଏହି ବିଚାରଧାରାରେ ଉଦ୍‌ବୁଦ୍ଧ ଥିଲେ। ଆପଣମାନ ସମସ୍ତେ ଜାଣିଥିବେ, Bengal Gazette ଜଣେ ଆଇରିସ୍ ନାଗରିକ, ଯାହାଙ୍କୁ ବ୍ରିଟିଶମାନଙ୍କର ସମର୍ଥକ ଭାବେ ଧରାଯାଏ।

ତାଙ୍କର ଖବରକାଗଜ ଦୁଇ ବର୍ଷ ଭିତରେ ବ୍ରିଟିଶ ସରକାର ବନ୍ଦ କରି ଦେଇଥିଲେ। ସ୍ବାଧୀନତା ପରେ ଭାରତରେ ଏମିତି ଏକ ସମୟ ଆସିଥିଲା, ଜରୁରୀକାଳୀନ ପରିସ୍ଥିତି। ତଥାପି ସେ ସମୟରେ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗେଇ ଗଣତନ୍ତ୍ରର ସୁରକ୍ଷା ତଥା ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଯେଉଁ ସାମ୍ବାଦିକତା କରି ଯାଇଛନ୍ତି, ତାହା ଆଜିର ପ୍ରତ୍ୟେକ ଯୁବ ସାମ୍ବାଦିକଙ୍କ ପାଇଁ ଉଦାହରଣ ହେବା ଉଚିତ।

କୁହାଯାଏ, ଗଣମାଧ୍ୟମ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସରକାରଙ୍କୁ ଆଇନା ଦେଖାଇବା, ଲୋକଙ୍କ ସାଧାରଣ ସମସ୍ୟାକୁ ତଥ୍ୟ ସହିତ ସରକାରଙ୍କ ନଜରକୁ ଆଣିବା ହେଉଛି ତାଙ୍କର ମୁଖ୍ୟ ଦାୟିତ୍ବ। ସୌମ୍ୟବାବୁ ଯେଉଁ ଦଳର ସମର୍ଥକ କିମ୍ବା ସଭ୍ୟ ଥାଆନ୍ତୁ ନା କାହିଁକି, ସରକାରଙ୍କୁ ପ୍ରଶ୍ନ ପଚାରିବାରେ କୌଣସି କାର୍ପଣ୍ୟତା କରିନାହାନ୍ତି।

ସରକାରଙ୍କୁ ଲୋକଙ୍କ ସ୍ବାର୍ଥକୁ ନେଇ ଓଡିଆଙ୍କ ସ୍ବାର୍ଥକୁ ନେଇ ତେରେଛା ବାଣ ମାରିବାରେ କେବେହେଲେ ସୌମ୍ୟବାବୁ ସଙ୍କୋଚ କରି ନାହାନ୍ତି। ଏହା ହେଉଛି ପ୍ରକୃତ ସାମ୍ବାଦିକତା।

ମୁଁ ଅନ୍ୟ କାହା କହିପାରିବି ନାହିଁ, କିନ୍ତୁ ଗୋଟିଏ ସ୍ତମ୍ଭ ବାହାରୁ ଥିଲା ସ୍ବର୍ଗୀୟ ମହତାବ ବାବୁଙ୍କ ‘ଗାଁ ମଜଲିସ’। ୨୦୦୦ ଦଶକରେ ଆରମ୍ଭ ହୋଇଥିଲା ‘ପ୍ରଥମ ପୃଷ୍ଠା ସମ୍ପାଦକୀୟ’, ଯାହାର ନାଁ ଥିଲା, ‘ଆମ ଘରର ହାଲ ଚାଲ’। ଯେତେବେଳେ ସୌମ୍ୟ ବାବୁଙ୍କ ‘ଆମ ଘରର ହାଲଚାଲ’ ବାହାରୁଥିଲା, କିଛି ନେତାଙ୍କ ହାଲ ନିଶ୍ଚିତ ଭାବେ ବିଗିଡି ଯାଉଥିଲା।

ମୁଁ ଗୋଟିଏ ବ୍ୟକ୍ତିଗତ ଅନୁଭୂତି କଥା କହିବି। ମୋର ଜଣେ ଉଚ୍ଚ ଶିକ୍ଷିତ ବନ୍ଧୁ ଥିଲେ, public lifeରେ ସେ ଜଣେ ସମ୍ପନ୍ନ ବ୍ୟକ୍ତି। କିନ୍ତୁ ସୌମ୍ୟ ବାବୁଙ୍କ ଜଣେ ଘୋର ସମାଲୋଚକ। ମୁଁ ଦିନେ ତାଙ୍କ ଘରକୁ ଯାଇଥିଲି, ଦୁଇଗୋଟି ଖବର କାଗଜ ସହିତ ତାଙ୍କ ଚା’ ଟେବୁଲରେ ସମ୍ବାଦ ଖଣ୍ଡେ ପଡିଥିଲା। ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲି ଯେ ‘ଆପଣଙ୍କ ଘରେ ଲଙ୍କାରେ ହରି ଶବ୍ଦ, ସମ୍ବାଦ କିପରି ଆପଣଙ୍କ ଘରକୁ ଆସିଲା’। ସେ କହିଲେ, ‘ ମୁଁ ସମ୍ବାଦକୁ ଭଲପାଏ ନାହିଁ, କିନ୍ତୁ ମୁଁ ପଢିବାକୁ ଚାହେଁ ଆଜି ସୌମ୍ୟ ପଟ୍ଟନାୟକ କେତେ ନେତା ଓ ଅଫିସରଙ୍କ ବିରୁଦ୍ଧରେ ଲେଖିଛି’। ମୁଁ କିଛି କହିଲି ନାହିଁ, କେବଳ ଟିକିଏ ହସିଦେଲି । ମନକୁ ମନ କହିଲି, ସୌମ୍ୟବାବୁ ତାଙ୍କର କାର୍ଯ୍ୟ ଠିକ୍‌ ଭାବରେ ନିଭାଉଛନ୍ତି।

ତେଣୁ, କୁହାଯାଏ ଦାୟିତ୍ଵ ସମ୍ପନ୍ନ ଖବର କାଗଜ କେବେହେଲେ ସରକାରଙ୍କ ବନ୍ଧୁ ନୁହନ୍ତି, ସେମାନେ ହେଉଛନ୍ତି ଗଣତନ୍ତ୍ର ଏବଂ ସାଧାରଣ ଜନତାଙ୍କ ପ୍ରକୃତ ବନ୍ଧୁ।

ବର୍ତ୍ତମାନ ଦେଶ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି। ଦେଶ ଆଭ୍ୟନ୍ତରୀଣ ତଥା ଆନ୍ତର୍ଜାତିକ ସ୍ତରରେ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଗତ କିଛି ମାସ ତଳେ ପେହେଲଗାମ ନାରକୀୟ ଗଣହତ୍ୟା ଏବଂ ତା ପରେ ଅପରେଶନ ସିନ୍ଦୁର ଘଟି ଯାଇଛି। ସୌଭାଗ୍ୟର କଥା ଯେ ଏହି ସମୟରେ ଦେଶର ନେତୃତ୍ବ କରୁଛନ୍ତି ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ। ଅନ୍ୟଥା, ଆମେ ବିଗତ ଦିନରେ ଏପରି ଆତଙ୍କବାଦୀ ଆକ୍ରମଣ ପରେ ସେ ସମୟରେ ଥିବା ନେତୃତ୍ବଙ୍କ ପଦକ୍ଷେପ ବିଷୟରେ ଜାଣିଛୁ।

ବହୁତ ଦୂର କୁ ଯିବା ଦରକାର ନାହିଁ, ୨୬/୧୧ (ମୁମ୍ବାଇ ଛବିଶ-ଏଗାର) ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ସେ ସମୟର ସରକାର କି ପ୍ରକାର ପଦକ୍ଷେପ ନେଲେ, ଏବଂ ଦେଶ କ’ଣ ଆଶା କରୁଥିଲା ତାହା କାହାକୁ ଅଛପା ନାହିଁ।

ଗତ ଏଗାର ବର୍ଷରେ ଭାରତ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସବୁ କ୍ଷେତ୍ରରେ ଅସାଧାରଣ ଭାବେ ପ୍ରଗତି କରିଛି।

ଗତ ୧୧ ବର୍ଷରେ ଅର୍ଥନୈତିକ ବିକାଶର ଚିଠା ବହୁତ ଲମ୍ବା। କିନ୍ତୁ, ସାଧାରଣ ଲୋକଙ୍କ ପାଇଁ ଯେଉଁ ପଦକ୍ଷେପ ନିଆ ଯାଇଥିଲା, ତାହା କାହିଁକି ସ୍ବାଧୀନତାର ପ୍ରଥମ ୬୭ ବର୍ଷରେ ନିଆଯାଇ ପାରିଲା ନାହିଁ। ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା କେବଳ ଧନୀ ଓ ସମ୍ଭ୍ରାନ୍ତ ଲୋକଙ୍କ ପାଇଁ ଥିଲା।

କିନ୍ତୁ, ଜନଧନ ଯୋଜନା ମାଧ୍ୟମରେ ଆଜି ଦେଶର ପ୍ରତ୍ୟେକ ପରିବାର ପାଖରେ ଗୋଟିଏ ଲେଖାଏଁ ବ୍ୟାଙ୍କ ପାସ୍‌ ବୁକ ଅଛି ଯେଉଁଥିରେ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ପ୍ରକାର ଆର୍ଥିକ ସହାୟତା ପାଉଛନ୍ତି। ଯଦି ଟଙ୍କାଟେ ଦିଲ୍ଲୀରୁ ମୋଦୀ ଜୀ ପଠାଉ କହନ୍ତି, କି ଆମ ରାଜ୍ୟ ସରକାର ଭୁବନେଶ୍ବରରୁ ପଠାଉଛନ୍ତି, ତେବେ ହିତାଧିକାରୀକୁ ମିଳୁଛି ପୁରା ଟଙ୍କାଟିଏ।

କିନ୍ତୁ, ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ କ୍ଷୋଭର ସହିତ କହିଥିଲେ ‘ଯଦି ମୁଁ ଦିଲ୍ଲୀରୁ ଟଙ୍କା ଟିଏ ପଠାଉଛି, ତେବେ ଲୋକଙ୍କ ପାଖରେ ପହଞ୍ଚୁଛି ମାତ୍ର ୧୫ ପଇସା, ବାକି ସବୁ ବାଟ ମାରଣା ହୋଇ ଯାଉଛି।

ସେହିପରି ଘରେ ଶୌଚାଳୟ ଟେ ହେଉ କିମ୍ବା ଏଲପିଜି ଗ୍ୟାସ ହେଉ, ତାହାକୁ ଏକ ଲଗଜୁରୀ (luxury) ଭାବେ ଦେଖା ଯାଉଥିଲା। କିନ୍ତୁ, ମୋଦୀ ଜୀ ଶାସନ ଭାର ନେବାର ମାତ୍ର ଅଢେଇ ମାସ ଭିତରେ ଆରମ୍ଭ କରିଥିଲେ ‘ସ୍ବଚ୍ଛ ଭାରତ’ ଲାଲକିଲ୍ଲାର ପ୍ରାଚୀରରୁ ୨୦୧୪ ମସିହାର ସ୍ବାଧୀନତା ଦିବସ ଅବସରରେ । ମାତ୍ର ଦୁଇ ବର୍ଷ ଭିତରେ ଦେଶର ସବୁ ପରିବାରକୁ ଶୌଚଳୟ ଯୋଗାଇ ଦିଆ ଯାଇଥିଲା।

ଏମିତି ବିଭିନ୍ନ ସଂସ୍କାରମୂଳକ କାର୍ଯକ୍ରମ ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚାଲି ଆସୁଛି, ଯାହାର ଫଳ ସ୍ବରୂପ ବର୍ତ୍ତମାନ ଭାରତ ଦେଶର ଚତୁର୍ଥ ବୃହତ୍ତମ ଅର୍ଥନୀତି, ଆଗାମୀ ଦୁଇ ବର୍ଷ କିମ୍ବା ତିନି ବର୍ଷରେ ଏହା ପାଞ୍ଚ ଟ୍ରିଲିଅନ ସହିତ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଆପଣମାନେ ସମସ୍ତେ ଜାଣିଛନ୍ତି ମାନନୀୟ ପ୍ରଧାନମନ୍ତ୍ରୀ ଅର୍ଥନୀତିକୁ ସବୁବେଳେ ରାଜନୀତିରୁ ଅଲଗା ରଖିଛନ୍ତି।

ଏହାର ସବୁଠାରୁ ବଡ ଉଦାହରଣ ହେଉଛି ‘ଜି.ଏସ୍‌.ଟି ସଂସ୍କାର’। ଦେଶର ସବୁ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ stakeholders ଙ୍କ ସହିତ ବିସ୍ତୃତ ବାର୍ତ୍ତାଳାପ ପରେ ୨୦୧୭ ମସିହାରୁ ଲାଗୁ ହୋଇଥିଲା ସ୍ବାଧୀନତା ପରଠାରୁ ସବୁଠାରୁ ବଡ ଆର୍ଥିକ ସଂସ୍କାର।

ପ୍ରାୟ ୧୭ ଗୋଟି ବିଭିନ୍ନ ଟ୍ୟାକ୍ସ ବଦଳରେ କେବଳ ଗୋଟିଏ ଟାକ୍ସ ଜି.ଏସ୍‌.ଟି ପ୍ରଚଳନ କରାଯାଇଥିଲା। ‘ଗୋଟିଏ ଦେଶ, ଗୋଟିଏ ଟାକ୍ସ’ ପରିକଳ୍ପନା ବାସ୍ତବ ରୂପ ନେଇଥିଲା।

ଏହି ବ୍ୟବସ୍ଥାକୁ ଆହୁରି ସରଳୀକରଣ କରି ଗତ ମାସ ତିନି ତାରିଖରେ ଐତିହାସିକ ଜି.ଏସ୍‌.ଟି Next Generation Reform ୨.୦ ସଂସ୍କାରକୁ ପାରୀତ କରାଯାଇଥିଲା ଯାହା ସାଧାରଣ ଲୋକଙ୍କୁ ପାଞ୍ଚରୁ ବାର ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ ପ୍ରଦାନ କରୁଛି। ମୁଖ୍ୟମନ୍ତ୍ରୀ ସହିତ ରାଜ୍ୟର ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବାରୁ ମୁଁ ଜିଏଷ୍ଟି କାଉନ୍ସିଲର ଏହି ଐତିହାସିକ ନିଷ୍ପତ୍ତିର ଏକ ଅଂଶ ବିଶେଷ ଥିଲି। ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ କେନ୍ଦୁପତ୍ର ଉପରେ ୫ ପ୍ରତିଶତ ଜିଏଷ୍ଟି ଲାଗୁ ହେଉଛି।
ଏହା ସହିତ କୋଇଲା ଉପରେ ଜିଏଷ୍ଟି ସଂସ୍କାର, କୃଷି ଯନ୍ତ୍ରପାତି ଓ କୃଷି ଇନ୍‌ପୁଟ ଉପରେ ଜି.ଏସ୍‌.ଟି କମ କରିବା ପାଇଁ ରାଜ୍ୟ ଦେଇଥିବା ପରାମର୍ଶକୁ ଜି.ଏସ୍‌.ଟି କାଉନ୍ସିଲ ସକାରାତ୍ମକ ଭାବେ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ଆପଣ ସମସ୍ତେ ଜାଣିଛନ୍ତି ଆଉ ପ୍ରାୟ ଦଶ ବର୍ଷ ପରେ ୨୦୩୬ ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ଶତାବ୍ଦୀ ପାଳନ କରିବ। ତେଣୁ ଏହି ସମୟ ମଧ୍ୟରେ ଆମେ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ରଖିଚୁ। ସମୃଦ୍ଧ ଓଡ଼ିଶାର ସଜ୍ଞା ହେଉଛି, ୨୦୩୬ ସୁଦ୍ଧା ଓଡ଼ିଶା ୫୦୦ ବିଲିଅନ ଆମେରିକୀୟ ଡ଼ଲାର ଅର୍ଥ ନୀତି ତଥା ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ବିକଶିତ ରାଜ୍ୟରେ ସ୍ଥାନ ଦେବା।

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଓଡ଼ିଶାକୁ ଏକ ମିଶ୍ରିତ ଅର୍ଥନୀତି ଆଡକୁ ନେବାକୁ ହେବ। ଏଥିପାଇଁ କାର୍ଯକ୍ରମ ଆରମ୍ଭ ମଧ୍ୟ ହୋଇ ସାରିଛି। ଗଣମାଧ୍ୟମ ଏଥିପାଇଁ ପ୍ରସ୍ତାବ ଦେବାକୁ ମୁଁ ଅନୁରୋଧ କରୁଛି ।

ଦେଶର ପ୍ରଥମ ସ୍ୱଦେଶ ନିର୍ମିତ ସିଲିକନ୍‌ଚିପ୍‌ଜରିଆରେ ଦେଶ ଆଜି ଏ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଯାଉଛି। ଦେଶରେ ଆଜି ୧୦-୧୨ଟି ସେମିକଣ୍ଡକ୍ଟର କମ୍ପାନୀ ଖୋଲିବାକୁ ଯାଉଛି। ଓଡିଶାରେ ମଧ୍ୟ ତିନୋଟି ସେମିକଣ୍ଡକ୍ଟର କମ୍ପାନୀ ପ୍ରତିଷ୍ଠା ହେବ ଏବଂ ଆଉ ଦୁଇଟି କମ୍ପାନୀ ସହିତ ଚୁକ୍ତିନାମା ମଧ୍ୟ କରାଯାଇଛି।

ଆଜି ଓଡିଶାରେ ଆମ ସରକାର ଆସିବା ପରେ ୨ ଲକ୍ଷ କୋଟି ଟଙ୍କାର ୮୪ଟି ଶିଳ୍ପ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଦିଆଯାଇଛି। ଏହାଦ୍ୱାରା ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟିହେବା ସୁନିଶ୍ଚିତ ହୋଇପାରିଛି।

ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗହେବ ଏବଂ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏ ହେଉଛି ସୁଯୋଗ ଭିତ୍ତିକ ଅର୍ଥନୀତି।

ବନ୍ଧୁଗଣ,
ମୁଁ ପୂର୍ବରୁ କହିଛି ଯେ ସମ୍ବାଦପତ୍ର ହେଉଛି ସମାଜର ଦର୍ପଣ, ସାମ୍ବାଦିକ ହେଉଛନ୍ତି ସମାଜର କନସାଇନ୍ସ କିପର (Conscience keeper)। ସରକାର, ନେତା, ମନ୍ତ୍ରୀ, ଅଧିକାରୀ ଯେଉଁମାନେ ଜନସେବା ପାଇଁ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ପ୍ରଶ୍ନ ପଚାରିବା ଓ ଉତ୍ତରଦାୟୀ କରିବା କେବଳ ଆପଣଙ୍କ ଅଧିକାର ନୁହେଁ, ଏହା ଆପଣମାନଙ୍କ ଦାୟିତ୍ଵ ମଧ୍ୟ।

ମୋ ରାଜନୈତିକ ଜୀବନରେ ମୁଁ ସବୁବେଳେ ଗଣମାଧ୍ୟମକୁ ସମ୍ମାନ ଦେଇ ଆସିଛି। ବିଗତ ଦିନରେ ଆପଣମାନେ ନିଜେ ଦେଖିଛନ୍ତି ଗଣମାଧ୍ୟମକୁ କିପରି ଭାବେ ବ୍ୟବହାର କରା ଯାଉଥିଲା। ଆମ ସରକାର ଗଣମାଧ୍ୟମକୁ କେବେ ବି ଅସମ୍ମାନ କରିବ ନାହିଁ, କିମ୍ବା କୌଣସି ପ୍ରତିବନ୍ଧକ ରଖିବ ନାହିଁ ।

କିନ୍ତୁ, ଏ ସବୁ ଭିତରେ ଆଜିର ନୂତନ ପିଢୀର ସାମ୍ବାଦିକ ବନ୍ଧୁମାନେ ‘ସମାଲୋଚନା’ ଓ ‘ବ୍ୟକ୍ତିଗତ ଆକ୍ଷେପ’ ଯାହାକୁ ସାମ୍ବାଦିକତା ଭାଷାରେ ସ୍ଲାଣ୍ଡର୍ (Slandar) କୁହା ଯାଏ, ତାର ପ୍ରଭେଦ ଜାଣି ପାରୁ ନାହାନ୍ତି, ଅଥବା ଜାଣି ଶୁଣି ସମାଲୋଚନା ପରିବର୍ତ୍ତେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି।

ଆଜି ଏହି ଅବସରରେ ମୁଁ ଏହି ବିଶାଳ ପରିବାରର ପ୍ରତିଷ୍ଠାତା ସୌମ୍ୟବାବୁଙ୍କ ବିଷୟରେ ଆଉ ଦୁଇ ପଦ କହିବି। ଆମେ ସମସ୍ତେ ତାଙ୍କର ସାମ୍ବାଦିକତା ତଥା ଓଡ଼ିଶାର ସମ୍ବାଦପତ୍ର କ୍ଷେତ୍ରରେ ତାଙ୍କର ଅବଦାନ ବିଷୟରେ ଜାଣିଛନ୍ତି। କିନ୍ତୁ, ଆଉ କେତେ ଗୁଡିଏ କାର୍ଯ୍ୟ ଲୋକେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ଏମିତି ଗୋଟିଏ ଗୁଣ ହେଲା ରାଜନୈତିକ ଭାଷ୍ୟକାର ଭାବେ ତାଙ୍କର ଓଜସ୍ଵୀ ଭାଷଣ ।

୧୯୮୦ ଦଶକରୁ ୨୦୦୦ ଦଶକର ପ୍ରାରମ୍ଭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନରେ ତାଙ୍କ ଭାଷଣ ମଧ୍ୟମରେ ଅନେକ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିଥିଲେ। ତାଙ୍କୁ ଶୁଣିବା ପାଇଁ ବିଶେଷତଃ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଆଗ୍ରହ ଥିଲା।

ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ପାଇଁ ତାଙ୍କ ମାନସଜନ୍ମିତ ‘ଆମ ଓଡ଼ିଶା’ ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ଏଥିସହିତ ପରିବେଶ ସୁରକ୍ଷା ପାଇଁ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହୋଇଥିବା ପୁନଶ୍ଚ ପୃଥିବୀ ମଧ୍ୟ ଏକ ପ୍ରଶଂସନୀୟ କାର୍ଯ୍ୟ । ମୁଁ ତାଙ୍କୁ ଏଥିପାଇଁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଉଛି।

ଏହି ଅବସରରେ ମୁଁ ସମସ୍ତଙ୍କୁ କହିବି ଆପଣମାନେ ସରକାରଙ୍କୁ ସକାରାତ୍ମକ ସମାଲୋଚନା ମାଧ୍ୟମରେ ସଚେତ ଓ ଜାଗ୍ରତ କରି ରଖନ୍ତୁ। ସାମ୍ବାଦିକତା ହେଉଛି ଏକ ପବିତ୍ର ବୃତ୍ତି, ନୋବଲ ପ୍ରଫେସ୍‌ନ। ତାହାର ମର୍ଯ୍ୟାଦା ଭିତରେ ରହି ନିଜ ନିଜ କାର୍ଯ୍ୟ ସମ୍ପାଦନ କରନ୍ତୁ। ଆସନ୍ତୁ, ଆମେ ସମସ୍ତେ ମିଶି ଗଢିବା ଏକ ସୁନ୍ଦର, ସମୃଦ୍ଧ ଓଡ଼ିଶା।

ପୁଣିଥରେ ସମ୍ବାଦ ପରିବାରକୁ ସ୍ଵନକ୍ଷତ୍ରର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Previous Post

ଏଠି ହାଉଜାଉ ଶଙ୍କର ପୃଷ୍ଟି !

Next Post

ସୋମବାର ହେବ ବିଜେଡିର ପ୍ରତିବାଦ ଶୋଭାଯାତ୍ରା

Next Post
ସୋମବାର ହେବ ବିଜେଡିର ପ୍ରତିବାଦ ଶୋଭାଯାତ୍ରା

ସୋମବାର ହେବ ବିଜେଡିର ପ୍ରତିବାଦ ଶୋଭାଯାତ୍ରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA