ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।
କେନ୍ଦ୍ରାପଡ଼ାରେ ପୂର୍ବତନ ସାଂସଦ ଙ୍କୁ ଶାଣିତ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମୁଁ ତାଙ୍କୁ ସାଂସଦ କଲି । କିନ୍ତୁ ସେ କେନ୍ଦ୍ରାପଡ଼ାବାସୀ ଓ ମୋ ସହିତ ବିଶ୍ୱାସଘାତକତା କଲେ । ବିରୋଧିଦଳ ନେତା ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସେ କହିଥିଲେ ।
ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବି.ଏସ୍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, କାଳିଆ, ମଧୁବାବୁ ପେନ୍ସନ୍ ଯୋଜନା, ଚାଉଳ କାର୍ଡ ଆଦି କେମିତି ଲାଗୁଛି, ପୁରୀ ମନ୍ଦିର କାମ ଆଦି କେମିତି ଲାଗୁଛି ବୋଲି ପ୍ରଶ୍ନ କରି ଲୋକଙ୍କ ଠାରୁ ମତାମତ ନେଇଥିଲେ । ସବୁ ପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକେ କହିଥିଲେ ‘ବହୁତ ଭଲ’ ।
ମୁଖ୍ୟମନ୍ତ୍ରୀ କହିଲେ ଯେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ । ବିଜୁ ଜନତା ସରକାର ମାଗଣା ବିଜୁଳି ଦେବ ।
ପ୍ରଚାରରେ ଯୋଗଦେଇ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଲେ ଯେ, ବିଜେପି ଦଳ ବାହାରୁ ବହୁତ ନେତା ଆଣୁଛନ୍ତି, ବଡ଼ ବଡ଼ ନେତା ଆଣୁଛନ୍ତି । ଯେତେ ବଡ଼ ବଡ଼ ନେତା ବାହାରୁ ଆଣିଲେ ମଧ୍ୟ କେନ୍ଦ୍ରାପଡ଼ାରେ କିଛି ପ୍ରଭାବ ପଡ଼ିବନାହିଁ ବୋଲି ସେ ଦୃଢ଼ ସ୍ୱରରେ କହିଥିଲେ ।
କେନ୍ଦ୍ରାପଡ଼ା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଓ ପରିଶ୍ରମ ବିଷୟରେ ବର୍ଣ୍ଣନା କରି ସେ କହିଲେ ଯେ, କେନ୍ଦ୍ରାପଡ଼ା ପାଇଁ ମୁଖ୍ୟମନ୍ତ୍ରୀ ଭାରତବର୍ଷର ସବୁଠୁ ଅଧିକ ବିଦେଶୀ ପୁଞ୍ଜିନିବେଶ ଆଣିଛନ୍ତି । ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିଛନ୍ତି । ବହୁତ କଠିନ ପରିଶ୍ରମ କରି ଆଣିଛନ୍ତି । ଏଥିପାଇଁ ଜାପାନର ନିପନ କମ୍ପାନୀ ସହ କଥାବାର୍ତ୍ତା କରିବାକୁ ଯିବା ସମୟରେ ମୁଖ୍ୟମନ୍ତ୍ରୀ ବହୁତ କଷ୍ଟ ସ୍ୱୀକାର କରିଥିଲେ । ସିଙ୍ଗାପୁରରୁ ଜାପାନ ଯିବା ସମୟରେ ଭଲ ସିଟ୍ ମିଳି ନ ଥିଲା ବିମାନରେ, ପରେ ଯିବା ପାଇଁ କହିଥିଲୁ । କିନ୍ତୁ ମୁଖ୍ୟମନ୍ତ୍ରୀ ରାଜି ହୋଇନଥିଲେ । ଯେହେତୁ ନିପନ ଗ୍ରୁପ୍ ସହିତ appointment ଥିଲା, ଅସୁବିଧା ସତ୍ତ୍ୱେ ୮ ଘଣ୍ଟା ଗୋଡ଼ଜାକି କରି ଯାଇଥିଲେ ।
ଜାପାନରେ ୩-୪ ଦିନ ଭିତରେ ପ୍ରାୟ ୧୦୦ ଥର କେନ୍ଦ୍ରାପଡ଼ା କଥା ଉଠାଇଥିଲେ ମୁଖ୍ୟମନ୍ତ୍ରୀ । ଏଥିରୁ ଆପଣ ଜାଣନ୍ତୁ କେନ୍ଦ୍ରାପଡ଼ା ପ୍ରତି ତାଙ୍କର କେତେ ପ୍ରତିବଦ୍ଧତା ।
ପୂର୍ବତନ ସାଂସଦ ଙ୍କୁ କଡ଼ା ଜବାବ ସେ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେ କିଭଳି ବିଶ୍ୱାସଘାତକତା କରିଛନ୍ତି । ବିଜୁବାବୁଙ୍କ କର୍ମଭୂମି ଥିଲା ଏହି କେନ୍ଦ୍ରାପଡ଼ା ମାଟି । କେନ୍ଦ୍ରାପଡ଼ାର ବିକାଶ ବହୁତ କାମ କରିଥିଲେ । ବାହାରୁ ବଡ଼ ବଡ଼ ନେତା ଆସିବେ ମିଛ କଥା କହିବେ, ଅପପ୍ରଚାର କରିବେ । ସେମାନଙ୍କ କୁମ୍ଭୀର କାନ୍ଦଣାର ଆପଣମାନେ ଉଚିତ ଜବାବ୍ ଦିଅନ୍ତୁ ।
ମୁଖ୍ୟମନ୍ତ୍ରୀ ଏତେ ଭଲ କାମ କରୁଛନ୍ତି ଯେ, ଯେତେ ବାହାର ନେତା ଆସି ଅପପ୍ରଚାର କଲେ ସେମାନେ ଜିତିବେ ନାହିଁ । ସେ କହିଥିଲେ ଯେ, ସାରା ଭାରତବର୍ଷରେ ଏକ ନମ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ କେବଳ ନବୀନ ପଟ୍ଟନାୟକ ହିଁ ଏକ ନମ୍ୱର କରିବେ ।
ସେ ପୁଣି କହିଲେ ଯେ, ସେମାନେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ସେମାନଙ୍କୁ ମୁହଁତୋଡ଼ ଜବାବ ଦିଅନ୍ତୁ ।