ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ତାଙ୍କର ସୁସ୍ଥତା କାମନା କରି ‘ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି’ ବୋଲି ପଚାରିଥିଲେ । ନବୀନ କହିଥିଲେ, ‘ମୁଁ ସୁସ୍ଥ ଅନୁଭବ କରୁଛି’। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ନିରାମୟ ଜୀବନ ନିମନ୍ତେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସୂଚନା ଯୋଗ୍ୟ ଯେ, ବିରୋଧୀ ଦଳ ନେତା ତାଙ୍କର ଦେହ ଅସୁସ୍ଥ ଥିବାରୁ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଛନ୍ତି। ତେଣୁ, ମୁଖ୍ୟମନ୍ତ୍ରୀ ଆଜି ନବୀନ ନିବାସ ଯାଇ ତାଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ ଧରି ଆଲୋଚନା ହୋଇଥିଲା ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସମୟରେ ‘ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ’। ସେହି ସମୟରେ ଶ୍ରୀ ପଟ୍ଟନାୟକ ମୁମ୍ବାଇରେ ଚିକିତ୍ସାଧୀନ ଥିଲେ। ମୁଖ୍ୟମନ୍ତ୍ରୀ ଆଗାମୀ ବିଧାନସଭା ଅଧିବେଶନ ଯେପରି ସୁରୁଖୁରୁରେ ପରିଚାଳିତ ହେବ, ସେଥିନେଇ ସହଯୋଗ କାମନା କରିଥିଲେ।