ରୋମ/ଭୁବନେଶ୍ୱର: ରୋମ୍ ରେ ଆଜି ଅନୁଷ୍ଠିତ ଜାତିସଂଘର ଦି ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମରେ ଓଡ଼ିଶାର ଖାଦ୍ୟ ସୁରକ୍ଷା, ଜୀବନଜୀବିକା ଏବଂ ବିପର୍ଯ୍ୟୟ ପରିଚାଳନାର ସଫଳ କାହାଣୀ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ ସହଭାଗିତାରେ ରାଜ୍ୟର ‘ଜିରୋ ହଙ୍ଗର’ ଏଜେଣ୍ଡା ବିଷୟରେ ବିଶ୍ୱବାସୀଙ୍କୁ ଜଣାଇଥିଲେ ।

ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ(WFP)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍ ବିସଲେ ଏବଂ ଅନ୍ୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିଥିଲେ । ଗତ ଦୁଇ ଦଶନ୍ଧି ଭିତରେ ଓଡ଼ିଶାରେ ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ପରିବର୍ତ୍ତିତ ଜଳବାୟୁ ସହ ତାଳ ଦେଇ ଜୀବନ ଜୀବିକା ଏବଂ ପୃଷ୍ଟୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅପପୃଷ୍ଟି ଦୂର ସହ ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ରାଜ୍ୟ ସ୍ୱାବଲମ୍ବୀ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟର ସଠିକ ପରିଚାଳନା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ନିରନ୍ତର ବିକାଶ ଲକ୍ଷ୍ୟ ଦିଗରେ ରାଜ୍ୟ ଅଗ୍ରସର ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

WFP ଏବଂ ଏହାର ସହଯୋଗୀ ସଂସ୍ଥା ଦ୍ୱାରା ଓଡ଼ିଶାର ଅଭିଜ୍ଞତା ସାରା ବିଶ୍ୱରେ ପହଞ୍ଚାଇଥିବାରୁ ଖୁବ୍ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।








