ମନ୍ତ୍ରୀଙ୍କ ପରେ ପବନ କଲେ ବିଧାୟକ ସରୋଜ ପାଢ଼ୀ
ଭୁୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ହେଲା । ୬ ମହିଳା ଏବେ ବି ଗୁରୁତର । ସେମାନଙ୍କ ମଧ୍ୟରୁ କଟକ ଏସସିବିରେ ଭର୍ତ୍ତି ୨ ଜଣଙ୍କର ଏକାଧିକ ଅଙ୍ଗ ଅଚଳ ହୋଇଯାଇଛି । ସେମାନେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର କାର୍ଯ୍ୟକଳାପ କିନ୍ତୁ ସମସ୍ତଙ୍କୁ ଆଚମ୍ବିତ କରିଛି । ଘଟଣାର ୪ ଦିନ ପରେ ଯାଇ ସେହି ଗାଁକୁ ଜିଲ୍ଲାପାଳଙ୍କ ପାଦ ପଡ଼ିଥିଲା । ଆଉ ୫ ଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆମ୍ବଟାକୁଆ ମୃତ୍ୟୁ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ବିଡ଼ମ୍ବନା ହେଉଛି, ଲୋକଙ୍କ ସରକାର ବୋଲି ଦାବି କରୁଥିବା ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କର ଜଣେ ବି ମନ୍ତ୍ରୀ କି ବିଧାୟକ ସେଠାକୁ ଯିବାକୁ ସମୟ ପାଇନାହାନ୍ତି । ଭୁବନେଶ୍ୱରରେ ବସି କ୍ୟାମେରା ଆଗରେ ବୟାନ ଦେବାରେ ମନ୍ତ୍ରୀ ଓ ବିଧାୟକଙ୍କ କାର୍ଯ୍ୟ ସୀମିତ ରହିଛି । କେବଳ ଯାହା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗତକାଲି ଏସସିବିକୁ ଯାଇ ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।
ଏତେବଡ଼ ସମ୍ବେଦନଶୀଳ ଘଟଣା ଉପରେ ରାଜ୍ୟ ସରକାର କେତେ ସମ୍ବେଦନହୀନ ତାହା ସମସ୍ତଙ୍କୁ ଜଳ ଜଳ ଦିଶୁଛି । ଘଟଣା ସମ୍ପର୍କରେ ବିନା ଅନୁଧ୍ୟାନ ଏବଂ ବିନା ଅନୁସନ୍ଧାନରେ ମନ୍ତ୍ରୀମାନେ ରାଜଧାନୀରେ ବସି ଗଣମାଧ୍ୟମରେ ଶସ୍ତା ବୟାନବାଜି କରିବା ପ୍ରଥମ ଘଟଣା । ଏମିତି ଘଟଣାରେ ବାସ୍ତବତାକୁ ଅସ୍ୱୀକାର କରିବା ସରକାରଙ୍କ ଧର୍ମ ବୋଲି ସମ୍ଭବତଃ ସେମାନେ ଧରିନେଇଛନ୍ତି । ତେଣୁ ସତ୍ୟକୁ ଲୋକଙ୍କ ସାମନାକୁ ଆଣିବାକୁ ମହାଶୟମାନଙ୍କର ମାନସିକତା ଆସିନାହିଁ ।
ସୂଚନାଥାଉକି, ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ଆସୁ ଆସୁ ଲଣ୍ଡନ ଯିବାକୁ ତରବର ହେଉଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କଠାରୁ ସାମ୍ବାଦିକମାନେ ପ୍ରତିକ୍ରିୟା ଲୋଡ଼ିଥିଲେ । ଘଟଣା ସମ୍ପର୍କରେ ଅନୁଧ୍ୟାନ ନ କରି ଉପମୁଖ୍ୟମନ୍ତ୍ରୀ ସିଧା ସିଧା କହିଥିଲେ ଯେ ଆମ୍ବଟାକୁଆ ସେହି ଅଞ୍ଚଳ ବାସୀଙ୍କ ପାରମ୍ପରିକ ଖାଦ୍ୟ । ପ୍ରଥମ ଥର ବିଧାୟକ ହୋଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦରେ ବସିଥିବା ପ୍ରଭାତୀ ପରିଡ଼ାଙ୍କର ସେହି ଅଞ୍ଚଳ ଉପରେ ଏତେ ଜ୍ଞାନ କେବେଠୁଁ ହେଲା ତାହା ଜଣାପଡ଼ିନାହିଁ ।
ପରେ ପରେ ସାମ୍ବାଦିକମାନେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର ପ୍ରତିକ୍ରିୟା ଲୋଡ଼ିଥିଲେ । ସେହି ଗାଁ ଲୋକେ ୩ ମାସର ରାସନ୍ ଚାଉଳ ପାଇ ନ ଥିବାରୁ ଭୋକିଲା ପେଟରେ ଆମ୍ବଟାକୁଆ ଖାଇଥିବା ମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଥିଲା । ମାତ୍ର ବିନା ଅନୁଧ୍ୟାନରେ ସେ ରୋକଠୋକ୍ ଏହାକୁ ଅସ୍ୱୀକାର କରିଥିଲେ । ରାସନ୍ ଚାଉଳ ସମସ୍ତେ ପାଇଛନ୍ତି ଏବଂ ସେମାନଙ୍କ ଘରେ ପର୍ଯ୍ୟାପ୍ତ ଚାଉଳ ମହଜୁଦ ଅଛି ବୋଲି ମନ୍ତବ୍ୟ ଦେଇଥିଲେ । ଉପମୁଖ୍ୟମନ୍ତ୍ରୀଙ୍କ ଭଳି ସେ ବି କହିଥିଲେ ଯେ ଆମ୍ବଟାକୁଆ ଜାଉ ସେମାନଙ୍କର ପାରମ୍ପରିକ ଖାଦ୍ୟ । ସୁତରାଂ ଏହା ଆଦୌ ଚିନ୍ତାର ବିଷୟ ନୁହେଁ ବୋଲି ଇଙ୍ଗିତରେ ଜଣାଇ ଦେଇଥିଲେ ଯୋଗାଣ ମନ୍ତ୍ରୀ ।
ତେବେ ଉପମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀ ମିଛ କହିଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀଙ୍କ ବୟାନରୁ ସ୍ପଷ୍ଟ ହୋଇସାରିଛି । ୩ ମାସର ରାସନ୍ ଚାଉଳ, ଅଘଟଣ ଘଟିବା ପରେ ଚଳିତ ମାସ ୨ ତାରିଖରେ ତରବରରେ ବଣ୍ଟନ କରାଯାଇଥିଲା । ଜିଲ୍ଲା ପ୍ରଶାସନର ଏହି ରାତିଅଧିଆ କାମ ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଛି । ଆଉ ଏହି ଖବର ସାମନାକୁ ଆସିବା ପରେ ଯୋଗାଣ ମନ୍ତ୍ରୀ ଲୁଚି ଯାଇଛନ୍ତି । ତାଙ୍କର ବାଇଟ୍ ଦେଖିବାକୁ ମିଳୁନି ।
ଏତେ ସବୁ ପରେ ବି ବିଜେପିର ଆସ୍କା ବିଧାୟକ ସରୋଜ ପାଢ଼ୀ ଆମ୍ବଟାକୁଆ ମୃତ୍ୟୁ ଘଟଣା ଉପରେ ଖାଲି ଗାଲୁ ମାରିନାହାନ୍ତି, ଉପହାସ କରିଛନ୍ତି । ଆଜି ସାମ୍ବାଦିକମାନଙ୍କୁ ଡାକି ରାଜନୈତିକ ବୟାନବାଜି କରୁଥିବା ବିଧାୟକଙ୍କଠାରୁ ଆମ୍ବଟାକୁଆ ମୃତ୍ୟୁ ଉପରେ ପ୍ରତିକ୍ରିୟା ଲୋଡ଼ାଯାଇଥିଲା । ବିଧାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି-
‘ଆମ୍ବଟାକୁଆ ସେଠିକା ଲୋକଙ୍କର ପାରମ୍ପରିକ ଖାଦ୍ୟ । ଫୁଡ୍ ପଏଜନିଂ ହେଇଗଲା.. କ’ଣ ହୋଇଗଲା? ଲୋକଙ୍କ ପାଖରେ ସଫିସେଣ୍ଟ ଚାଉଳ ଅଛି । ସେମାନଙ୍କର କୌଣସି ଅସୁବିଧା ନ ଥିଲା । ଆମ ଯୋଗାଣ ମନ୍ତ୍ରୀ କଲେକ୍ଟରଙ୍କ ସହ କଥା ହୋଇଛନ୍ତି ।’
ଏକ ସମ୍ବେଦନଶୀଳ ଘଟଣାରେ ଜଣେ ମନ୍ତ୍ରୀ ଏବଂ ବିଧାୟକ କିଭଳି ମନ୍ତବ୍ୟ ଦେବା କଥା ତାହା ବୋଧେ ନୂଆ ସରକାରରେ ଶାସକ ଦଳର ନେତାମାନେ ଏ ଯାଏଁ ଶିଖି ପାରିନାହାନ୍ତି । ଲୋକଙ୍କ ଭାବାବେଗ ସହ କେମିତି ବାନ୍ଧି ହେବାକୁ ପଡ଼େ ସେଥିପାଇଁ ଏମାନଙ୍କୁ ଟ୍ରେନିଂ ଦରକାର ପଡୁଛି ବୋଲି ଲୋକମାନେ ଟାହି ଟାପରା ଆରମ୍ଭ କଲେଣି । କ୍ଷମତାକୁ ଆସୁ ଆସୁ କୁଆଡ଼େ ଏମାନଙ୍କ ଗର୍ବ ଓ ଅହଂକାର ଆକାଶ ଛୁଇଁଲାଣି । ନୂଆ ନୂଆ ସରକାର ଏବଂ ଶାସକ ଦଳରେ ରହି ଏମାନେ ଧରାକୁ ସରା ମଣୁନାହାନ୍ତି ବୋଲି ଏକ ଧାରଣା ସୃଷ୍ଟି ହେଲାଣି ।
କୁହାଯାଉଛି, ବିଧାନସଭାକୁ ନୂଆ କରି ଆସିଥିବା ଅନେକ ବିଧାୟକ ସେମାନଙ୍କ ଅଞ୍ଚଳବାସୀଙ୍କ ସହିତ ସମ୍ପର୍କ ବି କାଟିଦେଲେଣି । କାଳେ, କ୍ଷମତାରେ ରହିଥିବା ନେତା ସାଧାରଣ ଲୋକଙ୍କ ସହ ବେଶୀ ସମ୍ପର୍କରେ ରହିବା ମନା । ଏହାଦ୍ୱାରା ସେମାନଙ୍କ ସମ୍ମାନବୋଧରେ କୁଆଡ଼େ ଆଞ୍ଚ ଆସିପାରେ ।
କେବଳ ଏହି ଆମ୍ବଟାକୁଆ ମୃତ୍ୟୁ ଘଟଣା ନୁହେଁ, ଏଇ ୬ ମାସରେ ଅନେକ ଘଟଣାରେ କିଛି ମନ୍ତ୍ରୀଙ୍କର ବୟାନ ଲୋକହସା ସୃଷ୍ଟି କରିଛି । ସେମାନଙ୍କ ବୟାନ ରାଜ୍ୟବାସୀଙ୍କୁ ତାତ୍ସଲ୍ୟ କଲା ଭଳି ହେଉଛି । କ୍ୟାମେରା ପଡ଼ିଲା ମାତ୍ରେ ମନଇଚ୍ଛା ଗପୁଛନ୍ତି । ନିଜ ବିଭାଗ ଛାଡ଼ି ଅନ୍ୟ ବିଭାଗରେ ମୁଣ୍ଡ ଖେଳାଉଛନ୍ତି । ଆଜି କହିଥିବା କଥା କାଲିକି ବଦଳେଇ ଦେଉଛନ୍ତି । ଏହାଦ୍ୱାରା ମନ୍ତ୍ରୀପଦର ଗାରିମା ରହୁନି ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।
ଯାହା ବି ହେଉ, ଆମ୍ବଟାକୁଆ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବାରେ ବିଜେଡି ଓ କଂଗ୍ରେସ କିନ୍ତୁ ସଫଳ ହୋଇଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସରକାରଙ୍କ ଦୋଷତ୍ରୁଟିକୁ ବିଜେଡି ସାମନାକୁ ଆଣିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ମାଣ୍ଡିପଙ୍କା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାକାର ଲୋକଙ୍କ ପାଇଁ ସରକାର କିଭଳି ମରଣଯନ୍ତା ବିଛାଇଛନ୍ତି, ତାହା ସେ ଲୋକଲୋଚନକୁ ଆଣିଛନ୍ତି । ଶ୍ରୀ ଜେନାଙ୍କ ନେତୃତ୍ୱରେ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଆମ୍ବଟାକୁଆ ମୃତ୍ୟୁ ଘଟଣା ପାଇଁ ସରକାରଙ୍କୁ ଦାୟୀ କରି ଉଭୟ ବିଜେଡି ଓ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବାମପନ୍ଥୀ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ମାଣ୍ଡିପଙ୍କା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆସନ୍ତା ୧୩ ତାରିଖରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେବେ ବୋଲି ୩ ବାମପନ୍ଥୀ ଦଳ ପକ୍ଷରୁ କୁହାଯାଇଛି ।