Tuesday, February 24, 2026 09:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବଜେଟ୍‍ ସାଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

by Our Correspondent
24 Feb, 2026- 09:02 PM
in Latest News, News
2 min read
0
ବଜେଟ୍‍ ସାଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ମାନନୀୟା ବାଚସ୍ପତି ମହୋଦୟା !

ମୁଁ ଏହି ପବିତ୍ର ଗୃହରେ ଗତ ଫେବୃୟାରୀ 20 ତାରିଖରେ 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲି । 23 ତାରିଖ ଠାରୁ ଏହି ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହୋଇ ବର୍ତ୍ତମାନ ତାହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସାଧାରଣ ଆଲୋଚନାରେ ଉଭୟ ବିରୋଧି ଓ ଶାସକ ଦଳର ମାନ୍ୟବର ସଦସ୍ୟ ଓ ସଦସ୍ୟାମାନେ ଭାଗ ନେଇଛନ୍ତି । ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଓଡିଶାବାସୀ ଆଶା କରୁଥିଲେ, ଆଉ କିଛି ସାର୍ଥକ ଆଲୋଚନା ହୋଇପାରି ଥାଆନ୍ତା କିନ୍ତୁ ଚାଷୀଙ୍କ ନାଁ ରେ ଯେମିତି ରାଜନୀତି କରି ଗୃହକୁ ବାରମ୍ବାର ଅଚଳ କରି ଦିଆଗଲା, ତାହା ଓଡିଶାବାସୀ ଦେଖିଛନ୍ତି। ବିରୋଧୀ ଦଳ ତାଙ୍କ ଭୂମିକା ଉପସ୍ଥାପିତ ନ କରି ହୋ ହାଲ୍ଲା କରିବା ମଧ୍ୟ ଓଡ଼ିଶାବାସୀ ଦେଖିଛନ୍ତି ।

ମୁଁ କଂଗ୍ରେସର ଆଚାର ବିଚାର ଉପରେ ଆଶ୍ଚର୍ଯ୍ୟ ନୁହେଁ। ଏହି ବିଧାନ ସଭାରେ ତାଙ୍କ ଦଳର ବରିଷ୍ଠ ବିଧାୟକମାନେ ଖୁଚୁରା ଟଙ୍କା ବି ଆଣିବା ଓଡିଶାବାସୀ ଦେଖିଛନ୍ତି। ଘଣ୍ଟ, ଘଣ୍ଟା, ଗିନି ଖଞ୍ଜଣି ବି ବିରୋଧ ନାଁରେ ବାଡେଇଛନ୍ତି। ଦିଲ୍ଲୀ ଏଆଇ ଇମ୍ପାକ୍ଟ ସମିଟ (AI Impact Summit)ରେ ସେମାନେ ଯେଉଁ ନଗ୍ନ ପ୍ରଦର୍ଶନ କଲେ, ତାହା ମଧ୍ୟ ଗଣତନ୍ତ୍ରରେ ଶୋଭା ପାଏନାହିଁ । ତାହା ଦେଖି ତାଙ୍କର ଆଚାର ବିଚାର ସଂପୂର୍ଣ୍ଣ ରୂପେ ଆକାଂକ୍ଷିତ । ସେମାନେ ସବୁକିଛି କରିବାକୁ ସମର୍ଥ।

ମୁଁ ତଥା ସାରା ଓଡିଶାବାସୀ ଶୁଣିଛନ୍ତି, ଖୋଦ ମାନ୍ୟବର ବିରୋଧୀ ଦଳ ନେତା ଏବଂ ତାଙ୍କର ମୁଖପାତ୍ର ସବୁ ଟେଲିଭିଜନରେ କହୁଥିଲେ, Of course 2024 ପୂର୍ବରୁ ଯେ “ଆମେ ଗର୍ବିତ । ଗର୍ବିତ ଏଇଥିପାଇଁ ଯେ, ଆମେ ଗତ 26 ବର୍ଷରେ କେବେହେଲେ ସଂସଦରେ ବିରୋଧପାଇଁ ନିଜ ଆସନ ଛାଡି ଗୃହର ମଧ୍ୟଭାଗକୁ ଯାଇ ନାହୁଁ।‘’ କିନ୍ତୁ, ବୋଧେ ସେଇ principle ଥିଲା କେବଳ ଶାସନ କ୍ଷମତାରେ ଥିଲା ପର୍ଯ୍ୟନ୍ତ। ଆଜି ଯେତେବେଳେ ରାଜ୍ୟବାସୀ ତାଙ୍କୁ ଶାସନଭାରରୁ ହଟାଇ ଦେଇଛନ୍ତି, ଏବେ ସେ principle ବି ବଦଳି ସାରିଛି । ତେଣୁ, ଆଉ ନୈତିକତା, ବିଧାନସଭାରେ ଅଶୋଭନୀୟ ଭାବେ ବିରୋଧକରିବାର ଅଧିକାର ବିଷୟରେ ଉପଦେଶ ନ ଦେବା ଭଲ।

ସାରା କୃଷକ ସମାଜ ଏହି ଆଲୋଚନା ପାଇଁ ଅପେକ୍ଷା କରିଥିଲା, ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇଁ ସେମାନେ ଦୁଇ ଦୁଇ ଥର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାର ନିର୍ଯ୍ୟାସ ପାଇଁ ଅପେକ୍ଷା କରିଥିଲେ। କିନ୍ତୁ, ମୁଖ୍ୟ ବିରୋଧୀଦଳ ଚାଷୀଙ୍କ ନାଁରେ ନିଚ୍ଛକ ରାଜନୀତି କରୁଛନ୍ତି।

ସାଧାରଣ ବଜେଟ ଉପରେ ଯାହାବି ଅଳ୍ପ ବହୁତ ଆଲୋଚନା ହୋଇ ପାରିଛି, ଯେଉଁ ସବୁ ମତାମତ, ପରାମର୍ଶ ଆସିଛି, ତାହା ଉପରେ ମୁଁ ସରକାରଙ୍କ ପକ୍ଷ ଉତ୍ତର ମାଧ୍ୟମରେ ପ୍ରଦାନ କରିବି।

2. 2026-27 ପାଇଁ ପ୍ରସ୍ତୁତ ହୋଇଥିବା ବଜେଟ କେବଳ ଆସନ୍ତା ବର୍ଷ ପାଇଁ ଆୟବ୍ୟୟ ଲେଖାଯୋଖାର ଏକ ହିସାବ ନୁହେଁ, ଏହି ବଜେଟ ହେଉଛି ସାଢେ ଚାରିକୋଟି ଓଡିଶାବାସୀଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ। ଏହି ବଜେଟ ଓଡିଶାବାସୀଙ୍କ ଭବିଷ୍ୟତର ବଜେଟ। ଏହି ବଜେଟ ଉପସ୍ଥାପିତ ହେବା ପରେ ବୋଧହୁଏ ବିରୋଧୀଙ୍କ ବିରୋଧ କରିବା ପାଇଁ କିଛି ନାହିଁ, ତେଣୁ, ଗୃହକୁ ଅଚଳ କରିବା ମାର୍ଗକୁ ସେମାନେ ବାଛି ନେଇଛନ୍ତି। ଯଦି ସରକାର ଓ ବିରୋଧୀଙ୍କ ଭିତରେ ସଠିକ୍‌ ଆଲୋଚନା ହେଉଥାନ୍ତା ତେବେ ଚାଷୀଙ୍କ ବିକାଶ ପାଇଁ ଆହୁରି ବହୁତ କିଛି ବାହାରିପାରନ୍ତା ।

ଆର୍ଥିକ ବର୍ଷ 2026-27 ପାଇଁ ମୋଟ 3 ଲକ୍ଷ 10 ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି । ଏହି ବଜେଟ୍ ଅଟକଳ ମଧ୍ୟରୁ 1 ଲକ୍ଷ 80 ହଜାର କୋଟି ଟଙ୍କାର ପ୍ରସ୍ତାବିତ କାର୍ଯ୍ୟକ୍ରମ ବ୍ୟୟ (Programme Expenditure) ମୋଟ ବଜେଟ୍ ଅଟକଳର ରେକର୍ଡ 58 ପ୍ରତିଶତ । ଲୋକଙ୍କୁ ନ୍ୟାୟ ପ୍ରଦାନ ଓ ବିକାଶର ସମସ୍ତ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ବଜେଟ ପ୍ରସ୍ତୁତ ହୋଇଛି ।

3. ଚଳିତ ବଜେଟରେ ଆକଳନ କରାଯାଇଥିବା 72 ହଜାର 100 କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP)ର 6.5 ପ୍ରତିଶତ ଅଟେ, ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ । ଆମେ ଏହି ବଜେଟରେ କେତେକ ନୂତନ ଏକ୍ସପ୍ରେସ ୱେ ଯଥା ବ୍ରହ୍ମପୁର-ଜୟପୁର ରାଜପଥ, ଗଜପତି ରୁ ଅମ୍ବାଭୋନାକୁ ଯୋଡୁଥିବା ନମୋ ଏକ୍ସପ୍ରେସୱେ, ରସୁଲଗଡ଼ରୁ-ନାନପୁର/ରଘୁନାଥପୁର ପର୍ଯ୍ୟନ୍ତ 4-ଲେନ୍ ଏକ୍ସପ୍ରେସ ୱେ ଏବଂ ମାଲକାନଗିରିର ମୋଟୁ ରୁ ମୟୂରଭଞ୍ଜର ତିରିଙ୍ଗିକୁ ସଂଯୋଗ କରୁଥିବା ଅଟଳ ଏକ୍ସପ୍ରେସୱେ ନିର୍ମାଣ ପାଇଁ ପୁଞ୍ଜି ବିନିଯୋଗ ବ୍ୟବସ୍ଥା କରିଛୁ ।

ତତ୍‌ସହିତ, ଭୁବନେଶ୍ୱର ସ୍ଥିତ ଅନେକ ପ୍ରମୁଖ ସରକାରୀ ପ୍ରତିଷ୍ଠାନ ଯଥା ନୂତନ ଲୋକସେବା ଭବନ, ବିଧାନସଭା ସୌଧ, ବିଭିନ୍ନ କାର୍ଯ୍ୟରେ ରାଜ୍ୟ ରାଜଧାନୀକୁ ଆସୁଥିବା ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଜନ ଆଶ୍ରୟ ଭବନ, ବିଶ୍ୱସ୍ତରୀୟ ସଂଗ୍ରହାଳୟ ଏବଂ ରାଜ୍ୟ ସମ୍ମିଳନୀ କେନ୍ଦ୍ର ଆଦି ନିର୍ମାଣ କରିବା ପାଇଁ ମଧ୍ୟ ବଜେଟ ପ୍ରସ୍ତାବ କରିଅଛୁ ।

4. କେନ୍ଦ୍ର ବଜେଟ୍ 2026-27 ରେ ଓଡ଼ିଶା ପାଇଁ ଅନେକ ପଦକ୍ଷେପ ଘୋଷଣା କରାଯାଇଛି, ଯେଉଁଥିରେ ଯୋଗାଯୋଗକୁ ସୁଦୃଢ଼ କରିବା, ଚାଲୁଥିବା ଭିତ୍ତିଭୂମି କାର୍ଯ୍ୟକୁ ସମର୍ଥନ କରିବା ସହ ଶିଳ୍ପ ଅଭିବୃଦ୍ଧିକୁ ବୃଦ୍ଧି କରିବା ପାଇଁ ରେଳ ପ୍ରକଳ୍ପ ନିମନ୍ତେ ରେକର୍ଡ 10, 928 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଆମ ରାଜ୍ୟ ଦେଇ ଯାଉଥିବା ପୂର୍ବ-ପଶ୍ଚିମ ମାଲବାହୀ କରିଡର ଯୋଗାଣ ଓ ବିତରଣ ପରିଚାଳନାକୁ ଉନ୍ନତ କରିବା ସହ ଶିଳ୍ପ ଅଞ୍ଚଳକୁ ପ୍ରମୁଖ ବଜାର ସହିତ ସଂଯୋଗ କରିବ । ଆଜି ଓଡିଶାରେ 90 ହଜାର କୋଟିରୁ ବି ଅଧିକ ଟଙ୍କାର ବିଭିନ୍ନ ରେଳବାଇ ପ୍ରକଳ୍ପ ଚାଲିଅଛି।

ପଚାଶ ବର୍ଷଧରି ପଶ୍ଚିମ ଓଡିଶାବାସୀଙ୍କ ସ୍ଵପ୍ନ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସମାପ୍ତ ହେବା ଉପରେ। ବୋଧହୁଏ ଏ ବର୍ଷ ଶେଷ ସୁଦ୍ଧା କିମ୍ବା ଆଗାମୀ ବର୍ଷ ପ୍ରାରମ୍ଭରେ ଏହା ପୂର୍ଣ୍ଣକ୍ଷମ ହୋଇଯିବ।

ଚଳିତ ବଜେଟରେ ତାଳଚେର, ଅନୁଗୁଳ, ପାରାଦୀପ ଏବଂ ଧାମରା ମଧ୍ୟରେ ଆଭ୍ୟନ୍ତରୀଣ ଜଳ ପରିବହନକୁ ବୃଦ୍ଧି କରି ବନ୍ଦରଭିତ୍ତିକ ବିକାଶକୁ ତ୍ଵରାନ୍ଵିତ କରାଯିବ।

ଓଡ଼ିଶା ପାଇଁ 15 ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ ସହିତ ପ୍ରାୟ 4 ଶହ କିଲୋମିଟର ନୂତନ ସଡ଼କ ଏବଂ ଜାତୀୟ ରାଜପଥର ଉନ୍ନତି ପାଇଁ ଅନୁମୋଦନ ପ୍ରଦାନ କରିଥିବାରୁ ମୁଁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଧନ୍ୟବାଦ ଜଣାଉଛି ।ଏହା ହେଉଛି ଡବଲ ଇଞ୍ଜିନ ସରକାରର ଉପଲବ୍ଧି।

ମାନନୀୟା ବାଚସ୍ପତି ମହୋଦୟା,
ଗତ 17 ତାରିଖରୁ ବିଧାନସଭାକୁ ଚାଷ ଓ ଚାଷୀଙ୍କ ନାଁରେ ବିଧାନସଭା ଭିତରେ ଓ ବାହାରେ ନିଚ୍ଛକ ରାଜନୀତି ଚାଲିଛି,। ତେଣୁ, ମୁଁ ପ୍ରଥମ କୃଷି ପ୍ରସଙ୍ଗରେ ବିରୋଧୀଦଳ ଉଠାଇଥିବା ପ୍ରସଙ୍ଗ ଉପରେ ମୋର ଉତ୍ତର ରଖିବି।

କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ 2026-27 ବଜେଟରେ 42 ହଜାର 492 କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ 12.3 ପ୍ରତିଶତ ଅଧିକ ଅଟେ ।

ଏହି ବ୍ୟୟବରାଦରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ 14 ହଜାର 701 କୋଟି ଟଙ୍କା, ଜଳ ସମ୍ପଦ ବିଭାଗ ପାଇଁ 16 ହଜାର 489 କୋଟି ଟଙ୍କା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପାଇଁ 2 ହଜାର 119 କୋଟି ଟଙ୍କା ଏବଂ ସମବାୟ ବିଭାଗ ପାଇଁ 2 ହଜାର 334 କୋଟି ଟଙ୍କା ଅନ୍ତର୍ଭୁକ୍ତ । “ସମୃଦ୍ଧ କୃଷକ” ଯୋଜନା ଅଧୀନରେ କୁଇଣ୍ଟାଲ ପିଛା 31 ଶହ ଟଙ୍କା ମୂଲ୍ଯରେ ଧାନ କ୍ରୟ ପାଇଁ 6 ହଜାର 88 କୋଟି ଟଙ୍କାର ପ୍ରସ୍ତାବ ରହିଅଛି।

ଧାନ ସଂଗ୍ରହ ପ୍ରକ୍ରିୟା ସହ ଚାଷୀମାନଙ୍କୁ ତାଙ୍କ ପାଉଣା ସମୟୋଚିତ ପୈଠ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଆବର୍ତ୍ତନ ପାଣ୍ଠି (Revolving Fund) କୁ 5 ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଅଛି । ଯାହା ଆଗରୁ ୨ ହଜାର କୋଟି ଟଙ୍କା ଥିଲା । ଚାଷୀଙ୍କ କ୍ଷେତ୍ରରେ ଆମେ କୌଣସି କାର୍ପଣ୍ୟତା ରଖିନୁ ।

ଏହା ସହ ଆସନ୍ତା 3 ବର୍ଷ ମଧ୍ୟରେ ପ୍ରାୟ 11 ଲକ୍ଷ ମେଟ୍ରିକ ଟନ୍ ବିଶିଷ୍ଟ ଆଧୁନିକ ଗୋଦାମ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଅଛି ।

ମାନନୀୟା ବାଚସ୍ପତି ମହୋଦୟା !
5. ବିରୋଧୀ ଦଳର ବିଧାୟକମାନେ ଚାଷୀମାନଙ୍କ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଯାହା ପରିସଂଖ୍ୟାନକୁ ଦେଖିଲେ ସ୍ପଷ୍ଟ ଭାବରେ ଜଣାପଡିଯିବ।

2023-24 ବର୍ଷରେ ମୋଟ 70 ଲକ୍ଷ 88 ହଜାର ମେଟ୍ରିକ ଟନ୍ ଧାନ ପୂର୍ବ ସରକାର ଚାଷୀମାନଙ୍କଠାରୁ କିଣିଥିଲେ। କିନ୍ତୁ ଆମ ସରକାର 2024-25 ବର୍ଷରେ ମୋଟ 92 ଲକ୍ଷ 63 ହଜାର ମେଟ୍ରିକ ଟନ୍ ଧାନ କିଣିଛନ୍ତି ଓ ଏହା ବାବଦକୁ 28 ହଜାର 715 କୋଟି ଟଙ୍କା ଚାଷୀ ପାଇଛନ୍ତି ଯେଉଁଥିରେ 7 ହଜାର 408 କୋଟି ଟଙ୍କାର ବୋନସ ରହିଛି।

ଚଳିତ ବର୍ଷ ,ଆମେ 60ଲକ୍ଷ 80 ହଜାର ମେଟ୍ରିକ ଟନ୍ ଧାନ କିଣି ସାରିଲୁଣି ଓ ଚାଷୀ ମାନଙ୍କଠାରୁ ସମସ୍ତ ଧାନ କିଣିବୁ ଓ ସେମାନଙ୍କୁ ସହାୟତା ଦେଇ ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବୁ।

କଂଗ୍ରେସ ଦଳକୁ ତ ଲୋକେ 25 ବର୍ଷ ହେଲା ପ୍ରାୟ ଭୁଲି ଯାଇଛନ୍ତି। ତାଙ୍କ ସମୟର କୃଷି କଥା ଏବେକାର କୃଷିସହିତ ତୁଳନୀୟ ନୁହେଁ। କାରଣ, ତାଙ୍କ ସମୟରେ ଓଡିଶା ଅନାହାର ମୃତ୍ୟୁ, କ୍ଷୁଧାର ତାଡନା, ମହାବାତ୍ୟା ସମୟରେ ଚାଉଳ ଗଣ୍ଡେ ପାଇବା ପାଇଁ ବିଭିନ୍ନ ପଡୋଶୀ ରାଜ୍ୟ ଉପରେ କିପରି ଆମେ ହାତ ପତାଉଥିଲେ, ତାହା ସମଗ୍ର ଓଡିଶାବାସୀ ଦେଖିଛନ୍ତି। ତେଣୁ, ଓଡିଶାରେ ତାଙ୍କର କୃଷି ପ୍ରତି ଅବଦାନ ବିଷୟରେ ଯେତେ କମ କହିଲେ ସେତେ ଭଲ।

ମୁଖ୍ୟ ବିରୋଧୀଦଳ ବାରମ୍ବାର ଚାଷ ଓ ଚାଷୀଙ୍କୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଯଦି, ଆପଣମାନେ କୃଷି ପାଇଁ ଏତେ ଭଲ କାମ କରିଛନ୍ତି, ତେବେ ଆପଣଙ୍କ ସମୟରେ ଚାଷୀଙ୍କ ଆୟ ସାରା ଦେଶରେ ଶେଷ ଆଡୁ ଦ୍ଵିତୀୟ କାହିଁକି ଥିଲା? ଓଡିଶାର ଚାଷୀଙ୍କ ଆୟ ମାସକୁ ମାତ୍ର 5 ହଜାର 115 ଟଙ୍କା କାହିଁକି ଥିଲା? ଏହାର ଉତ୍ତର କିଏ ଦେବ।

ଆମ ସରକାରକୁ 24 ମାସ ବି ପୁରିନାହିଁ। ଯେଉଁ ତଥାକଥିତ 24 ବର୍ଷର ସରକାର ଧାନ MSP ପାଇଁ ପ୍ରାୟ 29 ଶହ ଟଙ୍କା ପ୍ରଦାନ କରିବାକୁ ଏଇ ପବିତ୍ର ଗୃହରେ ପ୍ରସ୍ତାବ ପାରିତ କରିଥିଲେ, ତାହା ତ କରି ପାରିଲେ ନାହିଁ, କିନ୍ତୁ ଆମେ ମାତ୍ର 24 ଘଣ୍ଟାରେ କୁଇଣ୍ଟାଲ ପିଛା 31 ଶହ ଟଙ୍କା ପ୍ରଦାନ କରିବାରେ ସମର୍ଥ ହୋଇଛୁ।

24 ବର୍ଷ ଶାସନ କରି ଯେଉଁ କୃଷକ ପରିବାରର ଆୟରେ ବୃଦ୍ଧି କରି ପାରିଲେ ନାହିଁ, ଆମ ସରକାର 24 ମାସରୁ ବି କମ ସମୟ ଭିତରେ ପ୍ରତି ପରିବାରର ଆୟ ଅତି କମରେ ବାର୍ଷିକ 33 ହଜାର ଟଙ୍କାରୁ ବି ଅଧିକ କରିବାରେ ସମର୍ଥ ହୋଇଛୁ। ଏହା ସମ୍ଭବ ହୋଇଛି ସମୃଦ୍ଧ କୃଷକ ଯୋଜନାରେ ଅଧିକ ଇନ୍ପୁଟ ସବସିଡି ପ୍ରଦାନ, ସୁଭଦ୍ରା ଯୋଜନାରେ ପ୍ରତି ଯୋଗ୍ୟ ମହିଳା, ଯେଉଁମାନେ ପ୍ରାୟ ସମସ୍ତେ କୃଷି ପରିବାରର, ତାଙ୍କୁ ବାର୍ଷିକ 10 ହଜାର କୋଟି ଟଙ୍କା ପ୍ରଦାନ କରିବା ଯୋଗୁଁ।

ଆଜି ଯେତେବେଳେ 24 ବର୍ଷର ସରକାରଙ୍କୁ ପଚରାଯାଉଛି, ସେମାନେ 100 ଟଙ୍କା ବୋନସ ଘୋଷଣା କରି କାହିଁକି ନିଜ ପ୍ରତିଶୃତି ରକ୍ଷା କରି ପାରିଲେ ନାହିଁ, କହୁଛନ୍ତି ଯେ କେନ୍ଦ୍ର ସରକାର ଅନୁମତି ଦେଲେ ନାହିଁ। ଯଦି, ଏହା ସତ ତେବେ, ଛତିଶଗଡର କଂଗ୍ରେସ ସରକାର କିପରି ଭାବେ ବର୍ଦ୍ଧିତ ଇନ୍ପୁଟ ସହାୟତା ଦେବାରେ ସମର୍ଥ ହୋଇଥିଲେ? ଅସଲ କଥା ହେଉଛି, 24 ବର୍ଷର ସରକାରଙ୍କ ଚାଷୀଙ୍କ ପ୍ରତି କୌଣସି ଦରଦ ନ ଥିଲା, କେବଳ ମିଛରେ ଲୁହ ଗଡାଉଛନ୍ତି।

ଇନ୍‌ପୁଟ୍‌ ସହାୟତା ଚାଷୀଙ୍କୁ ଉତ୍ସାହ ଦେଇଛି । ଆମ ସରକାରଙ୍କ ଇନ୍ପୁଟ ସହାୟତା ଘୋଷଣା ପରେ ନିଶ୍ଚିତ ଭାବେ ଅଧିକ ଚାଷ ହୋଇଛି, ଯାହା Store କରିବା ପାଇଁ ଭିତ୍ତିଭୂମି ନାହିଁ। ଭିତ୍ତିଭୂମିକୁ ତ ରାତାରାତି କରି ହେବ ନାହିଁ। ଆମେ ଏଥିପାଇଁ 100 ଟି ମଡେଲ ମଣ୍ଡି, ଭବିଷ୍ୟତ ଚାହିଦାକୁ ଦୃଷ୍ଟିରେ ରଖି ପ୍ରାୟ 15 ଲକ୍ଷ ମେଟ୍ରିକ ଟନର ଗୋଦାମ ଷ୍ଟୋରେଜ ନିର୍ମାଣ କରୁଛୁ। ଆପଣଙ୍କ ସମୟରେ ତ ଗୋଟିଏ ବି ଶୀତଳ ଭଣ୍ଡାର ନିର୍ମାଣ କଲେ ନାହିଁ, ପ୍ରାୟ ସବୁଗୁଡା ବନ୍ଦ କରିଦେଲେ। ଆମେ ଆଜି ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ନିର୍ମାଣ କରୁଛୁ।

ମୁଁ ଏହି ଗୃହ ମାଧ୍ୟମରେ ରାଜ୍ୟର ସବୁ ଚାଷୀଙ୍କୁ ନିର୍ଭର ପ୍ରତିଶୃତି ଦେଉଛି ଯେ ଚାଷୀଙ୍କ ସବୁ ସମସ୍ଯା ସମାଧାନ କରାଯିବ ଏବଂ ସବୁ ଯୋଗ୍ୟ ଚାଷୀଙ୍କ ସବୁ କ୍ରୟଯୋଗ୍ୟ ସବୁ ଧାନକୁ ଉଠାଇବୁ।

ମାନନୀୟା ବାଚସ୍ପତି ମହୋଦୟା,
ସହର ରୂପାନ୍ତରଣ କ୍ଷେତ୍ରରେ ବର୍ତ୍ତମାନ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛି। ନୂତନ ପଦକ୍ଷେପ ଯଥା “ଲିଭେବଲ୍ ସିଟି ମିଶନ” ଅଧୀନରେ, ଆମ ସରକାର ସହରୀ ବିକାଶ ପାଇଁ 373 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖିଛନ୍ତି।

ନଗର ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ପାଇଁ “ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ” ନାମରେ ଏକ ନୂଆ ଯୋଜନା ଆରମ୍ଭ କରାଯାଉଛି । ଏହି ଯୋଜନା ପାଇଁ 100 କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏହି ପଦକ୍ଷେପ, ପ୍ରମୁଖ ସହରଗୁଡ଼ିକର ବ୍ୟାପକ ବିକାଶ କରିବା ସହିତ ବାସଯୋଗ୍ୟ ହେବା ପାଇଁ ମୌଳିକ ସହରୀ ସୁବିଧା ଯୋଗାଇଦେବ ।

ନଗର ପରିବହନର ଆଧୁନିକୀକରଣ ନିମନ୍ତେ, ସହରାଞ୍ଚଳ ପରିବହନ ଭିତ୍ତିଭୂମିର ବିକାଶ ସହିତ ପିଏମ-ଇ-ବସ୍ ସେବା (PM-e-Bus Sewa) ଯୋଜନାରେ 373 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖା ଯାଇଛି ।

ଏହା ସହିତ, “ସମୃଦ୍ଧ ସହର” ଯୋଜନା ଅଧୀନରେ 250 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ସହରାଞ୍ଚଳରେ ଜୀବିକା ସୃଷ୍ଟି ସୁନିଶ୍ଚିତ କରିବା ପାଇଁ, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରାଞ୍ଚଳ ମଜୁରୀ ନିଯୁକ୍ତି ପାଇଁ 200 କୋଟି ଟଙ୍କା ପ୍ରଦାନ କରାଯାଇଛି।

6. ଭାରତ ସରକାରଙ୍କ ଦ୍ଵାରା ପ୍ରଣୀତ ବିକଶିତ ଭାରତ – ରୋଜଗାର ପାଇଁ ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ ଗ୍ରାମୀଣ ଅଧିନିୟମ, 2025 ଅନୁସାରେ ଭିବି ଜି-ରାମ-ଜି ଯୋଜନା କାର୍ଯ୍ୟକାରୀ ହେବ । କେନ୍ଦ୍ରୀୟ ବଜେଟ୍, 2026-27ରେ ଭିବି ଜି-ରାମ-ଜି ପାଇଁ 95 ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି । ତେଣୁ, ମୁଁ ଗ୍ରାମୀଣ ପରିବାରଙ୍କ ଆୟକୁ ସୁଦୃଢ଼ କରିବା ପାଇଁ 125 ଦିନର ରୋଜଗାରର ଗ୍ୟାରେଣ୍ଟି ନିମନ୍ତେ ଏହି ଯୋଜନା ଅଧିନରେ ଆବଶ୍ୟକୀୟ ଅର୍ଥ ବ୍ୟୟ ବରାଦର ପ୍ରସ୍ତାବ ଦେଇଛି ।

ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଡାଲଖାଇ (DALKHAI) “Dignified Access to Livelihood, Knowledge, Health and Allied Infrastructure” ନାମକ ଏକ ନୂତନ ପ୍ରୟାସର ପ୍ରସ୍ତାବ ରହିଅଛି । ଏହି ପ୍ରୟାସ ମାଧ୍ୟମରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରି ସ୍ଥାୟୀ ଓ ସୁରକ୍ଷିତ ଜୀବିକା ସୃଷ୍ଟି କରାଯିବ ।

ମାନନୀୟା ବାଚସ୍ପତି ମହୋଦୟା,
ଗତ ସପ୍ତାହରେ ପୁରା ବିଶ୍ଵ ଦେଖିଲା କିପରି ଭାବେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ AI Impact Summit ବିଶ୍ଵର ସବୁ ପ୍ରମୁଖ IT Companyଙ୍କୁ ଗୋଟିଏ ମଞ୍ଚରେ ଆଣିଥିଲା, ଯାହା ଅଭୂତପୂର୍ବ।

ଏହି Summit ମୂଳରେ ଥିଲା କିପରି ଭାବେ AI କୁ ଶାସନ-ପ୍ରଶାସନ, ଦୈନନ୍ଦିନ ଜୀବନରେ ବ୍ୟବହାରଯୋଗ୍ୟ କରାଯିବ। ଏଥିପାଇଁ ଆବଶ୍ୟକ ସେମିକଣ୍ଡକ୍ଟର। ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଓଡିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସହଯୋଗ କରିବା ପାଇଁ Rare Earth କରିଡର ନିମନ୍ତେ 10 କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ରହିଛି ।

ଆମ ରାଜ୍ୟ ଭାରତ ସେମିକଣ୍ଡକ୍ଟର ମିଶନ ପ୍ରୋତ୍ସାହନ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପୁଞ୍ଜି ନିବେଶ ସବସିଡିର ଅତିରିକ୍ତ 50 ପ୍ରତିଶତ ପ୍ରଦାନ କରୁଛି ।

“ରାଜ୍ୟ ଏଆଇ ମିଶନ” ମାଧ୍ୟମରେ ଏଆଇ କୁ ଶାସନ ଏବଂ ସେବା ବିତରଣରେ ଏକୀକରଣ କରିବା ଦିଗରେ ବିଭାଗଗୁଡିକୁ ସାହାଯ୍ୟ କରିବ; ଯାହା, ରାଜ୍ୟ ଶାସନ ବ୍ୟବସ୍ଥାର ଦକ୍ଷତା, ସଠିକତା ଏବଂ ସଂବେଦନଶୀଳତା ବୃଦ୍ଧି ପାଇଁ ଜରୁରୀ ଅଟେ । ଆମ ସରକାରଙ୍କ ସମୟୋଚିତ ପଦକ୍ଷେପ ଫଳରେ ଓଡିଶା ଆଗାମୀ ଦିନରେ ‘ସେମିକଣ୍ଡକ୍ଟର କ୍ୟାପିଟାଲ’ ହେବାକୁ ଯାଉଛି।

କେବଳ ସେମିକଣ୍ଡକ୍ଟର ନୁହେଁ, ବର୍ତ୍ତମାନ ଓଡିଶାରେ ଏକ ପ୍ରକାର ଶିଳ୍ପ ବିପ୍ଲବ ଚାଲିଛି। ଯେଉଁ 24-ବର୍ଷର ସରକାର Make in Odishaକୁ କେବଳ ନିଜ ପ୍ରଚାର ପ୍ରସାର କରିବା ପାଇଁ ବ୍ୟବହାର କରୁଥିଲେ, ନିଜ ଇମେଜ ନିର୍ମାଣ କରିବା ପାଇଁ ଚେଷ୍ଟା କରୁଥିଲେ, ଆଜି 24 ମାସରୁ କମ ସମୟ ମଧ୍ୟରେ ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇ ସାରିଲାଣି। ପୂର୍ବରୁ ଦୁଇଥର Make in Odishaର ଡିଣ୍ଡିମ ପିଟି କେତେ ଟଙ୍କାର ପୁଞ୍ଜି ପ୍ରସ୍ତାବ ଆସିଥିଲା ଏବଂ ସେଥିରୁ କେତେ କୋଟି ଟଙ୍କା ପ୍ରକୃତରେ ଆସି ବିନିଯୋଗ ହୋଇଥିଲା, ତାହାର ହିସାବ ଯଦି ଦେବି, ଅଯଥାରେ ଅଧିକ ଲଜ୍ଜିତ ହେବାକୁ ପଡିବ।

ମାତ୍ର ବର୍ଷକ ମଧ୍ୟରେ ଗତ ଉତ୍କର୍ଷ ଓଡିଶାରୁ ରାଉରକେଲା ସମ୍ମିଳନୀ ପର୍ଯ୍ୟନ୍ତ ଆମେ 20 ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ପାଇଁ intent ପାଇଛୁ ଯହିଁରୁ already ଅଢେଇ ଲକ୍ଷ କୋଟି ଟଙ୍କା grounding ହୋଇ ସାରିଛି। ଏହି ସବୁ ପ୍ରକଳ୍ପ ରାଜ୍ୟର ଯୁବକ ଯୁବତୀଙ୍କୁ ଆଗାମୀ କିଛି ମାସ ମଧ୍ୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଆମ ସରକାର ଶାସନ କ୍ଷମତାକୁ ଆସିବା ପରେ ମୁଁ ଓଡିଶାକୁ ‘ଫାର୍ମା କ୍ୟାପିଟାଲ’ କରିବା ପାଇଁ ଅନେକ ପଦକ୍ଷେପ ନେଇଥିଲି, ଯାହାର ପ୍ରତିଫଳନ ହେଉଛି, ଗତ ମାସରେ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଥିବା ଫାର୍ମା ସମିଟ। ଆମ ସରକାର ଏହାକୁ ଆଗକୁ ନେଇ ଦୁଇଟି ଫାରମା ପାର୍କ ପ୍ରତିଷ୍ଠା କରିବାକୁ ଯାଉଛନ୍ତି।

7. ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନକୁ ଆହୁରି ଦୃଢ ଭାବରେ ପ୍ରତିଷ୍ଠିତ କରିବା ପାଇଁ ଆମେ 2026-27 ବଜେଟରେ 1 ହଜାର 23 କୋଟି ଟଙ୍କା ବ୍ୟୟବରାଦ କରିଛୁ, ଯାହା ଗତ ବର୍ଷ ତୁଳନାରେ 25 ପ୍ରତିଶତ ଅଧିକ । ଆମର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ପାଇଁ ଭୁବନେଶ୍ୱରଠାରେ 8 ଶହ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଆମେ ପଦକ୍ଷେପ ନେଇଛୁ । ପୁରୀଠାରେ ଏକ ମେରାଇନ୍ ଆକ୍ୱାରିୟମ୍ ପ୍ରତିଷ୍ଠା ସହ ସମ୍ବଲପୁର, କଟକ, ଭୁବନେଶ୍ୱର, ବାରିପଦା ଏବଂ ବୈତରଣୀ ନଦୀ କୂଳରେ 500 କୋଟି ଟଙ୍କା ବ୍ୟୟରେ ନଦୀପଠାର (Riverfront) ସାମଗ୍ରିକ ବିକାଶ କରାଯିବ ।

ଏହାବ୍ୟତୀତ, ଆମେ 2047 ସୁଦ୍ଧା 25 ହଜାର ହୋଟେଲ ରୁମ୍ ନିର୍ମାଣ ଲକ୍ଷ୍ୟରେ ଏକ ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଆରମ୍ଭ କରୁଛୁ । ଇକୋ-ଟୁରିଜିମ୍‌କୁ ପ୍ରୋତ୍ସାହିତ କରିବା ପାଇଁ ବାଲିପୁଟ, ଶିମିଳିପାଳର ନୱାନା ଏବଂ କରଞ୍ଜିଆର ଦେଓ ଠାରେ ନୂତନ କେନ୍ଦ୍ର ସ୍ଥାପନ କରାଯିବା ସହ ଚିଲିକା ହ୍ରଦର ପୁନରୁଦ୍ଧାର ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ପାଇଁ ମାଷ୍ଟର ପ୍ଲାନ୍ କାର୍ଯ୍ୟକାରୀ କରାଯିବ । କେନ୍ଦୁଝରର ସାନଘାଗରା ଠାରେ 91 କୋଟି ଟଙ୍କା ବ୍ୟୟରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (RPRC) ର ଏକ ଉପ-କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ।

ଆଉ ଏକ ଖୁସିର କଥା ଯେ, ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ରୋପ-ୱେର ବ୍ୟବସ୍ଥା କରାଯାଉଛି। ଆଗାମୀ ଦିନରେ ହରିଶଙ୍କର-ନୃସିଂହନାଥ ମଧ୍ୟରେ, କପିଳାସ ଏବଂ ପୁରୀ ଠାରେ ଏପରି ରୋପ ୱେ ନିର୍ମାଣ କରାଯିବ ଯାହା ସ୍ଥାନୀୟ ପର୍ଯ୍ୟଟନକୁ ଅଧିକ ଗତି ଦେବ ଏବଂ ସ୍ଥାନୀୟ ଆଞ୍ଚଳରେ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ।

ମାନନୀୟା ବାଚସ୍ପତି ମହୋଦୟା,
ଯେ କୌଣସି ରାଜ୍ୟ ହେଉ ନା କାହିଁକି, ନିଜ ନାଗରିକଙ୍କୁ ବିଜୁଳି, ପାଣି ଓ ସଡକ ସୁବିଧା ଦେବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। କିନ୍ତୁ, କଂଗ୍ରେସ ସରକାରଙ୍କ ପ୍ରାୟ ପଚାଶ ବର୍ଷ ହେଉ କି 24-ବର୍ଷର ସରକାର ହେଉ, କେହି ବି ଏଥିପ୍ରତି ଧ୍ୟାନ ଦେଲେ ନାହିଁ ।

କିନ୍ତୁ, 24 ମାସର କମ ସମୟର ବର୍ତ୍ତମାନର ସରକାର ଓଡିଶାର ପ୍ରତି ଗ୍ରାମକୁ ବିଜୁଳି, ସଡକ ଓ ପାନୀୟ ଜଳ ଯୋଗାଣ ପାଇଁ ‘ମିଶନ ପାୱାର’ର ଶୁଭାରମ୍ଭ କରିଛନ୍ତି। ଏହା ଦ୍ଵାରା ଏକ ନିଶ୍ଚିତ ସମୟ ଅର୍ଥାତ୍ 2027 ଡିସେମ୍ବର ଶେଷ ସୁଦ୍ଧା ସମସ୍ତ ଗ୍ରାମକୁ ଏହି ସବୁ ମୌଳିକ ସୁବିଧା ଯୋଗାଇ ଦିଆଯିବ।

ଆମ ସରକାର ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ଏହା ପ୍ରତିଫଳିତ ହୋଇଛି 2026-27 ଆର୍ଥିକ ବର୍ଷର ବଜେଟରେ। ଏହା ଚଳିତ ବଜେଟରେ ପ୍ରବଧାନ କରାଯାଇଛି, କିନ୍ତୁ ଆସନ୍ତା ବର୍ଷ ପାଇଁ ଏହାକୁ ଅଧିକ ବ୍ୟାପକ କରାଯାଇଛି।

ଏହି ବଜେଟରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ 4ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛୁ । ଓଡ଼ିଶାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଖଣି ଓ ଧାତୁ କ୍ଷେତ୍ରରେ କୁଶଳୀ ପେସାଦାରଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜରେ ଖଣି ଏବଂ ଧାତୁ ବିଜ୍ଞାନ କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହାକୁ ଧାନ୍‌ବାଦର ଆଇ.ଏସ୍.ଏମ୍ ଏବଂ ଖଡଗ୍‌ପୁର’ର ଆଇ.ଆଇ.ଟି ଢାଞ୍ଚାରେ ବିକଶିତ କରାଯିବ । ପାରାଦୀପ ଓ ବଲାଙ୍ଗିରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ୍ ସ୍ଥାପନ କରିବା ପାଇଁ ପ୍ରସ୍ତାବ ରହିଛି ।

ଗୁଣାତ୍ମକ ଚିକିତ୍ସା ଶିକ୍ଷାର ସମ୍ପ୍ରସାରଣ ଏବଂ ଆୟୁଷ (AYUSH) ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ାରେ ତିନୋଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଏବଂ ନୂଆପଡ଼ାରେ ଦୁଇଟି ନୂତନ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି । ସେହିପରି ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ପ୍ରାବଧାନ କରାଯାଇଛି।

8. ଜନସ୍ୱାସ୍ଥ୍ୟ ସେବା (Public Health) ପାଇଁ ମୋଟ 23 ହଜାର 182 କୋଟି ଟଙ୍କା ଆବଣ୍ଟନର ପ୍ରସ୍ତାବ ରହିଛି, , ଯେଉଁଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ 17 ହଜାର 737 କୋଟି ଟଙ୍କା ସାମିଲ ରହିଛି ।

9. ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତାବିତ ଏହି ବ୍ୟୟ ମୋଟ ବଜେଟ ଆକାରର 7.5 ପ୍ରତିଶତ ରୁ ଅଧିକ ଅଟେ । ବଢୁଥିବା ରୋଗୀ ସଂଖ୍ୟା ଏବଂ ଜରୁରୀକାଳୀନ ମାମଲା ଠାରୁ ଆରମ୍ଭ କରି କ୍ରୋନିକ୍ ରୋଗ ଏବଂ ମହାମାରୀ ବିପଦ ପର୍ଯ୍ୟନ୍ତ ଆମ ଲୋକଙ୍କ ପାଇଁ ବଢୁଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ସମଗ୍ର ଓଡ଼ିଶାରେ ଆମର ସ୍ୱାସ୍ଥ୍ୟସେବା କ୍ଷମତାର ଏକ ବଡ଼ ସମ୍ପ୍ରସାରଣ ଆରମ୍ଭ କରୁଛୁ । ଏବଂ ବିଭିନ୍ନ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରୁଛୁ । ଗତ ସରକାର ଏ ଦିଗରେ କୌଣସି କାମ କରି ନଥିଲେ । ଏହା ଡାକ୍ତରଖାନା ଭିଡ଼କୁ ହ୍ରାସ କରିବ ସହ ଆମର ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବ ।

10. 2 ବର୍ଷ ମଧ୍ୟରେ 2 ଟି ମେଡିକାଲ କଲେଜ ଯଥା କନ୍ଧମାଳ ଓ ତାଳଚେର ମେଡିକାଲ କଲେଜ କାର୍ଯ୍ୟକାରୀ କରାଯାଇଅଛି ଓ ନବରଙ୍ଗପୁର, ଜଗତସିଂହପୁର, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାରେ 4 ଗୋଟି ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଘୋଷଣା କରାଯାଇଅଛି। ଏହି ସମୟ ମଧ୍ୟରେ 62ଟି PG Seat (553 ରୁ 615 ), 200 ଟି UG seat ( 1600 ରୁ 1800) ଓ 29 ଟି DNB seat ବୃଦ୍ଧି କରାଯାଇଅଛି । ଆଗାମୀ ଦୁଇ ବର୍ଷ ଭିତରେ PG seat 1 ହଜାର 117 କୁ ବୃଦ୍ଧି କରାଯିବ (502 ଗୋଟି ନୂତନ PG Seat) ବୃଦ୍ଧି କରାଯିବ ।

11. ସେହି ଭଳି ଆୟୁଷ (AYUSH) କ୍ଷେତ୍ରରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ସରକାର ଏକ ଆୟୁର୍ବେଦ ଚିକିତ୍ସା ମହାବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି । 2 ହଜାର 488 ଜଣ ଯୋଜନା ଭିତ୍ତିକ ଆୟୁଷ ଡାକ୍ତରଙ୍କର ଦରମା ବୃଦ୍ଧି କରାଯିବାର ନିଷ୍ପତି ନିଆଯାଇଅଛି । ଏହି ବଜେଟରେ 3 ଗୋଟି ନୂତନ ଆୟୁର୍ବେଦ ଓ 2 ଗୋଟି ନୂତନ ହୋମିଓପାଥିକ୍ ମେଡିକାଲ କଲେଜ୍ ନିର୍ମାଣ ନିମନ୍ତେ ଘୋଷଣା କରାଯାଇଅଛି।

12. ରାଜ୍ୟରେ ପୂର୍ବରୁ ପ୍ରଚଳିତ ବିଜୁସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନାରେ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ 16ଟି ରାଜ୍ୟର 900 ହସ୍ପିଟାଲରେ ଚଳୁଥିଲା।

କିନ୍ତୁ ବର୍ତ୍ତମାନ ପ୍ରଚଳିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ପରିବାରର ପ୍ରତି ସଦସ୍ୟଙ୍କୁ ଅଲଗା ଅଲଗା କାର୍ଡ଼ ବ୍ୟବସ୍ଥା ସହ ,ସାରାଦେଶରେ 32 ହଜାର ଘରୋଇ ଓ ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରୁଛି। ଏହା ବ୍ୟତୀତ, ବୟୋ ବନ୍ଦନା ଯୋଜନାରେ 70 ବର୍ଷରୁ ଉର୍ଦ୍ଧ ସମସ୍ତ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଅଛି।

ମାନନିୟା ବାଚସ୍ପତି ମହୋଦୟା,
ଆମ ଶାସ୍ତ୍ରରେ ଅଛି, ‘ନାରୀ ସମାଜସ୍ୟ କୁଶଲ ବାସ୍ତୁକାର’। ଅର୍ଥାତ, ନାରୀ ହେଉଛନ୍ତି ସମାଜର ପ୍ରକୃତ କୁଶଳୀ ନିର୍ମାଣକାରୀ। ରାଜ୍ୟର ଅଧା ଜନସଂଖ୍ୟାଙ୍କ ଉନ୍ନତି ପାଇଁ ଆମ ସରକାର ପ୍ରତିବଦ୍ଧ।

ଆମ ପାଇଁ ନାରୀ ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ କି ରାଜନୈତିକ ଅସ୍ତ୍ର ନୁହେଁ । ସେମାନେ ଆମପାଇଁ ନମସ୍ୟା । ରାଜ୍ୟର ପ୍ରତ୍ଯେକ ନାରୀ ଆମ ପାଇଁ ଜଣେ ଜଣେ ସୁଭଦ୍ରା।

ମହିଳାମାନଙ୍କର ସଶକ୍ତିକରଣ ଓ ଗରିମା ରକ୍ଷା, ଆମ ସରକାରଙ୍କର ପ୍ରମୁଖ ପ୍ରାଥମିକତା । ଏହି ଉଦ୍ଦେଶ୍ୟରେ ବିଭିନ୍ନ ମହିଳା ଓ ଶିଶୁ କୈନ୍ଦ୍ରିକ ନୀତି ଓ କଲ୍ୟାଣମୂଳକ ପଦକ୍ଷେପ ପାଇଁ ମୋଟ 18 ହଜାର 957 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ତେବେ, ଏହା ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, 2023-24 ଆର୍ଥିକ ବର୍ଷରେ ମହିଳା ଓ ଶିଶୁ ବିକାଶ ଯୋଜନା ପାଇଁ 3 ହଜାର 670 କୋଟି ଟଙ୍କା ବ୍ୟୟ ବରାଦ ଥିବାବେଳେ, ବର୍ତ୍ତମାନ ତାହା ପ୍ରାୟ 4.4 ଗୁଣ ବୃଦ୍ଧି ପାଇ 16 ହଜାର 153 କୋଟି ଟଙ୍କାରେ ପହଞ୍ଚିଛି ।

ଏହା ଦ୍ଵାରା ଆମେ ମହିଳାମାନଙ୍କର ସଶକ୍ତିକରଣ ସୁନିଶ୍ଚିତ କରିପାରିଛୁ । ଆମର ମହତ୍ତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାରେ 10 ହଜାର 145 କୋଟି ଟଙ୍କା ଓ ସୁଭଦ୍ରା ସୁରକ୍ଷା ଅଧୀନରେ 117 କୋଟି ଟଙ୍କାର ପ୍ରସ୍ତାବ ପ୍ରମୁଖ ଅଟେ। ମହିଳାମାନଙ୍କୁ DBT ମାଧ୍ୟମରେ ମାତୃତ୍ୱ ସୁବିଧା ଯୋଗାଇ ଦେବା ପାଇଁ ମମତା ଯୋଜନା ଅଧୀନରେ 320 କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY) ଅଧୀନରେ 180 କୋଟି ଟଙ୍କା ପ୍ରସ୍ତାବ ରହିଛି ।

ମହିଳା ସଶକ୍ତିକରଣ ନିମନ୍ତେ ଆମ ସରକାରଙ୍କ ଏକ ପ୍ରମୁଖ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଝିଅ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା ।

ଏହି ଉଦ୍ଦେଶ୍ୟ ପାଇଁ, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି, ଏହି ଯୋଜନାରେ ଆର୍ଥିକ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ନାମରେ 20 ହଜାର ଟଙ୍କାର ଏକ ସଞ୍ଚୟ ପାଣ୍ଠି ଖୋଲାଯିବ । ସ୍ନାତକ ସମାପ୍ତ କରିବା ପରେ ତାଙ୍କୁ 1 ଲକ୍ଷ 1 ଟଙ୍କା ପ୍ରଦାନ କରାଯିବ । ଗତ ବର୍ଷ ଯେଉଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରା ଯାଇଥିଲା, ତାହା ଏ ବର୍ଷ ବି ଜାରି ରହିଛି। ଆମ ସରକାରଙ୍କ ଏହି ସବୁ ଯୋଜନା ଫଳରେ, ‘ଗରିବଙ୍କ ପାଇଁ କନ୍ୟା ସନ୍ତାନ ଅଭିଶାପ ନୁହେଁ, ବରଂ ଏହାକୁ ସେମାନ ବର୍ତ୍ତମାନ ଆଶୀର୍ବାଦ ଭାବେ ମନେ କରୁଛନ୍ତି।

13. ଚଳିତ ବର୍ଷ ବଜେଟରେ କେବଳ ମହିଳାଙ୍କ ପାଇଁ ଅତି କମରେ 1 ଲକ୍ଷ 22 ହଜାର 764 କୋଟି ଟଙ୍କାର ପ୍ରାବଧାନ କରାଯାଇଛି ଯାହା ଜେଣ୍ଡର ବଜେଟିଙ୍ଗରେ ଅଛି। ଅର୍ଥାତ୍, ସମଗ୍ର ବଜେଟର ପ୍ରାୟ 31 ଦଶମିକ 50 ପ୍ରତିଶତ ଖର୍ଚ୍ଚ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯାହା ଏକ ସର୍ବକାଳୀନ ରେକର୍ଡ। ଏଥିରୁ, ଆମ ସରକାରଙ୍କ ମହିଳାଙ୍କ ପ୍ରତି ପ୍ରତିବଦ୍ଧତା ଅନୁମେୟ।

14. ମଧୁବାବୁ ପେନସନ୍ ଯୋଜନା (MBPY) ଏବଂ NSAP ଯୋଜନାରେ 57 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ବର୍ଦ୍ଧିତ ହାର ରେ ବର୍ତ୍ତମାନ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରାଯାଉଛି ।

ମାତ୍ର, ଦୁଃଖର ସହିତ କହିବାକୁ ପଡୁଛି ଯେ, ଆଜି ମଧ୍ୟ ରାଜ୍ୟରେ 6 ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତି ସାମାଜିକ ସୁରକ୍ଷା ପେନ୍‌ସନରୁ ବଞ୍ଚିତ ଅଛନ୍ତି । ଏହା ରାଜ୍ୟର ବୃଦ୍ଧ ଓ ଅସହାୟ ନାଗରିକମାନଙ୍କ ପ୍ରତି ଏକ ଅନ୍ୟାୟ। ପୂର୍ବତନ ସରକାର ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଆପଣମାନେ ଜାଣି ଖୁସି ହେବେ ଯେ, ଆମ ସରକାର ଏହାର ସମାଧାନ ପାଇଁ “ମଧୁବାବୁ ପେନ୍‌ସନ ଯୋଜନା” ଅଧୀନରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ saturation ମୋଡ୍‌ରେ ଅନ୍ତର୍ଭୁକ୍ତ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଆମେ ତୁରନ୍ତ ବାଦ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ପେନସନ ପ୍ରଦାନ କରିବୁ ।

ମୁଁ ଏହି ପବିତ୍ର ଗୃହ ମାଧ୍ୟମରେ ରାଜ୍ୟବାସୀଙ୍କୁ ନିର୍ଭର ପ୍ରତିଶୃତି ଦେଉଛି ଯେ ରାଜ୍ୟରେ କୌଣସି ବର୍ଗ ଆମ ସରକାରଙ୍କ ପାଇଁ ଅବହେଳିତ ହେବେ ନାହିଁ। ମାନନୀୟ ମୋଦୀ ଜୀ ରେଖାଙ୍କିତ କରିଥିବା ଚାରି ବର୍ଗ ଯେପରିକି ‘ଗରିବ, ମହିଳା, ଯୁବା ଏବଂ ଅନ୍ନଦାତା’ଙ୍କ ପାଇଁ ବିଶେଷ ଧ୍ୟାନ ଦିଆ ଯାଇଛି। ଏହି ବଜେଟ ହେଉଛି ‘ସମୃଦ୍ଧ ଓଡିଶା’ ନିର୍ମାଣ ପାଇଁ ଏକ ରୋଡ ମ୍ୟାପ। ରାଜ୍ୟର ପ୍ରତ୍ଯେକ କ୍ଷେତ୍ର (region), ପ୍ରତ୍ଯେକ ଜିଲ୍ଲା ପାଇଁ କିଛି ନା କିଛି ଯୋଜନା ଘୋଷଣା କରା ଯାଇଛି। ତେଣୁ, ଆଜି କୌଣସି ବିରୋଧୀ ଦଳ ସଦସ୍ୟ ଆମ ବଜେଟକୁ ସମାଲୋଚନା କରି ପାରୁ ନାହାନ୍ତି କେବଳ ରାଜନୀତି କରୁଛନ୍ତି ।

ମାନନୀୟା ବାଚସ୍ପତି ମହୋଦୟା,
15. କିଛି ସଦସ୍ୟ/ସଦସ୍ୟା ଚଳିତ ବଜେଟରେ ପ୍ରବଧାନ କରାଯାଇଥିବା ଖର୍ଚ୍ଚକୁ ନେଇ ଉଦବେଗ ଜଣାଇଛନ୍ତି। ମୁଁ ସ୍ପଷ୍ଟ ଭାବେ ଗୃହକୁ ଆଉଥରେ ଜଣାଇଦେବାକୁ ଚାହୁଁଛି ଯେ, ଚଳିତ ବର୍ଷ ଜାନୁୟାରୀ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ ପ୍ରାୟ 1 ଲକ୍ଷ 7 ଶହ କୋଟି ଟଙ୍କା ଅଟେ, ଯାହାକି ଗତ ବର୍ଷ ଜାନୁୟାରୀ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ 86 ହଜାର 7 ଶହ 31 କୋଟି ଟଙ୍କା ଠାରୁ ପ୍ରାୟ 14 ହଜାର କୋଟି ଟଙ୍କା ଅଧିକ ଅଟେ ଏବଂ 16 ପ୍ରତିଶତ ଅଧିକ ଅଟେ । ତେଣୁ, ବିରୋଧୀ ଦଳର କେତେକ ମାନ୍ୟବର ସଦସ୍ୟଙ୍କର ଖର୍ଚ୍ଚ ନ ହେବା ବାବଦକୁ ଆଣିଥିବା ଅଭିଯୋଗ ନିରାଧାର ।

ତେବେ, ଖର୍ଚ୍ଚ କୁ ଆହୁରି ବୃଦ୍ଧି କରିବା ପାଇଁ ଆମେ ଠୋସ୍ ପଦକ୍ଷେପ ନେଉଛୁ । ମୋର ବିଶ୍ଵାସ, ଏହି ସବୁ ପଦକ୍ଷେପ ଦ୍ୱାରା ଚଳିତ ବର୍ଷ ବଜେଟରେ ବ୍ୟବସ୍ଥିତ ଅର୍ଥର ବିନିଯୋଗ ହାର ଗତ ବର୍ଷର ବିନିଯୋଗ ହାର ଠାରୁ ଅଧିକ ହେବ । କେନ୍ଦ୍ର ଓ ରାଜ୍ୟରେ ଆମ ସରକାର, ସରକାରୀ ବ୍ୟୟ ବ୍ୟବସ୍ଥାରେ ଅନେକ ସଂସ୍କାର କାର୍ଯ୍ୟକାରୀ କରୁଛନ୍ତି। ଦୁଇଟି ପ୍ରମୁଖ ସଂସ୍କାର ହେଉଛି: SNA-SPARSH & JiTFS(Just in Time Funding System), ଯେଉଁଥିରେ ଯୋଜନା ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଅର୍ଥ ପୈଠ କରାଯାଇଥାଏ ।

ଖର୍ଚ୍ଚହାର ଉପରେ ସରକାରଙ୍କର ନଜର ରହିଛି ଓ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଉଛି ଏବଂ ଯୋଜନା ଅର୍ଥକୁ, ପୂର୍ବପରି ପାର୍କିଂ କରିବା କୁ ଅନୁମତି ଦିଆଯାଉ ନାହିଁ । ଏହି ସବୁ ସମସ୍ତ ପଦକ୍ଷେପ ସତ୍ତ୍ୱେ, ବଜେଟ ଅର୍ଥ ଖର୍ଚ୍ଚ ପାଇଁ ଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ।

ହାରାହାରି GSDP ଅଭିବୃଦ୍ଧି : 2014-15 ଆର୍ଥିକ ବର୍ଷରୁ 2023-24 ପର୍ଯ୍ୟନ୍ତ 10 ବର୍ଷ ମଧ୍ୟରେ ଓଡ଼ିଶାର ହାରାହାରି ଜିଏସଡିପି ଅଭିବୃଦ୍ଧି ହାର 6.6% ଥିଲା । 2024-25 ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥନୀତିର 7.2% ଅଭିବୃଦ୍ଧି ହାର ରହିଛି ।

ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ 2025-26ରେ ଓଡ଼ିଶାର ଅଭିବୃଦ୍ଧି ହାର 7.9% ରହିବ ବୋଲି ଆକଳନ କରାଯାଇଛି। ଆସନ୍ତା 2026-27 ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥନୀତି 8%ରୁ ଅଧିକ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି।

16. ମୁଣ୍ଡପିଛା ଆୟ : 2025-26 ଆର୍ଥିକ ବର୍ଷରେ ଓଡ଼ିଶାର ହାରାହାରି ମୁଣ୍ଡପିଛା ଆୟ ବର୍ତ୍ତମାନର ମୂଲ୍ୟରେ 1 ଲକ୍ଷ 86 ହଜାର ଟଙ୍କା ରହିବା ବେଳେ ଭାରତର ହାରାହାରି ମୁଣ୍ଡପିଛା ଆୟ 2 ଲକ୍ଷ 19 ହଜାର ଟଙ୍କା ରହିଛି । ଭାରତ ଏବଂ ଓଡ଼ିଶାର ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। 10 ବର୍ଷ ପୂର୍ବେ 2016-17 ଆର୍ଥିକ ବର୍ଷରେ ଏହି ବ୍ୟବଧାନ 26 ପ୍ରତିଶତ ଥିଲା । ଏବେ ଓଡ଼ିଶା ଓ ଭାରତ ମଧ୍ୟରେ ବ୍ୟବଧାନ 15 ପ୍ରତିଶତକୁ ହ୍ରାସ ପାଇଛି।

17. ଋଣ ଜିଏସଡିପି ହାର : 2026-27 ଆର୍ଥିକ ବର୍ଷରେ ଜି.ଏସ.ଡି.ପି ଅନୁପାତ ସହିତ ଋଣ ଅନୁପାତ 14.1 ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି, ଯାହା FRBM ଆଇନ ଦ୍ୱାରା ନିର୍ଦ୍ଧାରିତ 25 ପ୍ରତିଶତ ସୀମା ମଧ୍ୟରେ ରହିଛି । 31 ଜାନୁଆରୀ 2026 ସୁଦ୍ଧା, ଜି.ଏସ.ଡି.ପି ସହିତ ଋଣ ଅନୁପାତ 12.9 ପ୍ରତିଶତ ରେ ବଜାୟ ରହିଛି ।

18. କିଛି ମାନ୍ୟବର ସଦସ୍ୟ ରାଜ୍ୟର ମୁଣ୍ଡ ପିଛା ଋଣ ଉପରେ ଚିନ୍ତା ପ୍ରକଟ କରିଛନ୍ତି । ମୁଁ ଏଠାରେ ଆହୁରି ସୂଚାଇ ଦେବାକୁ ଚାହେଁ ଯେ, ଋଣ ଭାରର ପୋଷଣୀୟତା ମାପିବା ପାଇଁ ଦୁଇ ଗୋଟି ପରିମାପକର ବ୍ୟବସ୍ଥା କରାଯାଇଛି –
i. ଋଣ ଭାର ରାଜ୍ୟ ମୋଟ୍ ଘରୋଇ ଉତ୍ପାଦର ଅନୁପାତ (Debt to GSDP ratio) 25 ପ୍ରତିଶତ ମଧ୍ୟରେ ସୀମିତ ରହିବା ଆବଶ୍ୟକ, ଏବଂ
ii. ସୁଧ ଦେୟ ଓ ରାଜସ୍ୱ ଆୟ (IP-RR ratio) ର ଅନୁପାତ 15 ପ୍ରତିଶତ ମଧ୍ୟରେ ରଖିବା ଆବଶ୍ୟକ ।

19. ମହାଲେଖାକାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁୟାୟୀ 31 ଜାନୁଆରୀ, 2026 ସୁଦ୍ଧା ରାଜ୍ୟର Debt-GSDP ଅନୁପାତ 12.9 ପ୍ରତିଶତ ରହିଅଛି ଏବଂ IP/RR ଅନୁପାତ 2.3 ପ୍ରତିଶତରେ ସୀମିତ ରହିଛି ।

ସେହିପରି, 2026-27 ବଜେଟ ଆକଳନ ଅନୁଯାୟୀ, ବର୍ଷ ଶେଷରେ ରାଜ୍ୟର Debt-GSDP ଅନୁପାତ 14.1 ପ୍ରତିଶତ ଏବଂ IP/RR ଅନୁପାତ 3.3 ପ୍ରତିଶତରେ ସୀମିତ ରହିବ । ରାଜସ୍ୱ ବଳକା ସ୍ଥିତି ବଜାୟ ରହିବା ସହ ସମସ୍ତ ଋଣ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହୃତ ହେବ ।

20. 2026-27 ଆର୍ଥିକ ବର୍ଷର ଏହି ବଜେଟ୍ ଓଡ଼ିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ସ୍ୱପ୍ନ ଓ ସଂକଳ୍ପର ପ୍ରତିଫଳନ ।

ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ, 2005 ର ମାର୍ଗଦର୍ଶିକାକୁ ପାଥେୟ କରି ଆମେ ଏକ ସମତୁଲ ଏବଂ ଦୂରଦୃଷ୍ଟିସମ୍ପନ୍ନ ଆର୍ଥିକ ରଣନୀତି ପ୍ରସ୍ତୁତ କରିଅଛୁ । ଆମର ଲକ୍ଷ୍ୟ ସ୍ପଷ୍ଟ – ସମ୍ବଳର ସୁବିନିଯୋଗ ସହ ପ୍ରତିଟି ଗାଁରେ ବିକାଶର ଲହର ଏବଂ ପ୍ରତିଟି ପରିବାରରେ ସମୃଦ୍ଧିର ଆଗମନ।

ଆଗାମୀ ଦିନରେ ଓଡିଶା ହେବ ପୂର୍ବ ଭାରତର ସବୁଠାରୁ ସମୃଦ୍ଧ ରାଜ୍ୟ। ଓଡିଶା ହେବାକୁ ଯାଉଛି ନିବେଶକଙ୍କ ପ୍ରଥମ ପସନ୍ଦ ଏବଂ ଏହାକୁ manufacturing hubରେ ପରିଣତ କରିବା ପାଇଁ ଆମ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି।

ମାନନୀୟ ମୋଦୀ ଜୀଙ୍କର ମନ୍ତ୍ର, ‘ବିକାଶ ଭି, ବିରଶତ ଭି’ ଆମ ପାଇଁ ରୋଡ ମ୍ୟାପ। ତେଣୁ ବିକାଶ ସହିତ ଓଡିଆ ସଂସ୍କୃତି, ପରମ୍ପରାକୁ ପ୍ରଚାର ପ୍ରସାର କରିବା ପାଇଁ ଆମ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ସରକାରୀ କାର୍ଯ୍ୟରେ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଓଡିଆ ଭାଷାର ବ୍ୟବହାର କରାଯାଉଛି। ଆମ ପାଇଁ ଜଗନ୍ନାଥ ସଂସ୍କୃତି ହେଉଛି ସର୍ବୋପରି । ଏହାର ପ୍ରଚାର ପ୍ରସାର ପାଇଁ ଆମେ ଅନେକ କାର୍ଯ୍ୟ ହାତକୁ ନେଇଛୁ।

ଆପଣମାନେ ଯେତେବେଳେ ପୁରୀ ଯାଉଥିଲେ, ବୋଧହୁଏ ଆପଣଙ୍କ ପାଇଁ ପୁରୀରେ ଜଗା ଦର୍ଶନ ଓ ସମୁଦ୍ରକୁଳରେ କିଛି ସମୟ ବୁଲିବା ପାଇଁ ଆଉ କିଛି ନ ଥିଲା।

କିନ୍ତୁ, ଏବେ ଆମେ ପୁରୀ ଠାରେ ଏକ ବିଶ୍ଵସ୍ତରୀୟ ମ୍ୟୁଜିଅମ, ଲାଇବ୍ରେରୀ ଏବଂ Light and Sound Show କରିବା ପାଇଁ 1 ହଜାର କୋଟି ଟଙ୍କା 2026-27 ବଜେଟରେ ଉଲ୍ଲେଖ କରିଛୁ। ଏଥି ସହିତ ପୁରୀଠାରେ ଏକ ବିଶ୍ବସ୍ତରୀୟ ଆକ୍ଵାରିଅମ ଓ ଜୁଲୋଜିକାଲ ପାର୍କ ପ୍ରତିଷ୍ଠା ପାଇଁ ବି ବଜେଟରେ ମୁଁ ଘୋଷଣା କରିଛି। ଏବେ ପୁରୀରେ ପନ୍ଦର ଶହ (1500) ଏକରରେ ନିର୍ମିତ ହେଉଛି ଏକ ବୃହତ ‘ଶାମୁକା’ ପର୍ଯ୍ୟଟନ ସ୍ଥଳୀ। ପରମ୍ପରାଗତ ପର୍ଯ୍ୟଟନ ସହିତ ଆଧୁନିକ ଜଳ କ୍ରିଡା ଓ ଅନ୍ଯାନ୍ଯ ମନୋରଞ୍ଜନର ବ୍ୟବସ୍ଥା ରହିବ ଏହି ପ୍ରକଳ୍ପରେ।

ତେଣୁ, ଆଗାମୀ ଦିନରେ ପୁରୀକୁ ଦେଶର ଏକ ପ୍ରମୁଖ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳଭାବେ ଗଢିତୋଳିବାକୁ ସମସ୍ତ ପ୍ରକାର ଚେଷ୍ଟା ଓ ଉଦ୍ୟମ କରାଯାଉଛି।

ଆପଣମାନେ ଯେତେବେଳେ ଆଉ କିଛିମାସ ପରେ ପୁରୀକୁ ଜଗା ଦର୍ଶନ ପାଇଁ ଯିବେ, ଆପଣଙ୍କୁ ‘ପୁରୀ ମହାନଗର ନିଗମ’ ସ୍ଵାଗତ କରିବ କାରଣ ଆମ ସରକାର ବହୁତ କମ ଦିନରେ ହିଁ ପୁରୀ ପୌର ପାଳିକାକୁ ପୁରୀ ମହାନଗର ନିଗମରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ସହିତ ଓଡିଶାରେ ସହରୀକରଣ ଗତି ଦେବା ପାଇଁ ଅଧିକ ମୁନିସିପାଲିଟି ଓ NAC ସୃଷ୍ଟି କରିଛନ୍ତି।

ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଉପଲବ୍ଧ ସମ୍ୱଳର ସୁବିନିଯୋଗ ନିମନ୍ତେ ଏ ବଜେଟ୍‌ ରେ ଅର୍ଥ ବ୍ୟବସ୍ଥା କରାଯାଇଛି । ଏହି ବଜେଟ ହେଉଛି ସାଢେ ଚାରିକୋଟି ଲୋକଙ୍କ ଭବିଷ୍ୟତ।

ବାଚସ୍ପତି ମହୋଦୟା,

ଆପଣଙ୍କ ମାଧ୍ୟମରେ ବିରୋଧୀଦଳ ନେତାଙ୍କୁ ମୁଁ ନିବେଦନ କରିବି ଯେ ଓଡିଶାର ବିକାଶ ଯାତ୍ରାରେ ସେ ସାମିଲ ହୁଅନ୍ତୁ । ବିଧାନସଭା ଗୃହକୁ ଆସି ଓଡ଼ିଶାର ବିକାଶ ମଡେଲକୁ ଆଗକୁ ନେବାର ପରାମର୍ଶ ଦିଅନ୍ତୁ।

ଜନସାଧାରଣଙ୍କୁ ମୋର ଅନୁରୋଧ, ବିରୋଧୀ ଦଳଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ । ସେମାନେ ଗୃହକୁ ଆସି ଗୃହକାର୍ଯ୍ୟରେ ଯୋଗ ଦେଇ ରାଜ୍ୟ ବିକାଶ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ।

ଏହି ଲୋକାଭିମୁଖୀ ବଜେଟକୁ ଗୃହର ଅନୁମୋଦନ ଦେବାକୁ ମୁଁ ଆପଣଙ୍କ ମାଧ୍ୟମରେ ମାନ୍ୟବର ସଦସ୍ୟ ଓ ସଦସ୍ୟାଙ୍କୁ ଅନୁରୋଧ କରୁଛି ।

ଧନ୍ୟବାଦ !
ଜୟ ହିନ୍ଦ !
ବନ୍ଦେ ମାତରମ !
ବନ୍ଦେ ଉତ୍କଳ ଜନନୀ !

Previous Post

ଅସ୍ତିତ୍ୱ ବଞ୍ଚାଇବା ପାଇଁ ନାଟକବାଜି: ବିଜେପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA