ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଯିବା ବାଟରେ ସତ୍ୟବାଦୀ ନିକଟରେ ଅଟକି ଜଣେ ପଇଡ଼ ବିକାଳିଠାରୁ ପଇଡ଼ କିଣି ପିଇଥିଲେ । ତାଙ୍କର ଭଲ ମନ୍ଦ ବି ପଚାରି ବୁଝିଥିଲେ । ପଇଡ଼ ପିଆ ବାବଦରେ ମୁଖ୍ୟମନ୍ତ୍ରୀ ବିକାଳି ଶ୍ରୀଧର ମହାପାତ୍ରଙ୍କୁ ଦୁଇଟି ୫୦୦ ଟଙ୍କିଆ ନୋଟ୍ ବଢ଼ାଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଏଇ ପଇଡ଼ ପିଆ ବଡ଼ ଖବର ହୋଇ ଆଜି ସବୁ ଟିଭିରେ ବାଜିଛି ।
୬ ବର୍ଷ ତଳେ ନୂଆବର୍ଷ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କୁ ଦର୍ଶନ କରି ପୁରୀରୁ ଫେରିଲା ବାଟରେ ପିପିଲି ନିକଟରେ ଗାଡ଼ି ଅଟକାଇ ଦୁଇଟି ପଇଡ଼ ପିଇଥିଲେ । ବିକାଳି ଗଙ୍ଗାଧର ବିଶ୍ୱାଳଙ୍କୁ ଦେଇଥିଲେ ୫୦୦ ଟଙ୍କା । ସେଠି ୧୦ ମିନିଟ୍ ଅଟକିବା ଭିତରେ ମୁଖ୍ୟମନ୍ତ୍ରୀ ତାଙ୍କର ଭଲମନ୍ଦ ମଧ୍ୟ ପଚାରି ବୁଝିଥିଲେ । ସେଦିନ ବି ସବୁ ଟିଭି ଓ ଖବରକାଗଜରେ ଏହା ବଡ଼ ଖବର ହୋଇଥିଲା ।
ଦୁଇ ମୁଖ୍ୟମନ୍ତ୍ରୀଙ୍କ ସମାନ ଢ଼ଙ୍ଗର ପଇଡ଼ ପିଆ ଦୃଶ୍ୟ ସୋସିଆଲ୍ ମିଡିଆରେ ଛାଇ ହୋଇଯାଇଛି । ଏହାକୁ ନେଇ ବିଭିନ୍ନ କୌତୁକିଆ କଥା, ଟୀକା ଟିପ୍ପଣୀ ଦେଖିବାକୁ ମିଳୁଛି । ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଦାବି କରୁଥିବା ମୋହନଙ୍କର ନିଜସ୍ୱ ଢ଼ଙ୍ଗ ବୋଲେ କିଛି ନାହିଁ । ବିଭିନ୍ନ କାର୍ଯ୍ୟରେ ନବୀନଙ୍କୁ ଅନୁସରଣ କରୁଛନ୍ତି ବୋଲି ଅନେକ ଆକ୍ଷେପ କରିଛନ୍ତି । ଯଦି ନବୀନଙ୍କର ଷ୍ଟାଇଲ୍ କୁ ମୋହନଙ୍କର ଏତେ ପସନ୍ଦ, ତେବେ ତାଙ୍କ ଭଳି ଅଳ୍ପ କଥା କହୁନାହାନ୍ତି କାହିଁକି ବୋଲି ସେମାନେ କମେଣ୍ଟ୍ ଦେଇଛନ୍ତି ।
ଆଉ କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ପଇଡ଼ ପିଆର ପ୍ରଚାର ପ୍ରସାରକୁ ପସନ୍ଦ କରିନାହାନ୍ତି । ମୁଖ୍ୟମନ୍ତ୍ରୀ ବାଟରେ ଅଟକି ପଇଡ଼ ପିଇଲେ ଭଲ କଥା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ବ୍ୟାପକ ପ୍ରଚାର ବନ୍ଦୋବସ୍ତକୁ ସେମାନେ ନାପସନ୍ଦ କରିଛନ୍ତି । ଆଜିର ଦିନରେ ସକାଳୁ ସକାଳୁ ଖୋଦ୍ ଭୁବନେଶ୍ୱରରେ ଦୁଇ ଦୁଇଟି ମର୍ଡର, ଆଟାକ୍, ରେପ୍ ଘଟଣା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ବୟାନ କରୁଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଧ୍ୟାନ ଦେଉ । ମୁଖ୍ୟମନ୍ତ୍ରୀଙ୍କର ଏଥିରେ ଭାବମୂର୍ତ୍ତି ବଢ଼ିବ । ପଇଡ଼ ପିଆର ଶସ୍ତା ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ଲୋକହସା କରନ୍ତୁ ନାହିଁ ବୋଲି ଅନେକ ପରାମର୍ଶ ଦେଇଛନ୍ତି ।
ସୂଚନାଥାଉକି, ରାଜଧାନୀରେ ଖୁଲମଖୋଲା ଆତଙ୍କରାଜକୁ ନେଇ ଆଜି ଟୁଇଟ୍ କରି ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ଲେଖିଛନ୍ତି, ଗୋଟିଏ ଦିନରେ ଭୁବନେଶ୍ୱରରେ ଏମ୍ସ କର୍ମଚାରୀଙ୍କୁ ଗୁଳି କରି ନିର୍ମମ ହତ୍ୟା, ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଚନ୍ଦ୍ରଶେଖରପୁରରେ ବିଭତ୍ସ ହତ୍ୟାକାଣ୍ଡ ସହ ରେଳ ଷ୍ଟେସନରେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରିବା ଘଟଣା ସମସ୍ତଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି ।
କେବଳ ଘଟଣା ଘଟିବା ପରେ ବିଜେପି ସରକାରରେ ପୁଲିସ ପ୍ରଶାସନ କ୍ରିୟାଶୀଳ ହେବା ଅପରାଧୀଙ୍କୁ ଭୟଶୂନ୍ୟ କରିଦେଉଛି । କଥା କଥାକେ ଦିବାଲୋକରେ ଗୁଳି ଫୁଟୁଛି, ଅପରାଧୀ ଅବାଧ ଭାବେ ବୁଲୁଛନ୍ତି ।
ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡୁ ଥିବା ବେଳେ ବିଜେପି ସରକାର ସଜାଗ ନ ହେବା ସବୁଠୁ ଆଶ୍ଚର୍ଯ୍ୟର ବିଷୟ । ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ, ଏକ ଭୟମୁକ୍ତ ପରିବେଶ ସୁନିଶ୍ଚିତ କରିବା ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।