ଭୁୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ନିଷ୍ପତ୍ତିକୁ ମାନିନାହାନ୍ତି କଟକ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ସେ କ୍ରସ୍ ଭୋଟିଂ କରିଛନ୍ତି । ମୋକିମ୍ ଙ୍କ ଏହି କାର୍ଯ୍ୟ ରାଜ୍ୟ କଂଗ୍ରେସରେ ହଇଚଇ ସୃଷ୍ଟି କରିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୋକିମ୍ ଙ୍କ କାର୍ଯ୍ୟକୁ ଅନୁଚିତ କହି ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଘଟଣାରେ ସହଯୋଗୀ ବିଧାୟକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବା ପାଇଁ ରାଜ୍ୟ କଂଗ୍ରେସ ବିଧାୟକ ଦଳ ନୀତିଗତ ନିଷ୍ପତ୍ତି ନେଇଥିଲା । ଏହାକୁ ସୁରୁଖୁରୁ କରିବା ପାଇଁ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ତିନି ତିନି ଥର ବୈଠକ କରିଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ବିଧାୟକମାନଙ୍କର ଦୁଇ ଦୁଇ ଥର ବୈଠକ ନେଇଥିଲେ । ଯଶୋବନ୍ତ ସିହ୍ନାଙ୍କୁ କିଭଳି ଭୋଟ ଦିଆଯିବ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯାଇଥିଲା । ସବୁ ବୈଠକରେ ୯ ଜଣ ଯାକ ବିଧାୟକ ଉପସ୍ଥିତ ଥିଲେ ଏବଂ ଯଶୋବନ୍ତଙ୍କୁ ସମର୍ଥନକୁ ନେଇ କାହାର ଦ୍ୱିମତ ନ ଥିଲା ।
ତେବେ ଆଜି ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ରାଷ୍ଟ୍ରପତି ଭୋଟ ଦେଇ ସାରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ବାହାରକୁ ଆସିଲା ପରେ ଗଣମାଧ୍ୟମକୁ ଡାକି ସେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ପ୍ରତିକ୍ରିୟା ଦେଇଥିଲେ । କହିଥିଲେ, ଜଣେ ଓଡ଼ିଆ ହିସାବରେ ମାଟିର ଝିଅକୁ ମୁଁ ଭୋଟ ଦେଲି । ମୋ ବିବେକ ଅନୁସାରେ ମୁଁ ଏହି ଭୋଟ ଦେଲି । ତାଙ୍କ ବିଜୟରେ ମୋ ଭୋଟ ଖଣ୍ଡିକ ମିଶିଲେ ମୁଁ ଗର୍ବିତ ହେବି ।
ତେବେ ଦଳୀୟ ନିଷ୍ପତ୍ତି ବାହାରକୁ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ମୋକିମ୍ ଭୋଟଦେବା ଘଟଣାକୁ କଂଗ୍ରେସ ପିସିସି ସଭାପତି, ବିଧାୟକ ଦଳ ନେତା ଏବଂ ଅନ୍ୟ ସହଯୋଗୀ ବିଧାୟକମାନେ ଗୁରୁତର ସହ ଗ୍ରହଣ କରିଛନ୍ତି । ବିଧାୟକ ଦଳ ନେତାଙ୍କ ଚାମ୍ବରରେ ବସି ଦଳ ପାଇଁ ରାଷ୍ଟ୍ରପତି ଭୋଟ ପରିଚାଳନା କରୁଥିବା ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ବିଧାୟକ ଶ୍ରୀ ମୋକିମ୍ କ୍ରସ୍ ଭୋଟିଂ କରିଥିବାର ତଥ୍ୟ ମିଳିଲା ପରେ ସେ ହାଇକମାଣ୍ଡଙ୍କୁ ଜଣାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।
ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, ଦଳୀୟ ନିଷ୍ପତ୍ତିକୁ ଅବମାନନା କରି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବା ଉଚିତ୍ ହୋଇନାହିଁ । ଏହା ଉପରେ ଦଳ ଯାହା ବିଚାର କରି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ଏହା ଅତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ବୋଲି ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି । ଆମେ ୯ ବିଧାୟକ ଆମ ଭିତରେ ଏକଜୁଟ୍ ହୋଇପାରିଲୁନୁ । ଦଳର ଏକତା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କଲା ବୋଲି ସେ କହିଛନ୍ତି । ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଅନୁରୂପ ପ୍ରତିକ୍ରିୟା ରଖିଛନ୍ତି ।