ଭୁବନେଶ୍ୱର: ପ୍ରୋଟୋକଲ୍ ଅନୁଯାୟୀ ଜନପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ନ ଦେବା କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମହଙ୍ଗା ପଡ଼ିଛି । ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗକ୍ରମେ ରାଜ୍ୟସଭା ସଚିବାଳୟ ପକ୍ଷରୁ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି କରାଯାଇଛି ।
ଗତ ଜାନୁଆରୀ ୨୩ ତାରିଖରେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ବାସଭବନରେ ନେତାଜୀ ଜୟନ୍ତୀ ପାଳନ କରାଯାଇଥିଲା । ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା ଏବଂ ଭାରତର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ସମସ୍ତ ଜନ ପ୍ରତିନିଧି ଓ ଲୋକସଭା ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ସ୍ଥାନୀୟ ବାସିନ୍ଦା ଏବଂ ରାଜ୍ୟସଭା ସାଂସଦ ହୋଇଥିବା ସତ୍ତ୍ୱେ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲାପାଳ ନିମନ୍ତ୍ରଣ କରି ନ ଥିଲେ । ଏହାଦ୍ୱାରା ତାଙ୍କର ସ୍ୱାଧିକାର ଉଲ୍ଲଂଘନ ହୋଇଛି ବୋଲି ଗତ ୩ ତାରିଖରେ ସେ ରାଜ୍ୟସଭାରେ ଉଠାଇଥିଲେ । ଗୃହର ଜଣେ ସଦସ୍ୟ ଭାବେ ତାଙ୍କର ମର୍ଯ୍ୟାଦା ରକ୍ଷା ପାଇଁ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗତ ୧୧ ତାରିଖରେ ରାଜ୍ୟସଭା ସଚିବାଳୟ ପକ୍ଷରୁ ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ୍ ଆଣ୍ଡ ଟ୍ରେନିଂକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସାଂସଦ ଶ୍ରୀ ସାମନ୍ତରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ କଟକ ଜିଲ୍ଲାପାଳ ପ୍ରୋଟୋକଲ୍ ଅମାନ୍ୟ କରିଛନ୍ତି । ଏହାଦ୍ୱାରା ତାଙ୍କର ସ୍ୱାଧିକାର ଭଙ୍ଗ ହୋଇଛି । ପୂର୍ବରୁ ପ୍ରୋଟୋକଲ ମାନି ତାଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି । ବର୍ତ୍ତମାନ ତାଙ୍କ ସହ ଏଭଳି କାହିଁକି ହେଲା ମୁଁ ଜାଣିନାହାନ୍ତି । ସକାଳେ କାର୍ଯ୍ୟକ୍ରମ ଥିବା ବେଳେ ପୂର୍ବଦିନ ରାତି ସାଢ଼େ ୮ଟାରେ ତାଙ୍କର ରାଜ୍ୟସଭା ଠିକଣାରେ ଇମେଲ ଆସିଥିଲା । ତାଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରା ନ ଯିବା ଅଶୋଭନୀୟ । ଏହାଦ୍ୱାରା ରାଜ୍ୟସଭାର ମର୍ଯ୍ୟାଦା ହାନି ହୋଇଛି ବୋଲି ସେ କହିଛନ୍ତି ।