ଭୁବନେଶ୍ୱର: ଜୟ ଢ଼ୋଲକିଆ ବିଜେପିକୁ ଚାଲିଗଲା ପରେ ପ୍ରାର୍ଥୀ ଖୋଜିବାରେ ବିଜେଡିକୁ ଭୀଷଣ କଷ୍ଟ କରିବାକୁ ପଡ଼ିଲା । ଦୀର୍ଘ ୨୫ ବର୍ଷ ଧରି କ୍ଷମତାରେ ଥିବା ଦଳକୁ ସ୍ଥାନୀୟ ପ୍ରାର୍ଥୀ ମିଳିଲେନି । ଆହୁରି ଦୁର୍ଭାଗ୍ୟ ଯେ ନୂଆପଡ଼ା ଉପନିର୍ବାଚନ ରଣନୀତି ପ୍ରସ୍ତୁତି ସହ ପ୍ରାର୍ଥୀ ଖୋଜିବା ପାଇଁ ହାରୁନେତାଙ୍କ ଉପରେ ଭରସା କଲେ ନବୀନ ପଟ୍ଟନାୟକ । ନିଜ ଅଞ୍ଚଳବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ଉପକୂଳିଆ ନେତାଙ୍କୁ ନୂଆପଡ଼ା ସଙ୍କଟମୋଚନ ଦାୟିତ୍ୱ ଦେଲେ । ଯେଉଁ ଦାୟିତ୍ୱରେ ପୁଣି ହାର୍ ମାନିଛନ୍ତି ହାରୁନେତା । ଏହି ପ୍ରସଙ୍ଗ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ଗତ ୧୧ ତାରିଖରେ ଜୟ ଢ଼ୋଲକିଆ ବିଜେପିକୁ ପଳାଇଲେ । ଜୟଙ୍କ ଜାଗାରେ ବିଜେଡି କାହାରିକୁ ପ୍ରାର୍ଥୀ କରିବ ସେବେଠାରୁ ଘମାସାନ ଚାଲିଥିଲା । ନବୀନ ନିବାସରୁ ଏହି ଦାୟିତ୍ୱ ପାଇଥିଲେ ଦଳର ତିନି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଏବଂ ସଞ୍ଜୟ ଦାସବର୍ମା । ଏକଦା ବିଜେଡିର ଏହି ତିନି ପ୍ରଭାବଶାଳୀ ନେତା ଏବଂ ପୂର୍ବତନ ମନ୍ତ୍ରୀ ଗତ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଛନ୍ତି । ଜନମାନସରେ ଏମାନେ ହାରୁନେତାର ମାନ୍ୟତା ପାଇଛନ୍ତି ।
ନୂଆପଡ଼ାରେ ପ୍ରାର୍ଥୀ ସଙ୍କଟ ସମାଧାନ ପାଇଁ ନବୀନ ବାବୁ ଏମାନଙ୍କ ଉପରେ କାହିଁକି ଭରସା କଲେ ବୋଲି ଦଳୀୟ ମହଲରୁ ପ୍ରଶ୍ନ ଉଠିଛି ।
କାରଣ ନୂଆପଡ଼ା ଉପନିର୍ବାଚନ ପାଇଁ ୬ ଜଣିଆ ଷ୍ଟିୟରିଂ କମିଟି, ୧୦ ଜଣିଆ ଜୋନାଲ୍ କମିଟି ଏବଂ ତିନି ଜଣିଆ ଲୋକାଲ୍ ଆକ୍ସନ୍ କମିଟି ପ୍ରଥମରୁ ଘୋଷଣା ହୋଇସାରିଛି । ସାମଗ୍ରିକ ଭାବେ ପଶ୍ଚିମ ଓଡ଼ିଶା ନେତାଙ୍କୁ ନୂଆପଡ଼ା ଦାୟିତ୍ୱ ଦେଇଛନ୍ତି ନବୀନ । ମାତ୍ର ପ୍ରାର୍ଥୀ ସଙ୍କଟର ସମାଧାନ ପାଇଁ ଘୋଷିତ ତାଲିକା ବାହାରେ ସେ ତିନି ହାରୁ ନେତାଙ୍କୁ ସେଠାକୁ କାହିଁକି ପଠାଇଲେ ତାହା ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନାଥାଉକି ଦେବୀ, ଅତନୁ ଏବଂ ସଞ୍ଜୟ ନବୀନ ନିବାସର ଖାସ୍ ଲୋକ ଭାବେ ପରିଚିତ । ପାଣ୍ଡିଆନଙ୍କ ସହ ସେମାନଙ୍କର ଭଲ ସମ୍ପର୍କ ନେଇ ଚର୍ଚ୍ଚା ହୁଏ । ଯଦି ନୂଆପଡ଼ା ଆସନରେ ଜିତିବା ପାଇଁ ନବୀନ ପ୍ରକୃତରେ ଚାହୁଁଥାନ୍ତି ତେବେ ଦେବୀ, ଅତନୁ ଏବଂ ସଞ୍ଜୟ ନେତାଙ୍କୁ ଉପଯୋଗ କରିବା ଭଲ କଥା । ହେଲେ ନୂଆପଡ଼ାରେ ଏ ପର୍ଯ୍ୟନ୍ତ ଅରୁଣ ସାହୁ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ନେତାଙ୍କୁ କାହିଁକି ଦେଖିବାକୁ ମିଳୁନି ତାହାର ଉତ୍ତର ଖୋଜିଛନ୍ତି ଅନେକ ନେତା ଓ କର୍ମୀ ।







