ଭୁୁବନେଶ୍ୱର: ରାତି ପାହିଲେ ଧାମନଗର ଉପନିର୍ବାଚନ ଭୋଟ । ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କାଲି ସକାଳ ୭ ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ୨ ଲକ୍ଷ ୩୮ ହଜାର ୪୧୭ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଭୋଟର ଥିବା ବେଳେ ୧ ଲକ୍ଷ ୧୫ ହଜାର ୩୪୬ ମହିଳା ଭୋଟର ଅଛନ୍ତି ।
ଭୋଟଗ୍ରହଣ ଲାଗି ୨୫୨ ଟି ବୁଥ୍ ବା ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୧୧୦ ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ସମ୍ବେଦନଶୀଳ ବୁଥ୍ କୁ ମିଶାଇ ମୋଟ ୧୨୬ ବୁଥ୍ ରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯାଇଛି ।
ଭୋଟ ଗ୍ରହଣକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୦୦୦ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରାଜ୍ୟ ସଶସ୍ତ୍ର ବାହିନୀର ୨୨ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା ବେଳେ ୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସଙ୍କୁ ମୁତୟନ କରାଯାଇଛି । ଭଦ୍ରକ ଏସପି ଚରଣ ସିଂ ମୀନା ଆଜି ବିଭିନ୍ନ ସମ୍ବେଦନଶୀଳ ବୁଥ୍ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କାଲିର ମତଦାନ ବ୍ୟବସ୍ଥାକୁ ନେଇ ବିସ୍ତୃତ ସୂଚନା ଦେଇଥିଲେ । ବୁଥ୍ ର ୧୦୦ ମିଟର ମଧ୍ୟରେ କଥାବର୍ତ୍ତା ବାରଣ କରାଯାଇଥିବା ସେ କହିଥିଲେ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ୫ ଟି ପୁଲିସ୍ କେସ୍ ହୋଇଥିବା ଏହି ଅବସରରେ ସୂଚନା ଦେଇଥିଲେ ।
ଆସନ୍ତା ୬ ତାରିଖ ରବିବାର ଦିନ ଭୋଟ ଗଣତି ହେବ ।








