ଭୁବନେଶ୍ୱର/ଧର୍ମଶାଳା: ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆରୁହା ପାହାଡ଼ ଖଣି ମାଫିଆଙ୍କ ଚରାଭୂଇଁ ପାଲଟିଛି । ମାଫିଆମାନେ ଲୋକଙ୍କ ଧନଜୀବନକୁ ବିପଦରେ ପକାଇ ଦିନ ଦ୍ୱିପ୍ରହରେ ଲୁଟ୍ ପାଟ୍ ଚଳାଇଛନ୍ତି । ତେବେ ଏଭଳି ସାଂଘାତିକ ବେଆଇନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ସେମାନଙ୍କୁ ସତର୍କ କରାଇଛନ୍ତି ବିଜେପି ନେତ୍ରୀ ସ୍ମୃତିରେଖା ପହି । ବିଜେପି ସରକାରରେ କୌଣସି ଚୋରି, ଅନିୟମିତତା ଓ ଲୁଟ୍ ପାଟ୍ କୁ ପ୍ରଶୟ ଦିଆଯିବ ନାହିଁ ବୋଲି ସେ ସୋସିଆଲ୍ ମିଡିଆ ଜରିଆରେ କଡ଼ା ଚେତାବନୀ ଦେଇଛନ୍ତି ।

ଆରୁହା ପାହାଡ଼ରେ ଖଣି ମାଫିଆଙ୍କ ଲୁଟ୍ ପାଟ୍ ଦୃଶ୍ୟକୁ ଶ୍ରୀମତୀ ପହି ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି । ନିଜ ଆଖିରେ ଦେଖିଥିବା ଦୃଶ୍ୟକୁ ସେ ଏଥିରେ ବର୍ଣ୍ଣନା କରିଛନ୍ତି । ଆରୁହା ପାହାଡ଼ରେ ବ୍ୟାପକ ମାତ୍ରାରେ ବେଆଇନ ପଥର ଖନନ ହେଉଥିବା ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଅଭିଯୋଗ ପାଇ ସେ ପହଞ୍ଚିଥିଲେ । ତାଙ୍କ ଆଖି ଆଗରେ ଶରତ ଜେନା ନାମକ ଲିଜ୍ ଧାରୀଙ୍କର ପଥର ଖନନ କାମରେ ଲାଗିଥିବା ୧୦ଟି ମେସିନ୍, ୭ଟି କମ୍ପ୍ରେସର୍, ୨ଟି ହାଇୱା ଏବଂ ଗୋଟିଏ କ୍ୟାମ୍ପର୍ ଗାଡ଼ିକୁ ଗ୍ରାମବାସୀମାନେ ଅଟକାଇଥିବା ବେଳେ ପାହାଡ଼ର ପଛପଟ ଦେଇ ମନୋଜ ସାମଲ ନାମକ ଅନ୍ୟ ଜଣେ ଖଣି ମାଫିଆ ୧୦ଟି ମେସିନ୍, ୫ଟି କମ୍ପ୍ରେସର୍, ୧୨ଟି ହାଇୱା ନେଇ ଛୁ ମାରିଥିଲେ ।








