ସମ୍ବଲପୁର/ଭୁବନେଶ୍ୱର: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ଖ୍ୟାତନାମା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କର ପରଲୋକ ହୋଇଯାଇଛି । ସ୍ନାୟୁରୋଗରେ ସେ ପୀଡ଼ିତ ଥିଲେ । ଆଜି ସଂଧ୍ୟା ୮ଟା ୫୦ ମିନିଟ୍ ରେ ଶାନ୍ତି ନଗରସ୍ଥିତ ନିଜ ବାସଭବନରେ ଚିକିତ୍ସିତ ଅବସ୍ଥାରେ ସେ ଚିର ଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୭୯ ବର୍ଷ ହୋଇଥିଲା ।
ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ଡାକ୍ତର ପାଣିଗ୍ରାହୀ ୧୯୪୬ ମସିହା ଅକ୍ଟୋବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ରାଉରକେଲା ଇସ୍ପାତ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ପରେ ସେ ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ପରେ ବୁର୍ଲା ଭୀମସାରୁ ଏମବିବିଏସ୍ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗରେ ଏମଡି ଡିଗ୍ରୀ ହାସଲ କରିଥିଲେ । ୧୯୭୨ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଚାକିରି ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଭୀମସାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ପ୍ରଫେସର ଏବଂ ମୁଖ୍ୟ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।
ଅବସର ପରେ ନିଜର କ୍ଲିନିକ୍ ରେ ରୋଗୀଙ୍କୁ ଚିକିତ୍ସା କରୁଥିଲେ । ଗରିବ ଶ୍ରେଣୀର ରୋଗୀଙ୍କ ପାଇଁ ସେ ଥିଲେ ଭଗବାନ । ସେମାନଙ୍କୁ ମାଗଣାରେ ଚିକିତ୍ସା ସେବା ଦେଉଥିଲେ । କେବଳ ପଶ୍ଚିମ ଓଡ଼ିଶା ନୁହେଁ, ପଡୋଶୀ ରାଜ୍ୟଗୁଡ଼ିକରୁ ମଧ୍ୟ ତାଙ୍କ ପାଖକୁ ରୋଗୀଙ୍କର ଲମ୍ବା ଲାଇନ୍ ଲାଗୁଥିଲା ।
୨୦୧୪ ମସିହାରେ ରାଜନୀତିରେ ପ୍ରବେଶ କରି ବିଜେଡି ଟିକେଟରେ ସମ୍ବଲପୁର ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜଣେ ବିଧାୟିକା ଭାବେ ରାଜ୍ୟର ସ୍ୱାସ୍ଥ୍ୟସେବା ଉନ୍ନତି କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ଥିଲା । ତେବେ ପରବର୍ତ୍ତୀ ସମୟରେ ବିଜେଡି ତାଙ୍କୁ ଅଣଦେଖା କରିଥିଲା । ୨୦୨୪ ମସିହା ନିର୍ବାଚନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ ମଧ୍ୟ ନିଜର ଟ୍ରଷ୍ଟ ଜରିଆରେ ସାମାଜିକ ସେବାରେ ସଂପୃକ୍ତ ରହିଥିଲେ ।
ସ୍ୱର୍ଗତ ଡା. ପାଣିଗ୍ରାହୀ ବିବାହ କରି ନ ଥିଲେ । ପୂର୍ବତନ ସାଂସଦ ସ୍ୱର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କର ସେ ଭଉଣୀ । ଶେଷ ଜୀବନରେ ପୁତୁରା ପ୍ରିୟଦର୍ଶୀ ଏବଂ ଝିଆରୀ ରାଜଶ୍ରୀ ତାଙ୍କର ଦେଖାଶୁଣା କରୁଥିଲେ ।
ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସେମାନେ ସମବେଦନା ଜଣାଇଛନ୍ତି । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
Continue Reading






