ଭୁବନେଶ୍ୱର: ଓଡ଼ିଶା ପାଇଁ ପୁଣି ଏକ ଗୌରବ । ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଡକ୍ଟର ସସ୍ମିତ୍ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ୍ କୁ ମନୋନୀତ ହୋଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଆଜି ଉପାଧ୍ୟକ୍ଷ ପ୍ୟାନେଲ୍ ର ପୁନର୍ଗଠନ କରି ସସ୍ମିତ୍ ଙ୍କୁ ପୁଣି ଥରେ ସୁଯୋଗ ଦେଇଛନ୍ତି ।
ପୁନର୍ଗଠିତ ପ୍ୟାନେଲ୍ ରେ ସସ୍ମିତ୍ ଙ୍କୁ ମିଶାଇ ୬ ଜଣ ଅଛନ୍ତି । ସେମାନେ ହେଲେ ଭୁବନେଶ୍ୱର କାଲିତା, ଇନ୍ଦୁ ବାଲା ଗୋସ୍ୱାମୀ, ଡକ୍ଟର ଏଲ ହନୁମନ୍ଥିଆ, ତିରୁଚି ଶିବା ଏବଂ ଭି ବିଜୟାସାଇ ରେଡ୍ଡୀ ।
ସୂଚନାଥାଉକି, ବିଜେଡି ପ୍ରାର୍ଥୀ ଭାବେ ସସ୍ମିତ୍ ୨୦୧୯ ଜୁନ୍ ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ରାଜ୍ୟସଭାରେ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ସେ ଅଧ୍ୟକ୍ଷ ଭେଙ୍କିୟା ନାଇଡୁଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେତେବେଳେ ରାଜ୍ୟସଭାରେ ମାତ୍ର ଦେଢ଼ବର୍ଷର ଅଭିଜ୍ଞତା ଥିବା ଶ୍ରୀ ନାଇଡୁଙ୍କୁ ସେ ଗୃହ ପରିଚାଳନା ପାଇଁ ଉଦ୍ଦିଷ୍ଟ ଉପାଧ୍ୟକ୍ଷ ପ୍ୟାନେଲ୍ କୁ ମନୋନୀତ କରିଥିଲେ । ନିକଟରେ ସସ୍ମିତ୍ ଙ୍କ କାର୍ଯ୍ୟକାଳ ସରିଲା ପରେ ବିଜେଡି ତାଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇଛି ।








