ଭୁବନେଶ୍ୱର: ଇତିହାସରେ ଯୋଡିହେଲା ସ୍ୱର୍ଣ୍ଣିମ ଅଧ୍ୟାୟ । ଓଡ଼ିଶା ପାଇଁ ବିଶେଷ ଗୌରବର ମୁହୁର୍ତ୍ତ । ଏହି ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ମହାମହିମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ତୃତୀୟ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ସେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବାରୁ ବିଜୟ ସ୍ପଷ୍ଟ ହୋଇଯାଇଛି । ଆଉ ଗୋଟିଏ ରାଉଣ୍ଡ ଗଣତି ପରେ ଔପଚାରିକ ଭାବେ ତାଙ୍କର ବିଜୟ ଘୋଷଣା ହେବ । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ଶ୍ରୀମତୀ ମୁର୍ମୁଙ୍କୁ ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ମିଳିଥିବା ବେଳେ ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ମିଳିଛି ୨ ଲକ୍ଷ ୬୧ ହଜାର ୬୨ ଭୋଟ ।
ଓଡ଼ିଶାର ଛୋଟିଆ ସହର ରାଇରଙ୍ଗପୁରରୁ ଦିଲ୍ଲୀ ରାଇସିନା ହିଲ୍ ଯାଇଛନ୍ତି ଦ୍ରୌପଦୀ ମୁର୍ମୁ । ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ଶପଥ ନେବେ । ସେ ହୋଇଛନ୍ତି ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁଙ୍କ ପାଇଁ ତାଙ୍କ ଗାଁଠାରୁ ଆରମ୍ଭ କରି ଦେଶର କୋଣ ଅନୁକୋଣରେ ପାଳନ ହେଉଛି ବିଜୟ ଉତ୍ସବ । ସବୁଆଡ଼େ ବାଜାବାଣ, ନାଚଗୀତ ଓ ଖୁସିର ମାହୋଲ । ଆତସବାଜି ଯୋଗୁଁ ଅଦିନିଆ ଦିପାବଳୀର ଭ୍ରମ ସୃଷ୍ଟି ହୋଇଛି । ନିଜ ମାଟି ଓଡ଼ିଶାରେ ତାଙ୍କର ବିଜୟ ଉତ୍ସବ ସ୍ୱତନ୍ତ୍ର ରହିଛି ।
ଦ୍ରୌପଦୀଙ୍କ ବିଜୟ ସ୍ପଷ୍ଟ ହେଲା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେ.ପି.ନଡ୍ଡା ତାଙ୍କ ଦିଲ୍ଲୀ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାହୁଲ ଗାନ୍ଧୀ, ପରାଜିତ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଓଡ଼ିଶା ପାଇଁ ଏହା ଗୌରବର ମୁହୂର୍ତ୍ତ । ପ୍ରଥମ ନାଗରିକ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ । ତାଙ୍କ ଯାତ୍ରା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଉଦାହରଣ ବୋଲି ନବୀନ କହିଛନ୍ତି ।