ଭୁବନେଶ୍ୱର: ଭାରତର ମହାମହିମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ପଚାଶ ଦଶକରେ ମୟୁରଭଞ୍ଜ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀର ଗରିବ ଆଦିବାସୀ ପରିବାରରେ ଜନ୍ମିତ ଏଇ ମହିଳାଙ୍କ ସଂଘର୍ଷ, ଦୁଃଖ ଯନ୍ତ୍ରଣା ଏବଂ ସଫଳତାକୁ ନେଇ ଆଜି ସବୁଆଡ଼େ ଚର୍ଚ୍ଚା । ଦୃଢ଼ ମନୋବଳ ଥିଲେ, ଯନ୍ତ୍ରଣା ଓ ଆଖିର ଲୁହ ଜଣେ ଦୁଃଖୀ ମଣିଷକୁ କିଭଳି ଶକ୍ତିଶାଳୀ ଏବଂ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ କରେ ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଦେଶର ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ମୟୁରଭଞ୍ଜ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ କୁସୁମୀ ବ୍ଲକ୍ ଉପରବେଡ଼ା ଗାଁରେ ୧୯୫୮ ମସିହା ଜୁନ୍ ୨୦ ତାରିଖରେ ଆଦିବାସୀ ସାନ୍ତାଳ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଦ୍ରୌପଦୀ । ବାପା ବିରଞ୍ଚି ନାରାୟଣ ଥିଲେ ମୟୁରଭଞ୍ଜ ରାଜାଙ୍କ ଦରବାରରେ ଜଣେ ଛୋଟିଆ କର୍ମଚାରୀ । ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦ୍ରୌପଦୀ ଗାଁ ପ୍ରାଥମିକ ସ୍କୁଲରେ ସପ୍ତମ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ । ଏହାପରେ ଅଧିକ ପାଠ ପଢ଼ିବାକୁ ଆଗ୍ରହ ଥିଲେ ମଧ୍ୟ ସୁଯୋଗ ନ ଥିଲା । ସୌଭାଗ୍ୟକୁ ସମ୍ପର୍କୀୟ ଦାଦା ତଥା ତତ୍କାଳୀନ ମନ୍ତ୍ରୀ କାର୍ତ୍ତିକ ଚନ୍ଦ୍ର ମାଝୀ ତାଙ୍କୁ ଭୁବନେଶ୍ୱର ଆଣି ୟୁନିଟ୍-୨ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଦେଲେ । ଆଦିବାସୀ ହଷ୍ଟେଲରେ ରହି ପାଠ ପଢ଼ିଲେ ଏବଂ ଭଲ ମାର୍କ ରଖି ୧୯୭୪ ମସିହାରେ ମାଟ୍ରିକ୍ ପାସ୍ କରିଥିଲେ ।
କଲେଜରେ ନାମ ଲେଖାଇବା ପାଇଁ ଆବେଦନ କରିବାକୁ ହୁଏ ବୋଲି ଜାଣି ନ ଥିବାରୁ ସେ ଗୋଟିଏ ବର୍ଷ ପାଠ ପଢ଼ି ପାରି ନ ଥିଲେ । ପରବର୍ଷ ରମାଦେବୀ ମହିଳା କଲେଜରେ ନାମ ଲେଖାଇ ଆଦିବାସୀ ହଷ୍ଟେଲରେ ରହିଥିଲେ । ଝିଅର ଖର୍ଚ୍ଚ ପାଇଁ ଗାଁରୁ ବାପା ମାସକୁ ୧୦ ଟଙ୍କା ପଠାଉଥିଲେ । ଆଉ ସେତିକି ଟଙ୍କାରେ ବହୁ କଷ୍ଟମଷ୍ଟେ ଚଳି ଯାଉଥିଲେ । ପାଖରେ ପଇସା ନ ଥିବାରୁ ବାହାନା ଦେଖାଇ ସାଙ୍ଗମାନଙ୍କ ସହ ମାର୍କେଟିଂ, ଫିଲ୍ମ ଦେଖିବା ପାଇଁ ଯାଉ ନ ଥିଲେ ।
୧୯୭୯ ରେ ରମାଦେବୀରୁ ବିଏ ପାସ୍ କଲା ପରେ ସଚିବାଳୟରେ କିରାଣୀ ଚାକିରିରେ ଯୋଗଦେଲେ । ଏହି ସମୟରେ ତାଙ୍କ ଗାଁ ପାଖ ପାହାଡ଼ପୁରର ବ୍ୟାଙ୍କ ମ୍ୟାନେଜର ଶ୍ୟାମଚରଣ ମୁର୍ମୁଙ୍କ ସହ ତାଙ୍କର ବିବାହ ହୋଇଥିଲା ଏବଂ କୋଳକୁ ଝିଅଟିଏ ବି ଆସିଥିଲା । ତେବେ ତାଙ୍କ ଜୀବନର ପ୍ରଥମ ଦୁଃଖ ଆସିଥିଲା ଯେତେବେଳେ ସେ ତାଙ୍କର ଛୋଟିଆ ଝିଅଟିକୁ ହରାଇଲେ । ଦୁଃଖରେ ଭାଙ୍ଗିପଡ଼ିଥିବା ଦ୍ରୌପଦୀ ସଚିବାଳୟ ଚାକିରି ଛାଡ଼ି ଦେଇଥିଲେ ଏବଂ ଗାଁକୁ ଚାଲି ଯାଇଥିଲେ ।
ପରବର୍ତ୍ତୀ ସମୟରେ ତାଙ୍କ କୋଳକୁ ଆସିଥିଲେ ଦୁଇ ପୁଅ ଓ ଗୋଟିଏ ଝିଅ । ସେମାନେ ବଡ଼ ହୋଇ ସ୍କୁଲ ଗଲା ପରେ ସେ ସମୟ କାଟିବାକୁ ରାଇରଙ୍ଗପୁରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅବୈତନିକ ଭାବେ ଶିକ୍ଷକତା କରିଥିଲେ । ଏହି ସମୟରେ ବିଭିନ୍ନ ସଂଗଠନ ସହ ସଂପୃକ୍ତ ରହି ସାମାଜିକ ସେବାରେ ସାମିଲ ହୋଇଥିଲେ ।
୧୯୯୬ ମସିହାରେ ବିଜେପିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ରାଇରଙ୍ଗପୁର ଏନଏସିରୁ ଲଢ଼ି କାଉନସିଲ ଜିତିଥିଲେ । ପରେ ଉପାଧ୍ୟକ୍ଷ ହୋଇଥିଲେ । ୨୦୦୦ ମସିହାରେ ରାଇରଙ୍ଗପୁର ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ବିଜୟୀ ହୋଇଥିଲେ । ପ୍ରଥମ ଥର ବିଧାୟକ ହୋଇ ମେଣ୍ଟ ସରକାରରେ ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଦାୟିତ୍ୱ ମିଳିଥିଲା । ପରେ ମତ୍ସ୍ୟ ଓ ପଶୁପାଳନ ବିଭାଗର ମନ୍ତ୍ରୀ ହୋଇଥିଲେ । ୪ ବର୍ଷ ଧରି ସେ ମନ୍ତ୍ରୀ ଥିଲେ । ୨୦୦୪ ମସିହାରେ ପୁଣି ଥରେ ରାଇରଙ୍ଗପୁରରୁ ବିଧାୟକ ହୋଇଥିଲେ ।
ଏହାପରେ ତାଙ୍କ ପାରିବାରିକ ଜୀବନରେ ଘୋଟି ଆସିଥିଲା କଳା ବାଦଲ । ଦୁଃଖର ପାହାଡ଼ ଛିଡ଼ା ହୋଇଗଲା । ୨୦୦୯ ଅକ୍ଟୋବର ମାସରେ ତାଙ୍କର ୨୫ ବର୍ଷୀୟ ପୁଅ ଲକ୍ଷ୍ମଣଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିଲା । ବନ୍ଧୁଙ୍କ ସହ ଡିନର୍ ସାରି ରାତିରେ ଘରେ ଆସି ଶୋଇଥିଲେ । ମାତ୍ର ସକାଳୁ ପୁଅ ନ ଥିଲା । ପୁଅର ଏଭଳି ଅକାଳ ବିୟୋଗ ଦ୍ରୌପଦୀଙ୍କୁ ମୁକ କରିଦେଇଥିଲା । ଏହି ଦୁଃଖରୁ ବାହାରିବା ପାଇଁ ତାଙ୍କୁ ଢ଼େର୍ ସମୟ ଲାଗିଥିଲା । ତେବେ ୨୦୧୩ ମସିହାରେ ଦ୍ରୌପଦୀଙ୍କ ଦୁନିଆରେ ପୁଣି ଦୁଃଖର ଭୂକମ୍ପ ଆସିଥିଲା । ଦ୍ୱିତୀୟ ପୁଅ ସିପୁନ୍ ଏକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ପରବର୍ଷ ସ୍ୱାମୀଙ୍କୁ ବି ଅକାଳରେ ହରାଇଦେଲେ ଦ୍ରୌପଦୀ । ଗୋଟିଏ ପରେ ଗୋଟିଏ ଦୁଃଖର ପାହାଡ ଭିତରେ ଏକମାତ୍ର ବିବାହିତା ଝିଅ ଇତିଶ୍ରୀ କେବଳ ତାଙ୍କର ସାହା ହୋଇ ରହିଛନ୍ତି ।
ଦୁଃଖରୁ ମୁକ୍ତିର ମାର୍ଗରେ ଥିବା ଦ୍ରୌପଦୀଙ୍କୁ ୨୦୧୫ ମେ ମାସରେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ୨୦୨୧ ଜୁଲାଇରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ସେ ନିଜ ଘର ରାଇରଙ୍ଗପୁର ମହୁଲଡ଼ିହାକୁ ଫେରିଥିଲେ । ସାନଭାଇ ଭାଉଜଙ୍କ ସହ ଗାଁରେ ରହୁଥିବା ଦ୍ରୌପଦୀ ଏବେ ଦେଶର ପ୍ରଥମ ନାଗରିକ । ରାଇରଙ୍ଗପୁରରୁ ସେ ଯାଇଛନ୍ତି ରାଇସିନା । ସମଗ୍ର ଓଡ଼ିଶା ଆଜି ତାଙ୍କ ପାଇଁ ଗର୍ବିତ ।