ଭୁୁବନେଶ୍ୱର: ବିଜେଡିର ଦକ୍ଷ ଯୁବନେତା, ପୂର୍ବତନ କର୍ପୋରେଟର ସମୀର ପ୍ରଧାନ ଆଉ ନାହାନ୍ତି । ସମ୍ ହସ୍ପଟାଲ୍ ରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳୁ ସେ ଆଖି ବୁଜି ଦେଇଛନ୍ତି । ସମୀରଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ସମ୍ପୂର୍ଣ୍ଣ ସୁସ୍ଥ ଥିବା ସମୀର ଶୁକ୍ରବାର ରାତିରେ ଘରେ ଖାଇପିଇ ଶୋଇଥିଲେ । ରାତିରେ ହଠାତ୍ ଯନ୍ତ୍ରଣା ଅନୁଭବ କରିଥିଲେ । ଫୋନ୍ କରି ତାଙ୍କ ସାଙ୍ଗମାନଙ୍କୁ ଜଣାଇଲା ପରେ ସେମାନେ ଆସି ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ପରୀକ୍ଷା ନିରୀକ୍ଷା ପରେ ସେ ଭୀଷଣ ହୃଦଘାତ ଏବଂ ମସ୍ତିଷ୍କଘାତର ଶିକାର ହୋଇଥିବା ଜଣାପଡ଼ିଥିଲା । କୋମାକୁ ଚାଲିଯାଇଥିବା ସମୀରଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା । ତାଙ୍କର ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନାହାନ୍ତି ।
୪୬ ବର୍ଷ ବୟସ୍କ ସମୀର ଅବିବାହିତ ଥିଲେ । ଦୁଇବର୍ଷ ତଳେ ତାଙ୍କ ମା’ ଙ୍କର ମୃତୁ୍ୟ ପରଠୁ ସେ ଏକା ହୋଇଯାଇଥିଲେ । ବିଜେଡିର ଜଣେ ଦକ୍ଷ ସଂଗଠକ ଭାବେ ତାଙ୍କର ପରିଚୟ ଥିଲା । ବରମୁଣ୍ଡା ରେଣ୍ଟାଲ୍ କଲୋନୀ ଅଞ୍ଚଳରୁ ସେ ତିନି ତିନି ଥର କର୍ପୋରେଟର ଥିଲେ । ଅତ୍ୟନ୍ତ ମେଳାପୀ, ପରୋପକାରୀ ମଣିଷ ଭାବେ ସେ ସବୁ ବର୍ଗର ଲୋକଙ୍କ ପ୍ରିୟପାତ୍ର ଥିଲେ ।