ଭୁବନେଶ୍ୱର: ରାତି ଅଧରେ ପ୍ରତାପ ଜେନାଙ୍କ ଘରର ଗେଟ୍ ଠେଲି ଭିତରକୁ ପଶିବାକୁ ଉଦ୍ୟମ କଲେ । ସୁରକ୍ଷାକର୍ମୀ ବାଧା ଦେବାରୁ ଆଗ ବାଣ ଫୁଟାଇ ଡରାଇଲେ । ଅଶ୍ଲୀଳ ଭାଷାରେ ଗାଳିଗୁଲଜ କଲେ । ସେ ନ ଡରିବାରୁ ବ୍ଲାଙ୍କ ଫାୟାରିଂ କଲେ, ଧକିଆ ମାରି ଭିତରକୁ ପଶିଲେ । ଘରର ଦୁଇ କର୍ମଚାରୀ ଜଗିବାରୁ ତାଙ୍କୁ ବି ନିସ୍ତୁକ ପିଟିଲେ । ପ୍ରତାପ ଜେନା କୁଆଡ଼େ ଗଲା ବୋଲି ବୋବାଲ୍ ପକାଇଲେ । ଘରେ ସେ ନାହାନ୍ତି ବୋଲି ଜାଣିବା ପରେ ଗାଳିଗୁଲଜ, ହତ୍ୟା ଧମକ ଦେଇ ଫେରି ଆସିଲେ । ସେମାନେ ଜଣେ ଦି ଜଣ ନ ଥିଲେ । ୧୫ ରୁ ୨୦ ଜଣିଆ ଏକ ଗ୍ୟାଙ୍ଗ ଥିଲେ । ପୁଲିସକୁ ସେମାନଙ୍କର ଡର ନ ଥିଲା । ଏହି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଛାଡ଼ିଲେ । ବିଧାନସଭା ଅଧିବେଶନ ସମୟରେ ରାଜଧାନୀର ସବୁଠାରୁ ସୁରକ୍ଷିତ କୁହାଯାଉଥିବା ୟୁନିଟ୍-୬ ଭିଭିଆଇପି ଅଞ୍ଚଳରେ ଏହି ଆତଙ୍କରାଜ ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।
ଶୁକ୍ରବାର ରାତି ସାଢ଼େ ୧୧ରୁ ୧୨ଟା ଭିତରେ ଘଟଣା ଘଟିଛି । ୟୁନିଟ୍-୬ ଅଞ୍ଚଳର ଭୁବନେଶ୍ୱର କ୍ଲବ୍ ନିକଟରେ ଏକ ସରକାରୀ କ୍ୱାର୍ଟର୍ସରେ ସପରିବାର ରହୁଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା । ଗତକାଲି ସେ ତାଙ୍କ ନିର୍ବାଚନମଣ୍ଡଳୀରେ ଥିବା ବେଳେ ତାଙ୍କ ପରିବାର ଲୋକଙ୍କଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ରାତାରାତି ଭୁବନେଶ୍ୱର ଫେରି ଆସି ଥାନାରେ ଏତଲା ଦେଇଥିଲେ । ସୋସିଆଲ୍ ମିଡିଆରେ ଘଟଣା ସମ୍ପର୍କରେ ସେ ଜଣାଇବା ସହ ଏହାର ଭିଡିଓ ସେୟାର୍ କରିଛନ୍ତି ।
ସେ ଲେଖିଛନ୍ତି, ରାତିରେ ୧୫ରୁ ୨୦ ଜଣ ମଦ୍ୟପ ଗୁଣ୍ଡା, ଟଙ୍କା ନେଇ ରାଜ୍ୟସଭାରେ ଓଡ଼ିଶାକୁ ବିକ୍ରି କରିଥିବା ବିଜେଡି ବିଧାୟକଙ୍କ ସିଧା ନିର୍ଦ୍ଦେଶରେ ଭୁବନେଶ୍ୱର ସହର ମଧ୍ୟଭାଗରେ ମୋ ପରିବାର ରହୁଥିବା ଘରକୁ ଜବରଦସ୍ତ ଭାବେ ପ୍ରବେଶ କଲେ । ଆମ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦିଆଗଲା । ଘର କର୍ମଚାରୀଙ୍କୁ ଅଶ୍ଲୀଳ ଗାଳି ଦେଇ ନିର୍ଦ୍ଦୟ ଭାବେ ମାଡ଼ ମାରିଲେ । ମୋ ପରିବାର ସେହି ମୁହୂର୍ତ୍ତରେ ଘର ଭିତରେ ଥିଲେ । ଏହା କେବଳ ଆକ୍ରମଣ ନୁହେଁ, ଏହା ସଶସ୍ତ୍ର ଆତଙ୍କ । ଆମେ ସମସ୍ତେ ଦେଖିଛୁ, ରାଜ୍ୟସଭା ନିର୍ବାଚନ ବେଳେ ଓଡ଼ିଶା ବିଧାନସଭା ଭିତରେ କ’ଣ ଘଟିଥିଲା । ସଭାଗୃହରେ ହୋଇଥିବା ସେ ବିଶ୍ୱାସଘାତ ବର୍ତ୍ତମାନ ବନ୍ଧୁକ ହାତରେ ଆମ ଘର ଦୁଆର ପର୍ଯ୍ୟନ୍ତ ପହଞ୍ଚିଲାଣି । ଆଜି ମୋ ଘର । କାଲି ଆପଣଙ୍କ ଘର ହୋଇପାରେ । ଯେଉଁ ବିଜେଡି ବିଧାୟକ ଜନତାଙ୍କ ବିଶ୍ୱାସ ଓ ନିଜ ଦଳକୁ ଟଙ୍କା ଲାଗି ବିକ୍ରି କଲେ, ସେ ବ୍ୟକ୍ତି ଏବେ ସଶସ୍ତ୍ର ଗୁଣ୍ଡା ପଠାଇ ସତ୍ୟର ସ୍ୱରକୁ ଦବାଇବାକୁ ଚାହୁଁଛନ୍ତି । ଏ ଉଭୟ ଅପକର୍ମ ଇତିହାସ କ୍ଷମା କରିବ ନାହିଁ ।
ଆଜି ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ତାଙ୍କ ଘରକୁ ଆସିଥିବା ଗୁଣ୍ଡାମାନଙ୍କ ମଧ୍ୟରେ କିଛି ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କର ସମର୍ଥକ, ଆଉ କିଛି ଗତକାଲି ବିଜେଡିରୁ ନିଲମ୍ବିତ ହୋଇଥିବା ଯୁବ ଓ ଛାତ୍ର କର୍ମୀ ଏବଂ ଆଉ କିଛି ବିଜେପି ସମର୍ଥକ ବୋଲି ସେ କହିଛନ୍ତି । ଯୁବ ବିଜେଡି ସଭାପତି ଓ ଛାତ୍ର ବିଜେଡି ସଭାପତି ଇପସିତା ସାହୁ ଚିନ୍ମୟ ସାହୁ ସେମାନଙ୍କୁ ରାଜ୍ୟସଭା ନିର୍ବାଚନରେ ଟଙ୍କା ନେଇ କ୍ରସ୍ ଭୋଟିଂ କରିଥିବା ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ସମର୍ଥକ ବୋଲି ସିଧାସଳଖ କହିଛନ୍ତି । ଗୁଣ୍ଡା ପଠାଇଥିବା ସେହି ଅକୃତଘ୍ନ ନେତାଙ୍କୁ ଜବାବ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଅପରାଧୀଙ୍କୁ ତୁରନ୍ତ ଗିରଫ କର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ରାଜ୍ୟସଭା ନିର୍ବାଚନରେ ଯେଉଁମାନେ ଟଙ୍କା ବଳରେ ଗଣତନ୍ତ୍ରକୁ ଅପମାନିତ କଲେ, ସେମାନଙ୍କ ନିର୍ଦ୍ଦେଶରେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ହିଂସାକାଣ୍ଡ ଭିଆଇଲେ । ଏହା ଦୁଇଟି ଅଲଗା ଘଟଣା ନୁହେଁ ବରଂ କୁଶାସନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ । ତୁରନ୍ତ ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପରାଧୀଙ୍କୁ ଗିରଫ କରିବାକୁ ନବୀନ ଦାବି କରିଛନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶଙ୍ଖଳା ସ୍ଥିତିକୁ ସଜାଡ଼ିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।
ଏହି ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ଏବଂ ଶ୍ରୀ ଜେନାଙ୍କ ବାସଭବନ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଖୋଦ୍ ରାଜଧାନୀର ଭିଭିଆଇପି ଅଞ୍ଚଳରେ ଜଣେ ନେତାଙ୍କ ଘରେ ରାତି ଅଧରେ ଗୁଣ୍ଡାଙ୍କ ଆତଙ୍କରାଜ ଘଟଣାକୁ ନିନ୍ଦା କରିନାହାନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ବିଧାୟକ ପ୍ରଶାନ୍ତ ବେହେରାଙ୍କ କ୍ୱାର୍ଟର୍ସରେ କାହିଁକି ରହୁଛନ୍ତି ବୋଲି ପ୍ରଶ୍ନ ଉଠାଇ ପ୍ରତାପ ଜେନାଙ୍କୁ କାଠଗଡ଼ାକୁ ଟାଣିଛନ୍ତି । ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସ ଦଖଲରେ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ମୁଖପାତ୍ର ଦାବି କରିଛନ୍ତି ।
ଦୁଇ ଗିରଫ: ପ୍ରତାପ ଜେନାଙ୍କ ଘରେ ପଶି ଆକ୍ରମଣ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଗତକାଲି ଦଳରୁ ନିଲମ୍ବିତ ଦୁଇ ଯୁବ ବିଜେଡି ଉପସଭାପତି ସିଦ୍ଧାର୍ଥ ସ୍ୱାଇଁ ଏବଂ ଦେବୀପ୍ରସାଦ ଲେଙ୍କା । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।